କାର୍‌ ଇଣ୍ଟେରିଅର୍‌ ଦେଖି କାର୍‌ ଚିହ୍ନୁଛନ୍ତି ବିସ୍ମୟ ବାଳକ ଅନିଶ

ମାତ୍ର ୨ ମିନିଟ୍‌ ୬ ସେକେଣ୍ଡରେ ୬୧ଟି କାର୍‌

ଭୁବନେଶ୍ବର : ଖନେଇ ଖନେଇ କଥା କହି ନୁହେଁ, ପ୍ରାଞ୍ଜଳ ଭାବେ ବ୍ରାଣ୍ଡେଡ୍‌ କାରଗୁଡ଼ିକର ନାମ କହି ଲୋକଙ୍କ ହୃଦୟ ଜିତିଛନ୍ତି। ଠିକ୍‌ ଭାବେ କଥା ନ କହି ପାରୁଥିବା ବୟସରେ ଅନର୍ଗଳ କହିଚାଲନ୍ତି ବିଭିନ୍ନ ଗାଡ଼ିର ନାମ। ‌ମାତ୍ର ୩ ମିନିଟ ୬ ସେକେଣ୍ଡରେ ୮୦ଟି କାର୍‌ର ନାମ ପ୍ରାଞ୍ଜଳ ଭାବେ ଉଚ୍ଚାରଣ କରି କହିପାରନ୍ତି ଏହି ବିସ୍ମୟ ବାଳକ ସାଇ ଅନିଶ ପଟ୍ଟନାୟକ। କେବଳ କାର୍‌ରୁ ସାମ୍ନାସାମ୍ନି ଭଲ ଭାବେ ଦେଖି କରି ନୁହେଁ, କାର୍‌ର ଫଟୋ କିମ୍ବା ଭିଡିଓ ଏପରିକି କାର୍‌ ଭିତରର ଆଭ୍ୟନ୍ତରୀଣ ଇଣ୍ଟେରିଅର୍‌ ଦେଖି ମଧ୍ୟ ସେ କେଉଁ କମ୍ପାନିର କାର୍‌ ବୋଲି କହିପାରନ୍ତି। ମାତ୍ର ୨ ମିନିଟ୍‌ ୬ ସେକେଣ୍ଡରେ ୬୧ଟି କାର୍‌ର ଇଣ୍ଟେରିଅର୍‌ ଦେଖି ସେ କେଉଁ କାର ବୋଲି ଚଟାପଟ କହି ଦିଅନ୍ତି। ଇଣ୍ଟେରିୟର ଦେଖି କାର୍‌ ମଡେଲ କହିବାକୁ ଏପର୍ଯ୍ୟନ୍ତ କେହି ଉଦ୍ୟମ କରିନଥିବା‌ ବେଳେ ସେ ବିଶ୍ବର ପ୍ରଥମ। ପ୍ରଚଣ୍ଡ ପ୍ରତିଭା ଓ ବିଚକ୍ଷଣ ସ୍ମରଣ ଶକ୍ତିର ଅଧିକାରୀ ଏହି ବାଳକ ମାତ୍ର ୪ ବର୍ଷ ୮ ମାସ ବୟସରେ ୯ଟି ଆନ୍ତର୍ଜାତିକ ରେକର୍ଡ ଓ ୩ଟି ଜାତୀୟ ରେକର୍ଡ ହାସଲ କରିପାରିଛନ୍ତି।

ସ‌ରୋଜ କୁମାର ପଟ୍ଟନାୟକ ଓ ସ୍ବରୂପା ପଟ୍ଟନାୟକଙ୍କ ପୁଅ ସାଇ ଅନିଶ ପଟ୍ଟନାୟକ କୋରାପୁଟ ଜିଲ୍ଲା ସୁନାବେଡ଼ା‌େର ରୁହନ୍ତି। ମାତ୍ର ୩ ବର୍ଷ ବୟସରେ ୧ ମିନିଟ ୪୦ ସେକେଣ୍ଡରେ ୬୦ଟି କାର୍‌ ମଡେଲର ନାମ କହି ସମସ୍ତଙ୍କୁ ଚମତ୍କୃତ କରିଥିଲେ। ବର୍ତ୍ତମାନ ସେ ୩ ମିନିଟ ୬ ସେକେଣ୍ଡରେ ୮୦ଟି କାର୍‌ର ନାମ କହିପାରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଅନିଶ ଇଣ୍ଡିଆସ୍‌ ୱାର୍ଲଡ ରେକର୍ଡସ, ଇନ୍‌କ୍ରେଡିବଲ୍‌ ବୁକ୍‌ ଅଫ୍‌ ରେକର୍ଡସ୍‌ ଓ ୱାର୍ଲଡ ରେକର୍ଡସ୍‌ ଇଣ୍ଡିଆରେ ସ୍ଥାନ ପାଇଥିବା ବେଳେ ୱାର୍ଲଡ ଜିନିୟସ୍‌ ରେକଡ୍‌ସ୍‌(ନାଇଜେରିଆ), ୱାର୍ଲଡ ବୁକ୍‌ ଅଫ୍‌ ରେକର୍ଡସ୍‌ (ଲଣ୍ଡନ) ସହ ଆହୁରି ୭ଟି ଆନ୍ତର୍ଜାତିକ ରେକର୍ଡରେ ସ୍ଥାନ ପାଇଛନ୍ତି। ପିଲାଟି ଦିନୁ ଅନିଶଙ୍କର କାର୍‌ଗୁଡ଼ିକ ପ୍ରତି ଦୁର୍ବଳତା ରହିଛି। ଛୋଟ ବେଳୁ ଖେଳନା କାର୍‌ ସହ ଖେଳି ଆସୁଥିବା ଅନିଶ ଦିନେ ବାପାଙ୍କୁ ଇଣ୍ଟରନେଟ୍‌ରେ କାର୍‌ ସର୍ଚ କରୁଥିବା ଦେଖିବାକୁ ପାଆନ୍ତି। ଭିନ୍ନ ଭିନ୍ନ କାର୍‌ଗୁଡ଼ିକୁ ଦେଖି ବାପା ସ‌ରୋଜ ପଟ୍ଟନାୟକଙ୍କୁ ସେ କାରଗୁଡ଼ିକର ନାମ ପଚାରନ୍ତି। ବ‌ାପା କାର୍‌ଗୁଡ଼ିକ ମଡେଲ କହିଲେ ଚଟାପଟ୍‌ ମନେ ରଖିଦିଅନ୍ତି। ଏମିତି ଭାବେ ବଢ଼ିଥିବା ତାଙ୍କର ଏହି ରୁଚି ଆଜି ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି। ‌ତେବେ ସନ୍ତାନର ଏହି ସ୍ମରଣ ଶକ୍ତି ଓ ନୂଆ କଥା ଜାଣିବାର ଇଚ୍ଛାକୁ ପଟ୍ଟନାୟକ ଦମ୍ପତି ପ୍ରୋତ୍ସୋହିତ କରିଚାଲିଛନ୍ତି। ଦୁନିଆ ଆଗରେ ନିଜ ସନ୍ତାନର ଏହି ପ୍ରତିଭାକୁ ପ୍ରଦର୍ଶନ କରିବାକୁ ଉଭୟ ବାପାମା’ ଅଣ୍ଟା ମଧ୍ୟ ଭିଡ଼ିଛନ୍ତି।

ସମ୍ବନ୍ଧିତ ଖବର