ଭିତ୍ତିପ୍ରସ୍ତର ସ୍ଥାପନର ୭ ବର୍ଷ ପରେ ବି ସରୁନି ଶୁଳିଆ ପୋଲ କାମ, ୮ଟି ଗ୍ରାମର ୧୦ ହଜାର ଲୋକ ହନ୍ତସନ୍ତ

ନୟାଗଡ଼ : ବର୍ଷେ ନୁହେଁ କି ଦୁଇବର୍ଷ, ଇତିମଧ୍ୟରେ ୭ ବର୍ଷ ଅତିକ୍ରମ କରିଯାଇଥିବା ବେଳେ ଉଦୟପୁର-ପଲ୍ଲୀଶାସନ ଶୁଳିଆ ପୋଲ କାମ ଶେଷ ହୋଇପାରିନାହିଁ। ଜିଲ୍ଲା ସଦର ମହକୁମାଠାରୁ ମାତ୍ର କେଇ କିଲୋମିଟର ଦୂରରେ ଥିବା ଏହି ଅଞ୍ଚଳରେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳୁନାହିଁ। ଯେଉଁଥି ପାଇଁ ନୟାଗଡ଼ ବ୍ଲକ୍‌ ଅନ୍ତର୍ଗତ ନଡ଼ିଆଳି ଗ୍ରାମପଞ୍ଚାୟତର ପଲ୍ଲୀଶାସନ, ଉଦୟପୁର, ନଡ଼ିଆଳି, ପଦ୍ମାଦେଇପୁର, ଗବନଳ ଭଳି ୮ଟି ଗ୍ରାମର ପ୍ରାୟ ୧୦ ହଜାର ଲୋକ ହନ୍ତସନ୍ତ ହେଉଛନ୍ତି। ବର୍ଷା ଦିନ ଆସିଲେ ପୂର୍ବରୁ ଶୁଳିଆ ନଦୀ ଏହି ସବୁ ଗ୍ରାମବାସୀଙ୍କ ପାଇଁ ଦୁଃଖ ପାଲଟୁଥିଲା। ବର୍ତ୍ତମାନ ଅଧପନ୍ତରିଆ ବ୍ରିଜ୍‌, ଖୋଳା ହୋଇପଡ଼ିଥିବା ରାସ୍ତା ଏମାନଙ୍କ ପାଇଁ ଦୁଃଖ ପାଲଟିଛି। ପରିତାପର ବିଷୟ ହେଲା, ଦୁଇ ବର୍ଷ ହେବ କାମ ଠପ୍‌ ହୋଇଯାଇଛି। କାମ ପୁଣି କେବେ ଆରମ୍ଭ ହେବ, ସେଥିନେଇ ଗ୍ରାମବାସୀଙ୍କ ଭରସା ପାଉନାହିଁ। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ପୋଲ ନିର୍ମାଣ କରାଯାଉଛି। ବିଭାଗର କୋହଳ ମନୋଭାବ ପାଇଁ ଠିକାଦାର ଅଧା‌ରୁ କାମ ଛାଡ଼ି ଚାଲିଯାଇଛି। ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ।

ମିଳିଥିବା ସୂଚନା ଅନୁଯାୟୀ, ୨୦୧୪ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ସଂପୃକ୍ତ ବର୍ଷ ଫେବ୍ରୁଆରି ୨୨ ତାରିଖରେ ଉକ୍ତ ବ୍ରିଜ୍‌ ନେଇ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଇତି ମଧ୍ୟରେ ୭ ବର୍ଷ ଅତିକ୍ରମ କରିଥିବା ବେଳେ, ପୋଲ ନିର୍ମାଣ ଶେଷ ହୋଇପାରିନାହିଁ। ଏଥି ନିମନ୍ତେ ପାଖାପାଖି ୧ କୋଟି ୩୬ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଥିଲା। ୨୯ ଜୁଲାଇ, ୨୦୧୭ ସୁଦ୍ଧା‌ କାମ ଶେଷ ପାଇଁ ବିଭାଗ ଟାର୍ଗେଟ୍‌ ରଖିଥିଲା। ଟାର୍ଗେଟ୍‌ ବର୍ଷ ଶେଷର ପାଖାପାଖି ୪ ବର୍ଷ ଅତିକ୍ରମ କରିଥିବା ବେଳେ, ଫଳ ଶୂନ୍ୟ। ୨୦୧୪ ନିର୍ବାଚନ ପରେ ୨୦୧୯‌ରେ ବି ଆଉ ଗୋଟିଏ ସାଧାରଣ ନିର୍ବାଚନ ଅତିକ୍ରମ କରିବ‌ାର ଦୁଇ ବର୍ଷ ବିତିସାରିଛି, ତଥାପି ପୋଲ କାମ ଶେଷ ହୋଇପାରିନାହିଁ। ସ୍ଥାନୀୟ ଅଞ୍ଚଳବାସୀଙ୍କ ବର୍ଷ ବର୍ଷର ଦାବି ପରେ ବ୍ରିଜ୍‌ ପ୍ରକ୍ରିୟା ଆରମ୍ଭ ହେଲା, ବର୍ତ୍ତମାନର ମନ୍ତ୍ରୀ ତଥା ସେତେବେଳର ବିଧାୟକ ଡ. ଅରୁଣ କୁମାର ସାହୁ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କିନ୍ତୁ ବର୍ଷ ବର୍ଷ ଧରି ମନ୍ଥର ଗତିରେ କାମ ଚାଲିବା, ସ୍ଥାନୀୟ ବାସିନ୍ଦାଙ୍କୁ ଉପହାସ ସଦୃଶ ‌ହୋଇଛି। ବ୍ରିଜ୍‌ କାମ ସାରିବା ନେଇ ଗ୍ରାମବାସୀଙ୍କ ବାରମ୍ବାର ଦାବି ସତ୍ତ୍ବେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ୨୦୧୯ରେ ଆପ୍ରୋଚ୍‌ ରୋଡ୍‌ ତିଆରି ହୋଇଥିଲା। କିନ୍ତୁ ଏହା ପରେ ପୁଣି କାମ ବନ୍ଦ ହୋଇପଡ଼ିଛି। ସଂପୂର୍ଣ୍ଣ ଭାବେ ଏହା ବ୍ୟବହାର‌ ଉପଯୋଗୀ ‌ହୋଇପାରିନାହିଁ। ବ୍ରିଜ୍‌କୁ ସଂଯୋଗ କରୁଥିବା‌ ରାସ୍ତା ମଧ୍ୟ ପକ୍କା ଅବା ପିଚୁ ହୋଇପାରିନାହିଁ। ତେଣୁ ଆଉ କିଛି ମାସ ପରେ ବର୍ଷା ଋତୁ ଆସୁଥିବାରୁ ଗ୍ରାମବାସୀ ପୁଣି ହିନସ୍ତା ହେବା ଥୟ।

ବିଭାଗର ଖାମଖିଆଲି ମନୋବୃତ୍ତି ପାଇଁ ପଲ୍ଲୀଶାସନର ଭିକ୍ଷାକାରୀ ଷଡ଼ଙ୍ଗୀ, ସୁଶାନ୍ତ ଶେଖର ରଥ, କୈଳାସ ଚନ୍ଦ୍ର ରଥ, କୃଷ୍ଣଚନ୍ଦ୍ର ମିଶ୍ର, ଜଗମୋହନ ରଥ, ରବୀନ୍ଦ୍ର ଷଡ଼ଙ୍ଗୀ, ହରିହର ସାଥୁଆ ପ୍ରମୁଖ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏ ବାବଦରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଜେଇ ରବି ସ୍ବାଇଁଙ୍କୁ ପଚାରିବାରୁ ସେ କହିଛନ୍ତି, ଏହି କାମ ପ୍ରଥମେ ଟେଣ୍ଡର୍‌ ଜରିଆରେ ପିପିଲି ଅଞ୍ଚଳର ଠିକାଦାର ସଂଜୟ କୁମାର ମିଶ୍ର ପାଇଥି‌ଲେ। ସେ ନିର୍ଦ୍ଧାରିତ ସମୟ ସୁଦ୍ଧା କାମ କରିନପାରିବାରୁ ତାଙ୍କୁ ହଟାଇ ଦିଆଯାଇଛି। ନୂତନ ଟେଣ୍ଡର୍‌ କରାଯାଇଛି, ଅନ୍ୟ ଜଣେ ନୂଆ ଠିକାଦା‌ର କାମ ପାଇଛନ୍ତି, ଆମେ ୨୦ ଦିନ ମଧ୍ୟରେ ବାକିଥିବା କାମ ଶେଷ କରିବୁ। ତେବେ ‌ଜେଇ ଶ୍ରୀ ସ୍ବାଇଁଙ୍କ କଥାରେ କେତେ ବାସ୍ତବତା ରହିଛି, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର