ବ୍ରିଟିଶ କାଉନ୍‌ସିଲ୍‌ର ‘ଗ୍ରେଟ୍‌ ଟକ୍‌ସ’ : ଆଷ୍ଟ୍ରୋବାୟୋଲୋଜିକୁ ଜାଣିଲେ ଓଡ଼ିଆ ଛାତ୍ରଛାତ୍ରୀ

ଚନ୍ଦ୍ରଯାନ-୨କୁ ବ୍ରିଟେନ ବୈଜ୍ଞାନିକଙ୍କ ପ୍ରଶଂସା, ଅନ୍ୟ ଗ୍ରହରେ ଜୀବସତ୍ତାର ସନ୍ଧାନ ସଂକ୍ରାନ୍ତୀୟ ବିଜ୍ଞାନ ହେଉଛି ଆଷ୍ଟ୍ରୋ‌ବାୟୋଲୋଜି

ଭୁବନେଶ୍ବର : ଅନ୍ୟ ଗ୍ରହଣରେ ଜୀବସତ୍ତା ଅଛି ନା ନାହିଁ ତାହା ଜାଣିବା ଲାଗି ସାରା ବିଶ୍ବର ବୈଜ୍ଞାନିକମାନେ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ସେହି ପ୍ରକ୍ରିୟାରେ ଓଡ଼ିଶାର ଛାତ୍ରଛାତ୍ରୀ ମଧ୍ୟ ସାମିଲ ହୋଇପାରିବେ। ଅନ୍ୟ ଗ୍ରହରେ ଜୀବନ ଖୋଜିବା କ୍ଷେତ୍ରରେ କ୍ୟାରିଅର ଗଠନ କରିବା ଲାଗି କ’ଣ କରିବାକୁ ପଡ଼ିବ ତାହା ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଅବଗତ କରିବା ପାଇଁ ବ୍ରିଟିଶ୍ କାଉନ୍‌ସିଲ୍ ପକ୍ଷରୁ ଆୟୋଜନ କରାଯାଇଛି ‘ଗ୍ରେଟ୍‌ ଟକ୍’। ଏଥିରେ ସାମିଲ ହୋଇ ବ୍ରିଟେନର ବିଶିଷ୍ଟ ମହାକାଶ ବିଜ୍ଞାନୀ ତଥା ଲେଖକ ଲୁଇସ୍ ଡାର୍ଟନେଲ୍ ରାଜ୍ୟର ୩୦ ଜିଲ୍ଲାର ୬୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ‘ଆଷ୍ଟ୍ରୋବାୟୋଲୋଜି’ର ଗୁରୁତ୍ବ ବିଷୟରେ ଅବଗତ କରିଛନ୍ତି। ଅନ୍ୟ ଗ୍ରହରେ ଜୀବସତ୍ତାର ସନ୍ଧାନ କରିବା ଲାଗି ବ୍ୟବହାର ହେଉଥିବା ବିଜ୍ଞାନକୁ ଆଷ୍ଟ୍ରୋବାୟୋଲୋଜି କୁହାଯାଉଛି। ଏହା ହେଉଛି ମହାକାଶ ବିଜ୍ଞାନ ଓ ଜୀବ ବିଜ୍ଞାନ ସହିତ ପଦାର୍ଥ ବିଜ୍ଞାନ ଆଦିର ମିଶ୍ରଣରେ ସୃଷ୍ଟି ହୋଇଥିବା ଏକ ଶୃଙ୍ଖଳା ଯାହା ବ୍ରିଟେନ୍‌ର ୱେଷ୍ଟମିନିଷ୍ଟର୍‌ ୟୁନିଭର୍ସିଟିରେ ଉପଲବ୍ଧ ହେଉଛି।

ଆଜି ଓପେପା କାର୍ଯ୍ୟାଳୟରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ‘ଗ୍ରେଟ୍‌ ଟକ୍’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଶ୍ରୀ ଡାର୍ଟନେଲ୍‌ ସିଭି ରମଣ ଇଞ୍ଜିନିୟରିଂ କଲେଜରେ ମଧ୍ୟ ବକ୍ତୃତା ପ୍ରଦାନ କରିଥିଲେ। ଆଗାମୀ ଦିନରେ ସେ ରାଜ୍ୟର ଅନ୍ୟ ସ୍ଥାନରେ ଏହି ବିଷୟ ଉପରେ ବକ୍ତୃତା ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।

ଏହି ଅବସରରେ ଶ୍ରୀ ଡାର୍ଟନେଲ୍‌ କହିଛନ୍ତି ଯେ, ମଙ୍ଗଳ ଗ୍ରହକୁ ଆହୁରି ଭଲ ଭାବେ ଜାଣିବା ପାଇଁ ୨୦୨୦ରେ ଆମେରିକାର ନାସା, ୟୁରୋପୀୟ ମହାକାଶ ଏଜେନ୍ସି ଓ ଚୀନ୍‌ ନୂଆ ଉପଗ୍ରହ ପଠାଇବାକୁ ଯୋଜନା ରଖିଛନ୍ତି। ୟୁରୋପୀୟ ମହାକାଶ ଏଜେନ୍ସିର ରୋଭର୍‌ ଯାନ ମଙ୍ଗଳରେ ପହଞ୍ଚି ଖୋଦେଇ କରିବ। ମାଟି ତଳେ ଅଣୁ ଜୀବ ଅଛନ୍ତି ନା ନାହିଁ ତାହା ଜାଣିବାକୁ ପ୍ରୟାସ କରିବ। ଏହା ବ୍ୟତୀତ ମଙ୍ଗଳ ପୃଷ୍ଠରେ ଅନ୍ୟ କ’ଣ ସବୁ ମୂଲ୍ୟବାନ ଖଣିଜ ପଦାର୍ଥ ଓ ରାସାୟନିକ ପଦାର୍ଥ ରହିଛି ତାହା ଜାଣିବା ଲାଗି ଉଦ୍ୟମ କରିବ।

ଭାରତର ଚନ୍ଦ୍ରଯାନ-୨ ମିସନ୍‌କୁ ସେ ବହୁତ ପ୍ରଶଂସା କରିଛନ୍ତି। ଭାରତରେ ମହାକାଶ ବିଜ୍ଞାନରେ କ୍ୟାରିଅର ଗଠନ କରିବାର ପରିବେଶ ସୃଷ୍ଟି ହୋଇସାରିଛି। ଅଧିକରୁ ଅଧିକ ଛାତ୍ରଛାତ୍ରୀ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ମହାକାଶ ଉପରେ ଗବେଷଣା କରୁଥିବା ବୈଜ୍ଞାନିକମାନେ ୧୯୯୫ ପରେ ବହୁତ ସଫଳତା ପାଇଛନ୍ତି। ବିଗତ ୨୫ ବର୍ଷ ଭିତରେ ୪୦୦୦ରୁ ଅଧିକ ଗ୍ରହର ସନ୍ଧାନ କରାଯାଇଛି। ନିୟମିତ ବ୍ୟବଧାନରେ ନୂତନ ଗ୍ରହ ସନ୍ଧାନ କରାଯାଉଛି ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ବିଜ୍ଞାନ ଠାରୁ ଆରମ୍ଭ କରି କଳା, ଡିଜାଇନ୍, ପରିବେଶ ଆଦି କ୍ଷେତ୍ରରେ ବ୍ରିଟେନ୍‌ରେ କାର୍ଯ୍ୟ କରୁଥିବା ପେସାଦାର ଓ ବିଶେଷଜ୍ଞମାନଙ୍କୁ ଭାରତର ଛାତ୍ରଛାତ୍ରୀଙ୍କ ନିକଟତର କରିବା ଲାଗି ବ୍ରିଟିଶ କାଉନ୍‌ସିଲ୍‌ ପକ୍ଷରୁ ଗ୍ରେଟ୍‌ ଟକ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଭୁବନେଶ୍ବର ପରେ ଏହି କାର୍ଯ୍ୟକ୍ରମକୁ ବାଙ୍ଗାଲୋର ଓ ପୁନେରେ ଆୟୋଜନ କରାଯିବ।

ସମ୍ବନ୍ଧିତ ଖବର