ପୁରୀ: କାନ୍ଧରେ ଥିଲା ବାହୁଙ୍ଗି ଭାର। ବାହୁଙ୍ଗିର ଏପାଖେ ପୁଅ, ସେପାଖେ ଝୁଲୁଥିଲା କୁନି ଝିଅ। ତୁଣ୍ଡରୁ ସଞ୍ଚରି ଆସୁଥିଲା, ଝୁଲରେ ଜଗୁ ସୋନା ଝୁଲ..., ବାପା ବାହୁଙ୍ଗି କାନ୍ଧରେ ବସି ଝୁଲ...। ପୁଅ ଝିଅଙ୍କୁ ବାହୁଙ୍ଗିରେ କାନ୍ଧେଇ ଶ୍ରୀମନ୍ଦିରକୁ ଯାଉଥିବାର ଏ ଦୃଶ୍ୟରେ ଅଟକି ଯାଉଥିଲା ଭକ୍ତର ଆଖି। ଦୁଇ ପିଲା ଯେ ଚାଲିବାକୁ ସକ୍ଷମ ନଥିଲେ ସେ କଥା ନୁହେଁ, କିନ୍ତୁ ରୋଗଗ୍ରସ୍ତ ପୁଅ ଡାକ୍ତରଖାନା ଆଇସିୟୁରୁ ବାହାରିବା ପରେ ସେ ପୁଅକୁ ଭାରରେ ନେଇ ଧାଇଁ ଆସିଥିଲେ ଜଟଣୀରୁ ଶ୍ରୀକ୍ଷେତ୍ର। କାହିଁକି ନା ସେ ମହାପ୍ରଭୁଙ୍କୁ କଥା ଦେଇଥିଲେ, ପୁଅ ଭଲ ହେଲେ ସେ ଭାରରେ କାନ୍ଧେଇ ଦର୍ଶନ କରାଇବେ। ସେଇ ବାପା ଜଣଙ୍କ ହେଉଛନ୍ତି, ଅଜୟ କୁମାର ଖମାରୀ। ଘର ଜଟଣୀସ୍ଥିତ କୁସୁମାଟିରେ। ପୁଅ ରୋଗଗ୍ରସ୍ତ ହେବା ପରେ କିଛିଦିନ ଆଇସିୟୁରେ ଜୀବନମରଣ ସହ ସଂଘର୍ଷ କରୁଥିଲା। ପୁଅର ଅବସ୍ଥାରେ ଭାଙ୍ଗି ପଡ଼ିଥିଲେ ଅଜୟ। କିନ୍ତ ମହାପ୍ରଭୁଙ୍କ ଉପରେ ଅତୁଟ ଆସ୍ଥା ଥିଲା। ମହାପ୍ରଭୁ ଯେ ତାଙ୍କ ପୁଅକୁ ଭଲ କରିଦେବେ ସେନେଇ ପ୍ରାର୍ଥନା କରି ଆସୁଥିଲେ। ପୁଅ ଭଲ ହୋଇଗଲେ କାନ୍ଧରେ ବାହୁଙ୍ଗି ଭାର କରି ପୁଅକୁ ନେଇ ମହାପ୍ରଭୁଙ୍କ ଦର୍ଶନ କରାଇବେ ବୋଲି ମାନସିକ କରିଥିଲେ। ଯଦିଓ ବେଶି କିଛି ରୋଗଗ୍ରସ୍ତ ପୁଅ ବାବଦରେ କହିବାକୁ ଚାହିନଥିଲେ, ମାତ୍ର ମାନସିକ କରିଥିବାରୁ କାନ୍ଧ ଭାରରେ ଆଣିଥିବା କହିଥିଲେ।
ପୁଅ-ଝିଅଙ୍କୁ ଭାରରେ ଆଣିଲେ ଶ୍ରୀକ୍ଷେତ୍ର: ପୁଅ ଆଇସିୟୁରୁ ବାହାରିବା ପରେ ମାନସିକ କରି ବାହୁଙ୍ଗିରେ କାନ୍ଧେଇ ଦର୍ଶନ କରାଇଲେ ବାପା
/sambad/media/post_attachments/wp-content/uploads/2023/12/Man-Carries-His-Son-Daughter-To-Jagannath-Temple_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)