ରାଜଧାନୀ‌ରେ ଆଲୋଡ଼ନ, ବ୍ରିଟେନ୍‌ ଫେରନ୍ତାଙ୍କୁ କରୋନା

କୋଭିଡ୍‌ ହସ୍ପିଟାଲରେ ସ୍ବତନ୍ତ୍ର ୱାର୍ଡରେ ଚିକିତ୍ସା ଆରମ୍ଭ, ଷ୍ଟ୍ରେନ୍ ଜାଣିବା ପାଇଁ ନମୁନା ଆର୍‌ଏମ୍‌ଆର୍‌ସିକୁ ପଠାଗଲା

ଭୁବ‌େନଶ୍ବର: ବ୍ରିଟେନରେ ନୂଆ କରୋନା ଭୂତାଣୁ ଷ୍ଟ୍ରେନ୍‌ ସାର୍ସ କୋଭ୍‌-୨ (ବି.୧.୧.୭) ଚିହ୍ନଟ ହେବା ପରେ ଚାରିଆଡ଼େ ପୁଣି କରୋନା ଭୟ ଖେଳିଯାଇଛି। ସବୁଠି ଏବେ ବ୍ରିଟେନ୍ ଫେରନ୍ତାଙ୍କୁ ଖୋଜା ଚାଲିଥିବା ବେଳେ ଭୁବନେଶ୍ବରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନନ୍ଦନବିହାରର ୩୪ବର୍ଷୀୟ ଏହି ଯୁବକ ଜଣକ ଗତ ୧୮ତାରିଖରେ ବ୍ରିଟେନରୁ ଦିଲ୍ଲୀ ହୋଇ ଭୁବନେଶ୍ବର ଫେରିଥିଲେ। ସେ ବ୍ରିଟେନରୁ ଫେରିଥିବାରୁ ଏକ ଘରୋଇ ଲାବରେଟୋରିରେ ‌କୋଭିଡ୍‌ ପରୀକ୍ଷା କରିଥିଲେ। ଆଜି ତାଙ୍କର ପଜିଟିଭ୍ ରିପୋର୍ଟ ଆସିଛି। ରାଜଧାନୀରେ ବ୍ରିଟେନ୍ ଫେରନ୍ତା କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଲୋକ ଭୟଭୀତ ହୋଇଯାଇଛନ୍ତି। ବ୍ରିଟେନରେ ନୂଆ କରୋନା ଭୂତାଣୁ ଷ୍ଟ୍ରେନ୍ ଚିହ୍ନଟ ହେବା ପରେ ଲକ୍‌ଡାଉନ୍‌ ଘୋଷଣା ହୋଇଥିବାରୁ ଭୁବନେଶ୍ବରରେ ଲକ୍‌ଡାଉନ୍‌ ହୋଇଯିବନି ତ ସେ ଭୟ ଏବେ ଲୋକଙ୍କୁ ଘାରିଛି। କେବଳ ବ୍ରିଟେନ୍ ନୁହେଁ, ସମସ୍ତ ବିଦେଶ ଫେରନ୍ତାଙ୍କର କରୋନା ପରୀକ୍ଷା କରିବାକୁ ଏବେ ବିଏମ୍‌ସି ଯୋଜନା କରୁଛି।

ପରିବାରର ତିନି ସଦସ୍ୟଙ୍କର ବି ନମୁନା ଗଲା, ଏବେ ଲକ୍‌ଡାଉନ୍‌ କି ସଟ୍‌ଡାଉନ୍ ହେବନି

ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ନନ୍ଦନବିହାରର ଜଣେ ବ୍ରିଟେନ୍ ଫେରନ୍ତା ଯୁବକ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ତାଙ୍କୁ ଖଣ୍ଡଗିରି ନିକଟସ୍ଥ ଏକ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ଅନ୍ୟ କରୋନା ଆକ୍ରାନ୍ତଙ୍କ ଠାରୁ ଅଲଗା ରଖାଯାଇଛି। ସଂପୂର୍ଣ୍ଣ ପୃଥକବାସରେ ରଖି ଚିକିତ୍ସ‌ା କରାଯାଉଛି। ତାଙ୍କ ନମୁନାରେ ବ୍ରିଟେନରେ ଚିହ୍ନଟ ହୋଇଥିବା ନୂଆ ଭୂତାଣୁ ଅଛି ନା ପୁରୁଣା କରୋନା ଭୂତାଣୁ ଷ୍ଟ୍ରେନ୍ ଅଛି ତାହା ଜାଣିବା ପାଇଁ ଆର୍‌ଏମ୍‌ଆର୍‌ସିକୁ ପରୀକ୍ଷା ପାଇଁ ପଠାଯାଇଛି। ଏହି ରିପୋର୍ଟ ଆସିବା ପରେ ଆଗାମୀ ପଦକ୍ଷେପ ନିଆଯିବ। ନୂଆ ଭୂତାଣୁ ସମ୍ପର୍କରେ ଅଧିକ ଚିକିତ୍ସା ପଦ୍ଧତି ବାହାରିନଥିବାରୁ ତାଙ୍କର ପୂର୍ବ ପଦ୍ଧତିରେ ଚିକିତ୍ସା କରାଯାଉଛି, କିନ୍ତୁ ପୃଥକ ରଖାଯାଇଛି। ହସ୍ପିଟାଲରେ ଏକ ସ୍ବତନ୍ତ୍ର ୱାର୍ଡରେ, ସ୍ବତନ୍ତ୍ର ଡାକ୍ତରୀ ଦଳ ଦ୍ବାରା ଏବେ ଚିକିତ୍ସା କରାଯାଉଛି।

ସେହିପରି ଉକ୍ତ ଯୁବକଙ୍କ ପରିବାରର ତିନି ସଦସ୍ୟ ଯଥା ତାଙ୍କ ବାପା, ମା’ ଓ ପତ୍ନୀଙ୍କର କୋଭିଡ୍‌ ପରୀକ୍ଷା କରାଯାଇଛି। ଯୁବକ ଜଣକ ପରିବାର ଲୋକଙ୍କ ସଂସ୍ପର୍ଶରେ ଆସିବା ସହ ଘରେ ସଙ୍ଗରୋଧରେ ଥିଲେ। ତେଣୁ ସମସ୍ତ ପରିବାର ଲୋକଙ୍କର ନମୁନା ସଂଗ୍ରହ କରାଯାଇଛି। ବର୍ତ୍ତମାନ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କର ଆଉ କୌଣସି ବ୍ୟକ୍ତି ପ୍ରାଇମେରି କି ସେକେଣ୍ଡାରି କଣ୍ଟାକ୍ଟରେ କେହି ଆସିନାହାନ୍ତି। ତେଣୁ ଆଉ କାହାର କରୋନା ପରୀକ୍ଷା କରାଯାଇନି। ବିଏମ୍‌ସି ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଏବେ ଭୁବନେଶ୍ବରରେ ଲକ୍‌ଡାଉନ୍ କି ସଟ୍‌ଡାଉନ୍ ହେବନି। ଯଦି ବ୍ରିଟେନ୍ ଫେରନ୍ତା ଯୁବକଙ୍କ ଠାରେ ନୂଆ ଭୂତାଣୁ ଦେଖାଯାଏ ଏବଂ ଆଉ କିଛି ଲୋକ ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବ ତେବେ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ନେଇ ପରବର୍ତ୍ତୀ ସମୟରେ ପଦକ୍ଷେପ ନିଆଯାଇପାରେ। ବର୍ତ୍ତମାନ ସୁଦ୍ଧା କିଛି ନିଷ୍ପତ୍ତି ହୋଇନି।

ସମ୍ବନ୍ଧିତ ଖବର