ବିଲରେ ସଢ଼ୁଛି ବାଇଗଣ

ବରଗଡ଼: ଦର୍ଲିପାଲି ଓ ନାରଙ୍ଗପୁରରେ ସ୍ଥିତି ଦୟନୀୟ

ବରଗଡ଼ : ଟମୋଟୋ ଭଳି ବାଇଗଣ ଚାଷୀ ମଧ୍ୟ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିବା ପରିଲକ୍ଷିତ ହୋଇଛି। ଦୁଇ ମାସ ତଳେ ବାଇଗଣ କିଲୋ ୨୫ରୁ ୩୦ ଟଙ୍କାରେ ବିକ୍ରି ହେଉଥିଲା। ଯାହା ତିନି ଚାରି ଦିନ ହେଲା ଖସି ୭ରୁ ୮ଟଙ୍କା ଯାଏଁ ପହଂଚିଛି। ତେବେ ବେପାରୀମାନେ ବେଶୀ ପରିମାଣରେ ମାଲ୍‌ ଉଠାଇଲେ କିଲୋ ପିଛା ୫ ଟଙ୍କାରେ ବାଇଗଣ ମିଳିଯାଉଛି। ତେବେ ଚାଷୀଙ୍କ ଠାରୁ ମାତ ୩/୪ ଟଙ୍କାରେ ବାଇଗଣ କିଣା ଯାଉଛି। ସ୍ଥିତି ଏଭଳି ଯେ ଜିଲ୍ଲାର ଅଧିକାଂଶ ସ୍ଥାନରେ ଚାଷୀ ଆଉ ବିଲରୁ ବାଇଗଣ ତୋଳୁ ନାହାନ୍ତି। ଯିଏ ଯେତିକି ପାରିଲା ବାଇଗଣ ଛିଣ୍ଡାଇ ନେଉଛନ୍ତି। ଗଛରେ ଲାଖି ରହିଥିବା ବାଇଗଣ ଗାଈଗୋରୁ ଖାଉଥିବା ମଧ୍ୟ ଦେଖା ଦେଲାଣି। ଜିଲ୍ଲାର ବିଭିନ୍ନ ବ୍ଲକରେ ବାଇଗଣ ଚାଷ ହେଉଛି। ହେଲେ ଅମ୍ବାଭୋନା ବ୍ଲକ ରୁଚିଦା ପଞ୍ଚାୟତ ଅନ୍ତର୍ଗତ ଦର୍ଲିପାଲି ଏବଂ ଅନତି ଦୂରରେ ଥିବା ନାରଂଗପାଲିର ବାଇଗଣର ଚାହିଦା ରହିଛି।

କ୍ରମାଗତ ମରୁଡ଼ି ପରିସ୍ଥିତି ଜିଲ୍ଲାର ଚାଷୀଙ୍କ ମେରୁଦଣ୍ଡ ଭାଂଗି ଦେଇଥିବା ବେଳେ ଚାଷୀଙ୍କ ଆର୍ଥିକ ବିକାଶ ପାଇଁ ବିକଳ୍ପ ଚାଷ ଉପରେ ସରକାର ଗୁରୁତ୍ୱାରୋପ କରୁଛନ୍ତି। ଧାନ ବ୍ୟତୀତ ଜିଲ୍ଲାର ଅଧିକାଂଶ ବ୍ଲକର ଚାଷୀ ପରିବା ଚାଷ ଆଡ଼କୁ ମୁହାଁଇଛନ୍ତି। କିନ୍ତୁ ବଜାର ବ୍ୟବସ୍ଥା ଏବଂ ଶୀତଳ ଭଣ୍ଡାର ଅଭାବରୁ ଚାଷୀ ଦଲାଲଙ୍କ ହାତରେ ପଡ଼ି ଲୁଣ୍ଠିତ ହେଉଛନ୍ତି। ଦର୍ଲିପାଲି ଏବଂ ନାରଂଗପାଲିର ଚାଷୀ କଠୋର ପରିଶ୍ରମ କରି ବମ୍ପର ବାଇଗଣ ଉତ୍ପାଦନ କରୁଛନ୍ତି। ଏଥର ବି ପ୍ରଚୁର ବାଇଗଣ ଉତ୍ପାଦନ ହୋଇଛି। ତେବେ ଶୀତଳ ଭଣ୍ଡାର ନଥିବାରୁ ଅଭାବୀ ବିକ୍ରି ଆଶଂକାରେ ଚାଷୀମାନେ ମୂଳରୁ ହିଁ ଅତି ଶସ୍ତା ଦରରେ ବାଇଗଣ ବଡ଼ ବେପାରୀଙ୍କ ହାତକୁ ଟେକି ଦେଉଛନ୍ତି। ବର୍ତମାନ ସେଠାରୁ ଦଲାଲମାନେ ବାଇଗଣ କିଲୋ ପିଛା ୨ରୁ ୩ଟଙ୍କା ଦରରେ ଚାଷୀଙ୍କ ଠାରୁ କିଣୁଛନ୍ତି। ଏହାର ୫୦ ପ୍ରତିଶତ ବାଇଗଣ କେବଳ ଛତିଶଗଡ଼ ବଜାରକୁ ପ୍ରବେଶ କରୁଛି। ଏହାବାଦ ରାଜଧାନୀ ଭୁବନେଶ୍ୱରକୁ ମଧ୍ୟ ବାଇଗଣ ପହଂଚୁଛି। ଏଭଳି ସ୍ଥିତିରେ ଦଲାଲମାନେ ମାଲେମାଲ ହେଉଥିବା ବେଳେ ଚାଷୀ କଂଗାଳ ହୋଇଯାଉଛି।

କେବଳ ବାଇଗଣ ନୁହଁ, ଆଳୁ, ସୋରିଷ, ଗହମ ଚାଷରେ ମଧ୍ୟ ଦର୍ଲିପାଲି ଏବଂ ନାରଂଗପାଲିର ନାଁ ରହିଛି। ଏହି ଦୁଇଟି ଗାଁରେ ମୋଟାମୋଟି ୧୦ଟି କିସମର ପରିବା ପ୍ରଚୁର ମାତ୍ରାରେ ଉତ୍ପାଦନ ହେଉଛି। ପାଣିର ସ୍ଥାୟୀ ବ୍ୟବସ୍ଥା ନଥିବାରୁ ଚାଷକାମ ଗଭୀର ନଳକୂପ ଉପରେ ହିଁ ନିର୍ଭର କରୁଛି। କିନ୍ତୁ ଜଳସ୍ତର ଖସୁଥିବାରୁ ଠିକଣା ସମୟରେ ପାଣି ଉପଲବ୍ଧ ହେଉନାହିଁ। ସେହିପରି ଏହି ଅଞ୍ଚଳକୁ ଦୁଇବର୍ଷ ହେଲା କୌଣସି କୃଷି ବିଭାଗର ଅଧିକାରୀ କିମ୍ବା କର୍ମଚାରୀ ପାଦ ପଡ଼ିନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ବଜାର ବ୍ୟବସ୍ଥା ଏବଂ ଶୀତଳ ଭଣ୍ଡାର ନଥିବାରୁ ଅତିଶସ୍ତା ଦରରେ ଚାଷୀ ପରିବା ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।

ସମ୍ବନ୍ଧିତ ଖବର