ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଏକ ମାତ୍ର ଜଳସେଚନ ପ୍ରକଳ୍ପ ହରିହର ଯୋର ଡ୍ୟାମ କେନାଲଟି ପୁନରୁଦ୍ଧାର ପରେ ବି ବାରମ୍ବାର ହିଡ଼ ଭାଙ୍ଗୁଛି। ଫଳରେ ତଳମୁଣ୍ଡକୁ ପାଣି ପହଞ୍ଚି ପାରୁ ନାହିଁ। ଚାଷ କାର୍ଯ୍ୟ ପ୍ରଭାବିତ ହେଉଛି।
କିଛି ବର୍ଷ ତଳେ ୫୬ କୋଟି ଖର୍ଚ୍ଚ କରି କେନାଲ ପୁନରୁଦ୍ଧାର କରାଯାଇଥିଲା। ତେବେ କଂକ୍ରିଟ୍ କାମ ନିମ୍ନମାନର ହୋଇଥିବାରୁ ହିଡ଼ରେ ଗର୍ତ୍ତ ହୋଇ ପାଣି ଜଙ୍ଗଲକୁ ଚାଲିଯାଉଛି। ତଳମୁଣ୍ଡକୁ ପାଣି ପହଞ୍ଚି ପାରୁ ନାହିଁ। ମିଳିଥିବା ସୂଚନା ଅନୁସାରେ, ରେଡମ ଗ୍ରାମ ବୁଲାଣିଆ ରାସ୍ତା ନିକଟ କେନାଲ ହିଡ଼ରେ ଏକ ଗାତ ସୃଷ୍ଟି ହୋଇ ଜଙ୍ଗଲକୁ ପାଣି ଚାଲିଯାଉଛି।

Advertisment

ଏହିପରି ହରିହର ଯୋର କେନାଲର ଉପରୁ ତଳମୁଣ୍ଡ ପର୍ଯ୍ୟନ୍ତ ଗାତ ଯୋଗୁଁ ବାରମ୍ବାର ବାଲି ବସ୍ତା ଦେଇ ମରାମତି ହେଉଛି। ତଥାପି ନୂଆ ନୂଆ ଗାତ ସୃଷ୍ଟି ଯୋଗୁଁ କେନାଲର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ଯୁବ ଚାଷୀ ବିଜୟ ନାୟକ  ଅଭିଯୋଗ କରିଛନ୍ତି। ଅନ୍ୟ ପଟେ କେନାଲ ବିଭାଗର ଅଧିକାରୀ ଏଠାରେ ନ ରହିବା ଦ୍ବାରା କେନାଲର ରକ୍ଷଣାବେକ୍ଷଣ ତଥା ତଦାରଖ ଠିକ୍‌ ଭାବେ ହେଉ ନାହିଁ। ତେଣୁ କେନାଲ ହିଡ଼ ଭାଙ୍ଗିଲେ ଅଧିକାରୀ ପାଖରେ ଖବର ପହଞ୍ଚୁ ନାହିଁ। ଅଧିକାରୀ ଜିଲ୍ଲା ମୁଖ୍ୟାଳୟରେ ରହୁଥିବାରୁ ଅନେକ ସମୟରେ ଚାଷୀ ଭେଟି ପାରୁ ନାହାନ୍ତି। ତଳମୁଣ୍ଡରେ ଥିବା ଯାଲୋଏକୁ ପାଣି ପହଞ୍ଚି ନଥିବାରୁ ଚାଷୀମାନେ ଧାନ ଚାଷ କରିବାରୁ ବଞ୍ଚିତ ହୋଇଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଜଣାଇଥିବା ସୂଚନା ମିଳିଛି।

ଏ ବାବଦରେ କେନାଲ ବିଭାଗର ଏସ୍‌ଡିଓଙ୍କୁ କ‌ଲ୍‌ କରିବାରୁ ଖବର ଅଛି ମୁଁ ସେହି ଜାଗାକୁ ଯାଉଛି କହିବା ସହ ଅନେକ ଏନ୍‌ଏମ୍‌ଆର୍‌ଙ୍କ ରେଗୁଲାର ହେଉଥିବାରୁ ଏଠି କାମ କରିବା ପାଇଁ କେହି ନାହିଁ। ସେହିମାନେ ଡେପୁଟେସନରେ ଆସି କାମ କରିବା ପାଇଁ ୪-୫ ଦିନ ଲାଗି ଯିବ ବୋଲି କହିଥିଲେ। ଯାଲୋଏ ତଳମୁଣ୍ଡକୁ ପାଣି କିପରି ପହଞ୍ଚିବ ଚେଷ୍ଟା କରୁଛୁ। କେତେ ଚାଷୀ ଶାଖା କେନାଲରେ ପାଣିକୁ ବାନ୍ଧି ଅଟକାଇ ଦେଉଥିବାରୁ ତଳମୁଣ୍ଡ ପାଣି ଯାଉ ନ ଥିବା ସେ କହିଥିଲେ। ହରିହର ଯୋର ଡ୍ୟାମରେ କମ୍‌ ପାଣି ଥିବାରୁ ଏବେ ପାଣି ବନ୍ଦ କରାଯାଇଥିବା କହିଥିଲେ। ଅପର ପକ୍ଷେ ଚାଷୀ ଏବେ ପହ୍ଲା ରୁଆ କାର୍ଯ୍ୟ କରୁଥିବାରୁ ଧାନ କ୍ଷେତକୁ ପାଣି ପହଂଚି ନ ପାରିବାରୁ ତଳି ନଷ୍ଟ ହୋଇ ଯାଇଥିବା ଯୁବ ଚାଷୀ ଗଦାଧର ଖେତୀ ଅଭିଯୋଗ କରିଛନ୍ତି।