ଭୁବନେଶ୍ବର: ନାରୀଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ନେଇ ସରକାର ଭାଙ୍ଗିବାକୁ ରଣହୁଙ୍କାର ଦେଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ। ପ୍ରମୁଖ ବିରୋଧୀ ଦଳ ଭାବେ ସରକାରଙ୍କ ବିରୋଧରେ ଅନାସ୍ଥା ଆଣିବା ଲାଗି ବିଜେଡିକୁ ଆହ୍ବାନ କରିଛନ୍ତି। ନଚେତ୍ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଲେ ବିଜେଡି ଏହାକୁ ସମର୍ଥନ କରୁ ବୋଲି ଆହ୍ବାନ ଦେଇଛନ୍ତି। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଥିଲେ, ଓଡ଼ିଶାରେ କଂଗ୍ରେସର ୫୧ଜଣ ବିଧାୟକ ଥିଲେ ଆମେ ସରକାର ଭାଙ୍ଗି ଦେଇଥାନ୍ତୁ। ନାରୀକୁ ନ୍ୟାୟ ଦେବା ପାଇଁ କଂଗ୍ରେସ ସଂଗ୍ରାମ ଜାରି ରଖିଛି। ମୁଖ୍ୟ ବିରୋଧୀ ଦଳ ବିଜେଡି ମଧ୍ୟ ଏଥି ପାଇଁ ଆନ୍ଦୋଳନକୁ ଓହ୍ଲାଇଛି। ସେମାନେ ହୃଦୟର ସହ ଏହି ଲଢ଼େଇ ଲଢ଼ୁଛନ୍ତି କି ନାହିଁ ତାହାକୁ ନେଇ ପ୍ରଶ୍ନ ଉଠୁଛି। ଯଦି ରାଜ୍ୟର ନାରୀଙ୍କୁ ପ୍ରକୃତରେ ବିଜେଡି ନ୍ୟାୟ ଦେବାକୁ ଚାହୁଁଥାଏ ତା’ହେଲେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣୁ। କଂଗ୍ରେସ ଏହାକୁ ସମର୍ଥନ କରିବ। ନଚେତ୍ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଲେ, ବିଜେଡି ଏହାକୁ ସମର୍ଥନ ଦେଉ। ବିଜେଡି ଯଦି କିଛି କରିବ ନାହିଁ, ତା’ହାଲେ ନାରୀଙ୍କୁ ନ୍ୟାୟ ଦେବା ପାଇଁ ରାଜରାସ୍ତାରେ ଏଭଳି ମୂଲ୍ୟହୀନ ପ୍ରହସନ ବନ୍ଦ କରୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ନବୀନ ବାବୁ ସବୁବେଳେ ଅନ୍ଧକାର ଭିତରେ। ତାଙ୍କୁ ଭେଟିବାକୁ କେବଳ ଜଣଙ୍କୁ ଅନୁମତି ଅଛି। ଭଗବାନ କରନ୍ତୁ କଂଗ୍ରେସ ଆହ୍ୱାନ କରିଥିବା ଅନାସ୍ଥା ପ୍ରସ୍ତାବ ବିଷୟ ତାଙ୍କ ପାଖରେ ପହଞ୍ଚୁ।

Advertisment

ସରକାର ଭାଙ୍ଗିବାକୁ ପିସିସି ସଭାପତିଙ୍କ ରଣହୁଙ୍କାର

ବିରୋଧୀ ଦଳ ଭାବେ ଜନସାଧାରଣଙ୍କ ସ୍ବର ଉଠାଉଛି ବିଜେଡି: ଦେବୀ
ବିଜେଡି କାନ୍ଧରେ ଗୁଳି ଫୁଟାଇବାକୁ ଚାହୁଛି କଂଗ୍ରେସ: ବିଜେପି

ବରିଷ୍ଠ ନେତା ଶ୍ରୀକାନ୍ତ ଜେନା କହିଲେ, ସ୍ୱାଧୀନତାକୁ ୭୫ବର୍ଷ ବିତିଯାଇଥିଲେ ସୁଦ୍ଧା ଏଭଳି ଲଜ୍ଜାଜନକ ଘଟଣା ରାଜ୍ୟରେ ଘଟୁଛି। ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଲେ, ସ୍ୱତଃପ୍ରବୃତ ଭାବେ ରାଜ୍ୟର ଜନସାଧାରଣ ଯେଭଳି ଶାନ୍ତପୂର୍ଣ୍ଣ ବନ୍ଦକୁ ସଫଳ କଲେ। ରାଜ୍ୟର ଜନସାଧାରଣ ଅନ୍ୟାୟ ଓ ଅତ୍ୟାଚାରକୁ ବରଦାସ୍ତ କରିବେ ନାହିଁ ବୋଲି ଏହା ଲୋକମାନେ ଜଣାଇ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ତାରା ପ୍ରସାଦ ବାହିନୀପତି, ଦେବାଶିଷ ପଟ୍ଟନାୟକ, ଲଲାଟେନ୍ଦୁ ମହାପାତ୍ର, ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ଗଣମାଧ୍ୟମ ସେଲ୍‌ ଅଧ୍ୟକ୍ଷ ଅରବିନ୍ଦ ଦାସ ଓ ମୁଖପାତ୍ର ନିଶିକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। 

ଶ୍ରୀ ଦାସଙ୍କ ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି ଯେ ୧୩ ମାସରେ ସରକାରଙ୍କ ଉପରୁ ଜନସାଧାରଣଙ୍କ ଆସ୍ଥା କମି କମି ଯାଉଥିବା ପ୍ରତିଫଳିତ ହେଲାଣି। ବିଜେଡି ଦାୟିତ୍ବବାନ ବିରୋଧୀ ଦଳ ଭାବେ ଜନସାଧାରଣଙ୍କ ସ୍ବରକୁ ଉଠାଉଛି। ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ଦଳର ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୁଏ। ବିଧାନସଭା ଅଧିବେଶନ ନେଇ ବିଜ୍ଞପ୍ତି ଜାରି ହେଉ। ତା'ପରେ ଏହି ପ୍ରସଙ୍ଗରେ ମତ ଦେବା ଠିକ୍ ହେବ।  ବିଜେପି ବିଧାୟକ ସରୋଜ ପାଢ଼ୀ କହିଛନ୍ତି, ପିସିସି ସଭାପତିଙ୍କ ଏଭଳି ମନ୍ତବ୍ୟର କିଛି ମୂଲ୍ୟ ନାହିଁ। ଲୋକ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବିଜେଡି କାନ୍ଧରେ ବନ୍ଧୁକ ରଖି ଗୁଳି ଫୁଟାଇବାକୁ କଂଗ୍ରେସ ଚାହୁଁଛି। କଂଗ୍ରେସ ପାଖରେ ଗୁଳି ନାହିଁ କି ବନ୍ଧୁକ ବି ତାଙ୍କର ନୁହେଁ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।