ଝାରସୁଗୁଡ଼ା: ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗ ପରେ ଉପନିର୍ବାଚନରେ‌ ତାଙ୍କ ପତ୍ନୀ ଅଳକା ମହାନ୍ତି ବିଜୟୀ ହେବାର ୨ ବର୍ଷ ପୂରିଛି। ହେଲେ ଅଦ୍ୟାବଧି ବିଧାୟିକା ନିଜ ଦଳୀୟ ନେତା ଓ କର୍ମୀଙ୍କ ଆସ୍ଥାଭାଜନ ହୋଇ ପାରିନଥିବା ଅନେକ ସମୟରେ ଆଲୋଚନା ହେଉଛି। ଏପରିକି ନିଜ ଅଞ୍ଚଳରେ ହେଉଥିବା କାର୍ଯ୍ୟକ୍ରମରେ ବି ବିଧାୟିକ‌ା ଯେମିତି ଅଲୋଡ଼ା ହୋଇଯାଇଛନ୍ତି। ଗୁରୁବାର ବ୍ରଜରାଜନଗର ପୌରପାଳିକାରେ ସ୍ବାୟତ୍ତ ଶାସନ ଦିବସ ପାଳନ ହୋଇଥିବା ବେଳେ ଏହି ଅବସରରେ ମଧ୍ୟ ବିଧା‌ୟିକାଙ୍କୁ ନିମନ୍ତ୍ରଣପତ୍ରଟିଏ ଯାଇନାହିଁ। ଯାହାକୁ ନେଇ ଖୋଦ୍‌ ବିଧାୟିକା ବି ନିଜ ଲୋକଙ୍କ ପାଖରେ ଦୁଃଖ ପ୍ରକାଶ କରିଥିବା ଘଟଣା ସାମ୍ନାକୁ ଆସିଛି। ଆଜିର ଘଟଣାକୁ ନେଇ ବିଧାୟିକା ଶ୍ରୀମତୀ ମହାନ୍ତିଙ୍କୁ ପଚାରିବାରେ, ତାଙ୍କୁ ନିମନ୍ତ୍ରଣ କାହିଁକି କରାଗଲାନି ତାହାର ଉତ୍ତର ପୌରାଧ୍ୟକ୍ଷା ହିଁ ଜାଣିଥିବେ ବୋଲି କହିଛନ୍ତି। ଏନେଇ ପୌରାଧ୍ୟକ୍ଷା ଯାଜ୍ଞସେନୀ ଓରାମଙ୍କୁ ପଚାରିବାରେ, ବିଧାୟିକାଙ୍କୁ ନିମନ୍ତ୍ରଣ ଦେବାକୁ ନିଷ୍ପତ୍ତି ହୋଇଥିବା ବେଳେ ଅଧିକାରୀ ଦେଲେ ନା ନାହିଁ ସେ ଜାଣିନଥିବା କହିଛନ୍ତି।

Advertisment

publive-image

ଉପନିର୍ବାଚନରେ ବିପୁଳ ବ୍ୟବଧାନରେ ବାଜିମାତ୍‌ ପରେ ବ୍ରଜରାଜନଗର ନିର୍ବାଚନମଣ୍ଡଳୀରେ କିଶୋରଙ୍କ ପରି ପୂର୍ବ ଦବ୍‌ଦବାକୁ ଅଳକା ଜାରି ରଖିବେ ବୋଲି ଲୋକେ ବିଶ୍ବାସ କରିଥିଲେ। କିନ୍ତୁ ପ୍ରଥମେ ଉପନିର୍ବାଚନର ୬ ମାସ ଯାଏ ଲୋକେ ବିଧାୟିକାଙ୍କ ଦର୍ଶନ ପାଇନଥିବା ବେଳେ ପରେ କାଁ ଭାଁ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳିଥିଲା। ନିକଟରେ ଲଖନପୁର ବ୍ଲକ୍‌ କୁଡ଼ାଲୋଇଠାରେ କୋଇଲା ଖଣିକୁ ଲୋକେ ବିରୋଧ କରିଥିଲେ। ଲୋକଙ୍କ ଲଢ଼େଇ ସହ ସେ ରହିଥିବା ନେଇ ପୂର୍ବରୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। କିନ୍ତୁ ଜନଶୁଣାଣି ତ ବନ୍ଦ ହେଲାନି ବରଂ ଘଟଣା ଦିନ ବିଧାୟିକା ନିର୍ବାଚନମଣ୍ଡଳୀରେ ନଥିବା ଜଣାପଡ଼ିଥିଲା। ଏହାକୁ ନେଇ ଲୋକଙ୍କ ମଧ୍ୟରେ ନକାରାତ୍ମକ ଭାବ ସୃଷ୍ଟି ହୋଇଛି। କେବଳ ଏହି ଘଟଣା ନୁହେଁ, ବରଂ ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ବିଧାୟିକା ଆଗଭର ନ‌ହେବା, ଜିଲ୍ଲାସ୍ତରୀୟ ବୈଠକଗୁଡ଼ିକରେ ନିଜ ବଦଳରେ ପ୍ରତିନିଧି ପଠାଇ କାମ ଚଳାଇ ନେବା ଆଦି ଘଟଣାକୁ ନେଇ ସବୁବେଳେ ଅଳକା ଚର୍ଚ୍ଚାରେ ରହିଆସିଛନ୍ତି। ଅପରପକ୍ଷେ, ନିଜ ଦଳୀୟ ‌ନେତା ଓ କର୍ମୀଙ୍କଠାରେ ମଧ୍ୟ ଅଳକା ଅଲୋଡ଼ା ହୋଇ ରହିବା ଦଳକୁ ଚିନ୍ତାରେ ପକାଇ ଦେଇଛି। ଝାରସୁଗୁଡ଼ା ଉପନିର୍ବାଚନ ସମୟରେ ମଧ୍ୟ ଅଳକାଙ୍କୁ ଦଳ କୌଣସି ଗୁରୁ ଦାୟିତ୍ବ ଦେଇନଥିଲା। ଏପରିକି ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦଳ ଅଳକାଙ୍କ ବିକଳ୍ପ ଅନୁସନ୍ଧାନରେ ରହିଥିବା ନେଇ ମଧ୍ୟ ଦଳୀୟ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି।

ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ବ୍ରଜରାଜନଗର ମ୍ୟୁନିସିପାଲଟିର ଅର୍ଦ୍ଧାଧିକ କାଉନସିଲର ନବ ଦାସଙ୍କ ଗୋଷ୍ଠୀର ହୋଇଥିବାରୁ ବିଧାୟିକାଙ୍କୁ ସେମାନେ ସେ‌ତେଟା ସମର୍ଥନ କରୁନଥିବା ଦେଖିବାକୁ ମିଳିଛି। ବେଲପାହାଡ଼ ପୌରାଞ୍ଚଳରେ ବିଜେଡି ୨ ଫାଳ ହୋଇଯାଇଥିବା ବେଳେ ନବଙ୍କ ଦ୍ବାରା ନିଯୁକ୍ତ ଜଣେ ପ୍ରାର୍ଥୀଙ୍କର ହିଁ ସେଠାରେ ଦଳୀୟ ଦବ୍‌ଦବା ରହିଛି। ଏପରିକି ଉଭୟ ମ୍ୟୁନିସିପାଲଟିର ଅଧ୍ୟକ୍ଷ ବି ବିଧାୟିକାଙ୍କୁ ସମର୍ଥନ ଜଣାଉନଥିବା ଅଭିଯୋଗ ହୋଇଛି। ବିଧାୟିକା ଅଳକା ବି କୌଣସି ସ୍ଥିତିରେ ଲୋକଙ୍କ ସାମ୍ନାକୁ ଯିବାକୁ ହେଲେ ନିଜେ ମୁହଁ ଖୋଲି ଲୋକଙ୍କ ସହ କଥା ହୋଇପାରୁ ନାହାନ୍ତି। ବରଂ ବ୍ରଜରାଜନଗରରୁ ନେଇ ଲଖନପୁର ବ୍ଲକ୍‌ର ୧୯ ଖଣ୍ଡ ମୌଜା ଯାଏ ସବୁଠି ଜଣେ ଜଣେ କିଶୋର ସମର୍ଥକ ହିଁ ଅଳକାଙ୍କ ଉପସ୍ଥିତିରେ ତାଙ୍କ ମୁଖପାତ୍ର ଭାବେ ଲୋକଙ୍କ ସହ କଥା ହେଉଛନ୍ତି। ଏହାକୁ ନେଇ ଲୋକେ ବି ବିଧାୟିକାଙ୍କ ଉପରୁ ଭରସା ତୁଟାଇ ସାରିଲେଣି।