ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଗୋଟିଏ ଗାଁ ବାଇଗଣ ଚାଷକୁ ନେଇ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିଛି। ଫୁଲବାଣୀ ବ୍ଲକ୍‌ ଅନ୍ତର୍ଗତ କଟ୍ରିଙ୍ଗିଆ କୁମ୍ଭାରସାହିର ପ୍ରାୟ ସବୁ ଚାଷୀ ନିଜ ନିଜ ବିଲରେ ବାଇଗଣ ଚାଷ କରି ଆର୍ଥିକ ସ୍ବାବଲମ୍ବୀ ହୋଇ ପାରିଛନ୍ତି। ଏହି ଗାଁର ନରୋତ୍ତମ ସାହୁ ପ୍ରାୟ ତିନି ଏକର ଜମିରେ ବାଇଗଣ ଚାଷ କରିଥିବା ବେଳେ ବିପିନ ରଣା ମଧ୍ୟ ତିନି ଏକର ଜମିରେ ବାଇଗଣ ଚାଷ କରିଛନ୍ତି। ସେହିଭଳି ଗାଁର ଆନନ୍ଦ ରଣା, ଭାଗ୍ୟବନ୍ତ ରଣା, ନିତ୍ୟାନନ୍ଦ ରଣା, ପ୍ରତାପ ରଣା, ବିରଞ୍ଚି ରଣା, ସାରସ୍ବତ ରଣା, ସଦାନନ୍ଦ ରଣା ପ୍ରମୁଖ ଦୁଇ ଏକର ଲେଖାଏ ଜମିରେ ବାଇଗଣ ଚାଷ କରିଛନ୍ତି। ଗାଁ ଚାରିପାଖେ ଯୁଆଡ଼େ ଚାହିଁବ, ସବୁଠି ବାଇଗଣ କ୍ଷେତ। କଟ୍ରିଙ୍ଗିଆ କୁମ୍ଭାରସାହି ବାଇଗଣ ଚାଷ କ୍ଷେତ୍ରରେ ବେଶ ଖ୍ୟାତି ଅର୍ଜନ କରିପାରିଛି। ଏବେ ଅମଳ ଋତୁ ଆରମ୍ଭ ହୋଇଯାଇ ଥିବାରୁ ଗାଁରୁ ଟନ୍‌ ଟନ୍‌ ବାଇଗଣ ଉତ୍ପାଦନ ହେଉଛି। ଏହି ଗାଁରୁ ଅମଳ ହେଉଥିବା ବସ୍ତା ବସ୍ତା ବାଇଗଣ ଫୁଲବାଣୀ ସମେତ ବ୍ରହ୍ମପୁର, ନୟାଗଡ଼, ଭୁବନେଶ୍ବର ଆଦି ସ୍ଥାନକୁ ଚାଲାଣ ହେଉଛି ବୋଲି କହନ୍ତି ସଫଳ ବାଇଗଣ ଚାଷୀ ନରୋତ୍ତମ ସାହୁ। କଟ୍ରିଙ୍ଗିଆର କଳା ବାଇଗଣର ସୁଆଦ ମଧ୍ୟ ନିଆରା ହୋଇଥାଏ। ବର୍ତ୍ତମାନ ବଜାରରେ ବାଇଗଣ କିଲୋ ପ୍ରତି ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଏମାନଙ୍କଠାରୁ କିଲୋ ପ୍ରତି ୨୦ ଟଙ୍କାରେ ବେପାରୀମାନେ କିଣି ନେଉଛନ୍ତି ବୋଲି କହନ୍ତି ଅନ୍ୟ ଜଣେ ବାଇଗଣ ଚାଷୀ ବିପିନ ରଣା। ଏହି ଗାଁର ସବୁ ଚାଷୀ ବାଇଗଣ ଚାଷକୁ ଆଦରି ନେଇଛନ୍ତି। କାଁ ଭାଁ ଚାଷୀ ବାଇଗଣ ବ୍ୟତୀତ ଲଙ୍କା, ପିଆଜ, କୋବି ଚାଷ କରିଛନ୍ତି। ବାଇଗଣ ଫସଲ ପାଇଁ ଏହି ଗାଁ ସମଗ୍ର ଜିଲ୍ଲାରେ ବେଶ ସୁନାମ ଅର୍ଜନ କରିପାରିଛି।

Advertisment

ଏତେ ପରିମାଣରେ ବାଇଗଣ ଚାଷ ପାଇଁ ଜଳସେଚନ କିଛି ମାତ୍ରାରେ ସମସ୍ୟା ସୃଷ୍ଟି କରିଛି। ସବୁଠୁ ବଡ଼ କଥା ହେଉଛି, ଏହି ଗାଁ ଦେଇ କୌଣସି ନଈ କି ଝରଣା ଯାଇନାହିଁ। କିମ୍ବା ପ୍ରାକୃତିକ ଜଳଉତ୍ସ ମଧ୍ୟ ନାହିଁ। ଏହି ଗାଁର ଚାରି ପାଞ୍ଚ ଜଣ ଚାଷୀ ମିଳିତ ଭାବେ ନିଜସ୍ବ ଉଦ୍ୟମରେ ଗୋଟିଏ ଲେଖାଏ ବଡ଼କୂଅ ଖୋଳିଛନ୍ତି। ଏ ଗାଁରେ ପାଖାପାଖି ୫ଟି କୂଅ ଅଛି। ଏହି କୂଅରେ ମୋଟର ପମ୍ପ ଲଗାଇ ଚାଷୀମାନେ ନିଜନିଜ ବିଲକୁ ବହୁ କଷ୍ଟରେ ପାଣି ସେଚନ କରିଥାନ୍ତି। ମାତ୍ର, ଖରାଦିନେ କୂଅଗୁଡ଼ିକ ଶୁଖି ଯାଉଥିବାରୁ ଜଳସେଚନ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଏ। ଏହି ଗାଁର ପାଖାପାଖି ୨୦୦ ଏକର ଜମିରେ ବାଇଗଣ ଫସଲ ଓ ଅନ୍ୟାନ୍ୟ ପନିପରିବା ଚାଷ ହୋଇଥାଏ। ଗାଁର ଲୋକମାନେ କେବଳ ଚାଷ ଉପରେ ନିର୍ଭର କରି ବଞ୍ଚିଥାନ୍ତି।

ବର୍ଷତମାମ ଗାଁର ଚାଷୀମାନେ ଚାଷ କରିଥାନ୍ତି। ମାତ୍ର ଉପଯୁକ୍ତ ଜଳସେଚନର ସୁବିଧା ନଥିବାରୁ ଗ୍ରୀଷ୍ମଋତୁରେ ଚାଷୀମାନେ ହାତବାନ୍ଧି ବସିଥାନ୍ତି। କେବଳ ଶୀତ ଋତୁରେ କୂଅ ପାଣିକୁ ଭରସା କରି ଚାଷୀମାନେ ବାଇଗଣ ସମେତ ଅନ୍ୟାନ୍ୟ ପନିପରିବା ଚାଷ କରିଥାନ୍ତି। ଏହି ଗାଁର ଚାଷୀମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଯଦି ଗଭୀର ନଳକୂପ ଖନନ କରାଯାଇ ପାରନ୍ତା ତେବେ ଗାଁର ଚାଷୀମାନେ ଉପକୃତ ହୋଇପା‌ରନ୍ତେ। ଉଠା ଜଳସେଚନ ବିଭାଗ ପକ୍ଷରୁ ବିଭିନ୍ନ ଗାଁର ଚାଷୀମାନଙ୍କୁ ମାଗଣାରେ ଗଭୀର ନଳକୂପ ଯୋଗେଇ ଦିଆଯାଉଛି, ମାତ୍ର କଟ୍ରିଙ୍ଗିଆର କୁମ୍ଭାରସାହିର ଚାଷୀମାନେ ଏଥିରୁ ବଞ୍ଚିତ ହେଉଛନ୍ତି। ଅନ୍ୟପଟେ ଗାଁର ଚାଷୀମାନଙ୍କୁ ଆଉ କେତୋଟି ବୃହତ୍‌ ତଥା ଗଭୀର କୂଅ ଖନନ କରାଇ ଦିଆଗଲେ ମଧ୍ୟ ଚାଷୀ ଉପକୃତ ହୋଇପାରନ୍ତେ। ଏହା ସାଙ୍ଗକୁ ଏମାନଙ୍କୁ ପାଣି ପମ୍ପ ରିହାତି ଦରରେ ଯୋଗେଇ ଦିଆଯିବାକୁ ଦାବି ହୋଇଛି। ଏହି ଗାଁର ଚାଷୀମାନଙ୍କୁ ଉଠାଜଳସେଚନ ବିଭାଗ ପକ୍ଷରୁ ତୁରନ୍ତ ଗଭୀର ନଳକୂପ ଯୋଗେଇ ଦେବାକୁ ସ୍ଥାନୀୟ ଶ୍ରମିକ ନେତା ଘନ କୁମାର ଶବର ଦାବି ଜଣାଇଛନ୍ତି।