କିଶନନଗର: ୭୪ ବର୍ଷ ଧରି ମୃତ ଅବସ୍ଥାରେ ପଡ଼ି ରହିଥିବା ମହାନଦୀର ଶାଖା ନଦୀ ‘ସୁକ ପାଇକା’ ଜୀବନ୍ୟାସ ପାଇବାକୁ ଯାଉଛି। ଆୟତ୍ତପୁରଠାରୁ ମହାନଦୀରୁ ବାହାରି ୨୭.୫ କିଲୋମିଟର ପରେ ବାଙ୍କଳଠାରେ ପୁଣି ମହାନଦୀରେ ମିଶିଥିବା ‘ସୁକ ପାଇକା’ର ମୁହାଣ ଆଜି ଖୋଳାଯାଇଛି। ଆସନ୍ତାକାଲି ସ୍ଲୁଇସ୍‌ ଦେଇ ନଦୀ ମଧ୍ୟକୁ ମହାନଦୀର ପାଣି ଛଡ଼ାଯିବାକୁ ନିଷ୍ପତ୍ତି ହୋଇଛି। ‘ସୁକ ପାଇକା’ର ପୁନରୁଦ୍ଧାର ପାଇଁ ୪୯.୬୭୧୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ନଦୀ ପୁନରୁଦ୍ଧାର ପାଇଁ ୨୦୨୦, ଜାନୁଆରି ୧୮ ତାରିଖରେ ଜଳସମ୍ପଦ ଓ ରାଜସ୍ୱ ବିଭାଗ ପକ୍ଷରୁ ମିଳିତ ପରିଦର୍ଶନ କରାଯାଇ ଏହାକୁ ପ୍ରକଳ୍ପ ଭାବେ ଗ୍ରହଣ କରାଯାଇଥିଲା। ଏହି ପ୍ରକଳ୍ପକୁ ୨୦୨୧, ଏପ୍ରିଲ ୨୯ରେ ବନ୍ୟା ନିୟନ୍ତ୍ରଣ ବୋର୍ଡର ୧୩୩ତମ ରାଜ୍ୟ ବୈଷୟିକ ପରାମର୍ଶ କମିଟି ଅନୁମୋଦନ କରିଥିଲା। ସେହିପରି ରାଜ୍ୟ ସରକାରଙ୍କ ଉଚ୍ଚକ୍ଷମତାପ୍ରାପ୍ତ କମିଟି ‘ସୁକ ପାଇକା’ର ପୁନରୁଦ୍ଧାର ନିଷ୍ପତ୍ତିକୁ ଅନୁମୋଦନ କରିଥିବାବେଳେ ୨୦୨୩, ନଭେମ୍ବର ୧୦ ତାରିଖରେ ପୁନରୁଦ୍ଧାର କାର୍ଯ୍ୟର ଶିଳାନ୍ୟାସ କରାଯାଇଥିଲା। ଜମି ଅଧିଗ୍ରହଣ ସମସ୍ୟା ଏହି କାର୍ଯ୍ୟକୁ କିଛିଟା ବିଳମ୍ବ କରିଥିଲେ ବି ଶେଷରେ ଏହା ସଫଳ ହୋଇଛି।
ସ୍ଥାନୀୟ ବୋଧପୁର ଗ୍ରାମର ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ପ୍ରତାପ ଚନ୍ଦ୍ର ରଥଙ୍କ ନେତୃତ୍ୱରେ ୨୦୧୯ ମସିହାରୁ ‘ସୁକ ପାଇକା’ ବଞ୍ଚାଅ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହାକୁ ନେଇ ରାଜ୍ୟ ମାନବାଧିକାର କମିସନ ଓ ପରେ ଜାତୀୟ ସବୁଜ ପ୍ରାଧିକରଣ (ଗ୍ରିନ୍‌ ଟ୍ରିବ୍ୟୁନାଲ)ରେ ମାମଲା ରୁଜୁ ହୋଇଥିଲା। ‘ସୁକ ପାଇକା’ ବଞ୍ଚାଅ ଆନ୍ଦୋଳନର ସମ୍ପାଦକ ରୋଶନ ରଥ, ସୁଧୀର ରଞ୍ଜନ ଆଚାର୍ଯ୍ୟ, ହୃଷୀକେଶ ଜେନା, ଲିଲି ସାହୁ, ଅଭିମନ୍ୟୁ ବେହେରା, ଭାସ୍କରଚନ୍ଦ୍ର ସେନାପତି ଓ ସାମ୍ବାଦିକ ସୈୟଦ ସାଜିଦ ଅଲ୍ଲୀଙ୍କ ପକ୍ଷରୁ ଏହି ମାମଲା ଦାଏର ହୋଇଥିଲା। ରାଜ୍ୟ ସରକାର ଓ ପ୍ରଶାସନର ବିଭିନ୍ନ ବିଭାଗର ୧୨ ଜଣଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଥିଲା। ଏହି ନଦୀ ମୁହାଣ ବନ୍ଦ ହେବା ଫଳରେ ୨୬ଟି ପଞ୍ଚାୟତର ୪୨୫ଟି ଗ୍ରାମର ୧୦ ଲକ୍ଷ ଲୋକେ ପ୍ରଭାବିତ ହୋଇଥିବା, ଅନେକ ଲୋକେ ଜୀବିକା ହରାଇଥିବା, ନଦୀ ଅବବାହିକା କ୍ଷୟ ହେଉଥିବା, ନଦୀ ଜମି ଜବରଦଖଲ, ବାଲି ମାଟି ଚୋରି ଭଳି ପ୍ରସଙ୍ଗକୁ ନେଇ ଗ୍ରିନ୍‌ ଟ୍ରିବ୍ୟୁନାଲଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ମାମଲାର ଶୁଣାଣି କରି ‘ସୁକ ପାଇକା’ ମୁହାଣ ଖୋଲିବାକୁ ଗ୍ରିନ୍‌ ଟ୍ରିବ୍ୟୁନାଲ ୨୦୨୨ ସେପ୍ଟେମ୍ବର ୨୮ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶିଶିର ଦାସ ଓ  ଆଇନଜୀବୀ ପ୍ରଭୁ ପ୍ରସନ୍ନ 
ବେହେରା ମାମଲା ପରିଚାଳନା କରୁଥିଲେ।