ବାଇଗଣରେ ପଛେ ଘରକୁ ପୋକ ଆସୁ, କିନ୍ତୁ ପରିବାର ଭିତରକୁ କରୋନା ଭାଇରସ୍ ନ ଆସୁ ! ରାଜ୍ୟବାସୀଙ୍କୁ ପରିବା କିଣା ଟିପ୍ସ ଦେଲେ ବାଗଚୀ

ଭୁବନେଶ୍ୱର: ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ସଂକ୍ରମଣରୁ ନିଜ ପରିବାରକୁ ରକ୍ଷା କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ ଆଜି ରାଜ୍ୟବାସୀଙ୍କୁ ଦେଇଛନ୍ତି ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଟିପ୍ସ। ସେ କହିଛନ୍ତି ପରିବା କିଣିବା ବେଳେ ସାବଧାନତା ଅତ୍ୟନ୍ତ ଜରୁରୀ। ପରିବାରେ ହାତ ମାରିବା ବିପଦମୁକ୍ତ ନୁହେଁ।

ଶ୍ରୀ ବାଗଚୀ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ସେ ଆଳୁ ହେଉ କି ବାଇଗଣ ପରିବା କିଣିବା ବେଳେ ଆମେ ପ୍ରତ୍ୟେକଟି ପରିବାକୁ ଚିପି ବାଛି ବାଛି କିଣିଥାଉ। କିନ୍ତୁ, ବର୍ତ୍ତମାନ ପରିସ୍ଥିତିରେ ଏପରି କରିବାରେ ବିପଦ ରହିଛି। କାରଣ, କିଏ ଜାଣେ ଆପଣଙ୍କ ଏପରି ଅଭ୍ୟାସ ଦ୍ୱାରା ପରିବା ସହ ଆପଣଙ୍କ ଘରକୁ କରୋନା ଭୂତାଣୁ ନ ଆସିବ ବୋଲି। ତେଣୁ, ପରିବାରେ ହାତ ନ ମାରି ଦୋକାନୀ ଭାଇକୁ କହନ୍ତୁ ସିଏ ବାଛି ଓଜନ କରି ଆପଣଙ୍କ ବ୍ୟାଗରେ ପରିବା ଦେଇଦେବ। ସେ ବାଇଗଣରେ ପଛେ ପୋକ ଥାଉ; କିନ୍ତୁ ବାଇଗଣ ବାଟ ଦେଇ କରୋନା ଭୂତାଣୁ ଘରକୁ ନ ଆସୁ।

ଏହି ପନ୍ଥାକୁ ସମସ୍ତଙ୍କୁ ଅନୁସରଣ କରିବାକୁ ପରାମର୍ଶ ଦେବା ସହ ଶ୍ରୀ ବାଗଚୀ କହିଛନ୍ତି ଯେ ସମଗ୍ର ବିଶ୍ୱରେ ୧ ଲକ୍ଷ ଲୋକଙ୍କୁ କରୋନାରେ ଆକ୍ରାନ୍ତ ହେବାକୁ ଲାଗିଥିଲା ୩ ମାସ। କିନ୍ତୁ, ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷରୁ ୧୬ ଲକ୍ଷରେ ପହଞ୍ଚିବାକୁ ଲାଗିଲା ମାତ୍ର ଗୋଟିଏ ସପ୍ତାହ। ଏଥିରୁ କରୋନା ସଂକ୍ରମଣର ବ୍ୟାପକତା ସହଜରେ ଅନୁମେୟ ବୋଲି କହିଛନ୍ତି ଶ୍ରୀ ବାଗଚୀ।

ସମ୍ବନ୍ଧିତ ଖବର