ଦେଶୀ ଘିଅକୁ ବିଦେଶରେ ପହଞ୍ଚା‌ଇବି: ଚକ୍ରଧର ତ୍ରିପାଠୀ

କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, କୋରାପୁଟର କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି ପ୍ରଫେସର ଚକ୍ରଧର ତ୍ରିପାଠୀ। ଅଧୁନା ପଶ୍ଚିମବଙ୍ଗର ବିଶ୍ବଭାରତୀ ଶାନ୍ତିନିକେତନର ହିନ୍ଦୀ ବିଭାଗର ପ୍ରଫେସର ଥିବା ଶ୍ରୀ ତ୍ରିପାଠୀ ଏହି ବିଶ୍ବବିଦ୍ୟାଳୟର ବିକାଶ ଲାଗି ଅନେକ ସ୍ବପ୍ନ ଦେଖିଛନ୍ତି। ଆଦିବାସୀ ଅଧୁଷିତ ଅଞ୍ଚଳରେ ଥିବା ଏହି ବିଶ୍ବବିଦ୍ୟାଳୟକୁ ନିଜ କାର୍ଯ୍ୟକାଳ ମଧ୍ୟରେ ଅନ୍ତର୍ଜାତୀୟ ମାନର କରିବାକୁ ସେ ଲକ୍ଷ୍ୟ ରଖିଥିବା ‘ସମ୍ବାଦ’ ସାମ୍ବାଦିକ କେଶବ ପାଣିଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର ବେଳେ କହିଛନ୍ତି।

ପ୍ରଫେସର ପଦବି ପୂରଣ ଦିଗରେ ଆପଣଙ୍କ ପ୍ରଥମ ପଦକ୍ଷେପ କ’ଣ ରହିବ?
ସେଠାରେ ଶିକ୍ଷକ ପଦବି ଖାଲି ପଡ଼ିବା ଚିନ୍ତାର ବିଷୟ। ତାହାକୁ ନଜରରେ ରଖି ଯୋଗଦେବାର ଏକ ମାସ ମଧ୍ୟରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ଯୋଜନା ପ୍ରସ୍ତୁତ କରିଛି। ‌ଚଳିତ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପାଠପଢ଼ା ସ୍ବାଭାବିକ କରିବା ସହ ପାଠ୍ୟକ୍ରମ ଶେଷ କରିବା ଲାଗି ଏକ ମାସ ମଧ୍ୟରେ ପ୍ରତି ବିଭାଗରେ ଜଣେ ଲେଖାଏ ଏମିନିଏଣ୍ଟ ପ୍ରଫେସରଙ୍କୁ ଅଣାଯିବ। ୬ରୁ ୮ ମାସ ମଧ୍ୟରେ ୧୪ଟି ବିଭାଗରେ ଖାଲି ପଡ଼ିଥିବା ଶିକ୍ଷକ ପଦବି ପୂରଣ କରିବା ଦିଗରେ ପଦକ୍ଷେପ ନେବି। ୨୦୨୩ ଜୁଲାଇରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ। ତା ପୂର୍ବରୁ ନୂଆ କରି ୬ଟି ବିଭାଗରେ ନିଯୁକ୍ତି ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖିଛି।

କୋରାପୁଟ ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବାରୁ ସେଠାକାର ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ଦିଗରେ କିଭଳି କାର୍ଯ୍ୟ କରିବେ?
ମୋର ମୂଳ ଲକ୍ଷ୍ୟ ହେଲା ଭାରତର ଆଦିବାସୀ ଅଧ୍ୟୟନକୁ ଗୋଟିଏ ଦିସା ଦେବା। ସେଦିଗରେ କାର୍ଯ୍ୟ କରିବି। ଆମେରିକା, ଆଫ୍ରିକା ଆଦି ମହାଦେଶର ଯେଉଁ ଆଦିବାସୀଙ୍କ ସଂସ୍କୃତି, ସଭ୍ୟତା, କଳାକୁ ଭାରତୀୟ ତଥା ଓଡ଼ିଶାର ଆଦିବାସୀଙ୍କ ସଂସ୍କୃତି, ପରମ୍ପରାକୁ ମିଶାଇ କିଭଳି ଅଧିକ ଗବେଷଣା କରାଯାଇପାରିବ ସେଦିଗରେ ପଦ‌କ୍ଷେପ ନେବି। ବିଶେଷକରି ଓଡ଼ିଶାକୁ ଅନ୍ତଜାର୍ତୀୟ ସ୍ତରରେ କିଭଳି ଯୋଡ଼ି ହେବ ତାହା ମୋର ପ୍ରଥମ କର୍ତବ୍ୟ ରହିବ। ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାକୁ ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରିବି।

ଗବେଷଣାକୁ କେତେ ଗୁରୁତ୍ବ ଦେବେ?
ଗୋଟିଏ ବିଶ୍ବବିଦ୍ୟାଳୟ ବିକାଶରେ ଗବେଷଣା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଓଡ଼ିଶା ଏକ କୃଷି ପ୍ରଧାନ ଦେଶ ହୋଇଥିବାରୁ ମୋର ବଡ଼ ସ୍ବପ୍ନ ରହିଛି ଯେ ଘିଅ ଉତ୍ପାଦନକୁ କିଭଳି ଅଧିକ ବଢ଼ାଯାଇପାରିବ। ଓଡ଼ିଶାର ଦେଶୀ ଘିଅ ବିଦେଶରେ ପହଞ୍ଚିପାରିବ। ସେଥିପାଇଁ ରାଜ୍ୟ ସରକାରଙ୍କ ସହଯୋଗ, ସାହାଯ୍ୟ ନେଇ କାର୍ଯ୍ୟ କରିବି।

ଦେଶର ଅନ୍ୟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ତୁଳନାରେ ଏହା ବହୁ ପଛରେ ପଡ଼ିଛି। ତାହାକୁ କିଭଳି ମଜବୁତ କରିବେ?
ବିଶ୍ବବିଦ୍ୟାଳୟର ଶୈକ୍ଷିକସ୍ତର ଉପରକୁ ଉଠାଇବାକୁ ସବୁ ପ୍ରକାର ପ୍ରୟାସ କରିବି। ଭିତ୍ତିଭୂମି ବିକାଶ ସହ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ସମସ୍ତଙ୍କ ସହଯୋଗରେ କାର୍ଯ୍ୟ କରିବି। ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦କୁ ଆଧାରରେ ଏହି କ୍ୟାମ୍ପସର ବିକାଶ କରିବାକୁ ଲକ୍ଷ୍ୟ ରଖିଛି।

ଯୋଗଯୋଗ ଠିକ୍‌ ନ ଥିବାରୁ କ୍ୟାମ୍ପସର ବିକାଶ ହେଉ ନାହିଁ କି?
ସେମିତି କିଛି ନୁହେଁ। କ୍ୟାମ୍ପସ ଯେଉଁଠି ବି ଥାଉ। ପାଠପଢ଼ା ଭଲ ହେଲେ ପିଲା ନିଶ୍ଚିତ ଆସିବେ। ଶୁଣିବାକୁ ମିଳୁଛି ଯେ ଖୁବ୍‌ଶୀଘ୍ର ଜୟପୁରକୁ ବିମାନ ସେବା ଆରମ୍ଭ ହେବ। ରେଳ ଯୋଗା‌ଯୋଗ ରହିଛି। ଭୁବନେଶ୍ବରରେ ଏକ କ୍ୟାମ୍ପ ଅଫିସ ରହିଛି। ସେଠାରେ ସେଲ୍ଫ ଫାଇନାନ୍ସିଂ ମୋଡ୍‌ରେ ବିଦେଶୀ ଭାଷାରେ ପାଠ୍ୟକ୍ରମ ଖୋଲିପାରିଲେ ବହୁ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ।

ସମ୍ବନ୍ଧିତ ଖବର