ପୁରୀ : ଶ୍ରୀମନ୍ଦିର ପରେ ଏବେ ଶ୍ରୀଗୁଣ୍ଡିଚା ମନ୍ଦିର ରୋଷଘରର ୨୨ଟି ଚୁଲିକୁ ଭାଙ୍ଗି ଦିଆଯାଇଛି। ରଥଯାତ୍ରା ବେଳେ ଓ ଆଡ଼ପ ଅବଢ଼ା ବାହାରିବାର ଦିନକ ପୂର୍ବରୁ ଏଭଳି ଘଟଣା ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଥିବା ଘଳିଆକୁ ପଦାରେ ପକାଇଛି। ଯେଉଁଠି ହଜାର ହଜାର ଭକ୍ତ ରଥାରୂଢ଼ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ, ମାଳ ମାଳ ପୁଲିସ ରଥ ଓ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଜଗି ରହିଥିଲେ, ସେଭଳି ସ୍ଥିତିରେ ଏଭଳି ସ୍ପର୍ଶକାତର ଘଟଣା କିପରି ଘଟିଲା, ସେ ନେଇ ଭକ୍ତ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି। ଅନ୍ୟପଟେ ଏବେ ଭକ୍ତଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରବେଶ ମନା ଥିବାବେଳେ ରୋଷଘରେ ଚୁଲି ଭାଗ ଥିବା ସୁଆର ମହାସୁଆରଙ୍କ ଭିତରେ ବିବାଦ ଏହାର ମୂଳ କାରଣ ବୋଲି ଚର୍ଚ୍ଚା ହେଉଛି। ଘଟଣା ଜଣାପଡ଼ିବା ପରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉପଜିଲ୍ଲାପାଳ ଭବତାତରଣ ସାହୁଙ୍କ ସହ ପୁଲିସ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଘଟଣାର ଅନୁଧ୍ୟାନ କରିଛନ୍ତି।

Advertisment

ଶ୍ରୀଗୁଣ୍ଡିଚା ମନ୍ଦିରରେ ୧୪୮ଟି ଚୁଲି ରହିଥିବାବେଳେ ଗତ ୨୬ ଓ ୨୭ ତାରିଖରେ ଶ୍ରୀଜିଉଙ୍କ ଘଣାଲାଗି ଓ ବନକଲାଗି ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ‌ରୋଷଘରର ସମସ୍ତ ଚୁଲି ମରାମତି କରାଯାଇଥିଲା। ବାଲି, ମାଟି, ଗୁଡ଼ ମିଶାଇ ଭଙ୍ଗା ଚୁଲି ମରାମତି ହୋଇଥିଲା। ଏଣୁ ଆଜି ଚୁଲି ଯାଞ୍ଚ ପାଇଁ ସୁଆର ମହାସୁଆରମାନେ ଶ୍ରୀଗୁଣ୍ଡିଚା ମନ୍ଦିର ରୋଷଘରକୁ ଯାଇଥିଲେ। ରୋଷଘରେ ପଶିବା ପରେ ୨୨ଟି ଚୁଲିକୁ କେହି ହାତରେ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା। ସୁଆର ମହାସୁଆରମାନେ ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରିଥିବା କହିଛନ୍ତି।

ଏ ସମ୍ପର୍କରେ ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି, ଏହା ସେଭଳି କିଛି ବଡ଼ ଘଟଣା ନୁହେଁ। କିଏ ଚୁଲି ଭାଙ୍ଗିଛି ତାହା ଜଣାପଡ଼ିନି। ସବୁ ଚୁଲିର ପଖା ଭାଙ୍ଗିଛି ଓ ଏହାର ମରାମତି ଚାଲିଛି। ଆଜି (ରବିବାର) ଆଡ଼ପ ଅବଢ଼ା ବାହାରିବାରେ କିଛି ଅସୁବିଧା ହେବନି ବୋଲି ଶ୍ରୀ ମହାସୁଆର କହିଛନ୍ତି। ସୁଆର ମହାସୁଆର ସେବକ ରଂଜିତ ସୁପକାର କହିଛନ୍ତି, ଶ୍ରୀଗୁଣ୍ଡିଚା ମନ୍ଦିର ରୋଷଘରେ ୧୪୦ଟି ବରାଦି ଅବଢ଼ା ଓ ୮ଟି କୋଠଭୋଗ ଚୁଲି ରହିଛି। ୫ ଦିନ ତଳେ ଚୁଲି ମରାମତି କରାଯାଇଥିଲା। ଗତକାଲି ରାତିରେ ପ୍ରାୟ ୩୫ଜଣ ସୁଆର ମହାସୁଆର ସେବକ ଚୁଲି ସ୍ଥିତି ଅନୁଧ୍ୟାନ ପାଇଁ ରୋଷଘରକୁ ଯାଇଥିଲେ। ସେ ସମୟରେ ସମସ୍ତ ଚୁଲି ଅକ୍ଷତ ଥିଲା। ଶନିବାର ସକାଳୁ ଚୁଲି ସ୍ଥିତି ଅନୁଧ୍ୟାନ ବେଳେ ଏଥିରୁ ୨୨ଟି ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା। ଭଙ୍ଗାଯାଇଥିବା ସମସ୍ତ ୨୨ଟି ହେଉଛି ବରାଦି ଅବଢ଼ା ଚୁଲି।

ଚୁଲି ଭାଙ୍ଗିବା କାରଣ ସମ୍ପର୍କରେ ଶ୍ରୀ ସୁପକାର କହିଛନ୍ତି, ସୁଆର ମହାସୁଆର ସେବକଙ୍କ ଭିତରେ ବିବାଦ ହିଁ ଏହାର ମୁଖ୍ୟ କାରଣ। କାରଣ ଏବେ କୌଣସି ଭକ୍ତଙ୍କୁ ଭିତରକୁ ଛଡ଼ାଯାଉନି। କେବଳ ସେବାୟତ, ପୁଲିସ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଉଛନ୍ତି। ଅନ୍ୟପଟେ ଶ୍ରୀଗୁଣ୍ଡିଚା ମନ୍ଦିରରେ ବିଭିନ୍ନ ସ୍ଥାନରେ ୩୨ଟି ସିସି କ୍ୟାମେରା ଲାଗିଛି। ଏହାର ଫୁଟେଜ୍‌ ଯାଞ୍ଚ କଲେ ଅଭିଯୁକ୍ତ ନିଶ୍ଚିତ ଧରା ପଡ଼ିବ ବୋଲି ଶ୍ରୀ ସୁପକାର କହିଛନ୍ତି। ସେପଟେ ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାରେ ସେଭଳି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନ ହେବାରୁ ପୁନର୍ବାର ଏଭଳି ସ୍ଥିତି ଉପୁଜିଲା ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ ଏପ୍ରିଲ ୨ ତାରିଖରେ ଶ୍ରୀମନ୍ଦିର ରୋଷଘରର ୪୩ଟି ଚୁଲି ଭଙ୍ଗାଯାଇଥିଲା। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।