ନନ୍ଦପୁର : ୬ ବର୍ଷ ହେଲା ସଂପୂର୍ଣ୍ଣ ହୋଇପାରୁନି ନିର୍ମାଣାଧୀନ ପୋଲ, ବିପଦ ସଙ୍କୁଳ ଭାବେ ଦେଶୀ ଡଙ୍ଗାରେ ଯାତାୟାତ କରୁଛନ୍ତି ଅଞ୍ଚଳବାସୀ

ନନ୍ଦପୁର : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ଆନ୍ଧ୍ର ସୀମାନ୍ତ ପଞ୍ଚାୟତ ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଯୋଗାଯୋଗ ପାଇଁ ୬ବର୍ଷ ତଳେ ଶୋଭାପୁଟରେ ଆରମ୍ଭ ହୋଇଥିବା ପୋଲ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେଉନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା‌ ଦେଇଛି।

ପ୍ରକାଶ ଥାଉକି, ଆନ୍ଧ୍ର ସୀମାନ୍ତରେ ନନ୍ଦପୁର ବ୍ଲକର ପାନ୍ଥଲୁଙ୍ଗ, କୁଲାରସିଂ, ଗୋଲୁର, ପାଡ଼ୁଆ, ପରଜା ବଡ଼ପଡ଼ା, ଚାଟୁଆ ଭଳି ପଞ୍ଚାୟତର ହଜାର ହଜାର ଲୋକ ଦୈନନ୍ଦିନ ସାମଗ୍ରୀ କିଣାବିକା ପାଇଁ ଆନ୍ଧ୍ରପ୍ରଦେଶର ସୀମାନ୍ତ ଗ୍ରାମ ଓ ହାଟ ଉପରେ ନିର୍ଭରଶୀଳ। କିନ୍ତୁ ଓଡ଼ିଶା ଓ ଆନ୍ଧ୍ର ସୀମାନ୍ତରେ ଥିବା ନଦୀରେ ପୋଲ ନିର୍ମାଣ ହୋଇନଥିବାରୁ ଅଞ୍ଚଳବାସୀ ବିପଦ ସଙ୍କୁଳ ଭାବେ ଦେଶୀ ଡଙ୍ଗାରେ ଯାତାୟାତ କରୁଛନ୍ତି। ତେଣୁ ଉଭୟ ରାଜ୍ୟର ସୀମାନ୍ତରେ ଥିବା ଶୋଭାପୁଟ ଗାଁ ଦେଇ ଯାଇଥିବା ନଦୀରେ ପୋଲ ନିର୍ମାଣ ପାଇଁ ଅଞ୍ଚଳବାସୀ ଓ ସ୍ଥାନୀୟ ଜନ ପ୍ରତିନିଧି ମାନେ ଦାବି କରି ଆସୁଥିଲେ। ଲୋକଙ୍କ ଦୀର୍ଘ ଦିନର ଦାବି ପରେ ୬ବର୍ଷ ତଳେ ପ୍ରାୟ ୨୨ କୋଟି ଟଙ୍କା ବ୍ୟୟରେ ଶୋଭାପୁଟ ଠାରେ ପୋଲ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନା ହୋଇଥିଲା। କିନ୍ତୁ ବର୍ତମାନ ସୁଦ୍ଧା ପୋଲ ନିର୍ମାଣ କାମ ସଂପୂର୍ଣ୍ଣ ହୋଇନଥିବାରୁ ଅଞ୍ଚଳବାସୀ ପୂର୍ବ ଭଳି ଦେଶୀ ଡଙ୍ଗାରେ ହିଁ ଯାତାୟାତ କରୁଛନ୍ତି। ପୋଲ ନିର୍ମାଣ କାମ ପ୍ରାୟ ୫୦ପ୍ରତିଶତ ସଂପୂର୍ଣ୍ଣ ହୋଇଥିବା ବେଳେ ପିଲର ପଡ଼ି କାର୍ଯ୍ୟ ବନ୍ଦ ରହିଛି। ଅଞ୍ଚଳବାସୀଙ୍କ ଯାତାୟାତ ସୁବିଧା ନିମ‌ନ୍ତେ ଏହି ପୋଲ କାମ ଶୀଘ୍ର ସଂପୂର୍ଣ୍ଣ କରିବା ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର