ପାଇଖାନା ଟାଙ୍କିରେ ବ୍ରିଟିସ ଅମଳର ଗୁଳି

ଲିଙ୍କ୍‌ ଖୋଜୁଛି ପୁଲିସ, ଛୁଟି ପରେ ହେବ ଫରେନ୍‌ସିକ ଟେଷ୍ଟ

ଜୟପୁର : ଜୟପୁର ସ୍ଥିତ ଜିଲ୍ଲା ଶିଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ପଛପଟ ପରିତ୍ୟକ୍ତ ପାଇଖାନା ଟାଙ୍କିରୁ ଶୁକ୍ରବାର ହଜାରେରୁ ଅଧିକ ଗୁଳି ପୁଲିସ ଜବତ କରିଛି। ଗୁଳି ସବୁ ୨ଶହ ବର୍ଷ ପୁରୁଣା ହୋଇଥିବା ବେଳେ ଇଂଲଣ୍ଡ, ଫ୍ରାନ୍‌ସ, ଇଟାଲି, ଜାପାନ ଓ ଜର୍ମାନୀରେ ନିର୍ମିତ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିିଛି। ତେବେ ଦଶହରା ଓ ଅନ୍ୟ ଛୁଟି ପଡିବାରୁ ତାହାକୁ ସୁରକ୍ଷିତ ଭାବେ ଜୟପୁର ଟାଉନ ଥାନାରେ ରଖାଯାଇଛି। ଛୁଟି ଖୋଲିବା ପରେ କୋରାପୁଟ ସ୍ଥିତ ଫରେନ୍ସିକ ପରୀକ୍ଷାଗାରରେ ସେଗୁଡ଼ିକର ପରୀକ୍ଷା କରାଯିବ ବୋଲି ଜଣାଯାଇଛି। ସେହିପରି ଗୁଳି ଏଠାକୁ ଆସିଲା କିପରି, କିଏ ଆଣିଲା ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ଅପରପକ୍ଷେ, ସେସବୁ ବହୁ ବର୍ଷ ତଳେ ଜୟପୁର ରାଜଉଆସରୁ ଚୋରି ହୋଇଥିବା ଶୁଣିବାକୁ ମିଳୁଛି। ତେଣୁ ପୁଲିସ ତାହାର ଲିଙ୍କ ଖୋଜିବା ଆରମ୍ଭ କରିଥିବା ଜୟପୁର ଏଏସ୍‌ପି ପ୍ରଭାତ ପ୍ରଧାନ କହିିଛନ୍ତି।

ଉଲ୍ଲେଖଯୋଗ୍ୟ, ମିଳିଥିବା ଗୁଳି ମଧ୍ୟରେ ୧୮୮୦ ମସିହା ବେଳକୁ ବନ୍ଦ ହୋଇଥିବା ମଞ୍ଚେଷ୍ଟର ଓ ଇଲ୍ଲୀ ପରି ଦୁଇଟି କମ୍ପାନିର ପ୍ରାୟ ୧୪ ପ୍ରକାରର ଗୁଳି ରହିଛି। ସେଥିରେ ୨୨ ଏମ୍‌ଏମ୍‌ ଓ ୯ ଏମ୍‌ଏମ୍‌ ଗୁଳି ମଧ୍ୟ ରହିଥିବା ଟାଉନଥାନା ଆଇଆଇସି ତପନ ନାରାୟଣ ରଥ କହିଛନ୍ତି।

ସମ୍ବନ୍ଧିତ ଖବର