ଆଖି ସାମ୍ନାରେ ସ୍କୁଟି ଡିକି ଭାଙ୍ଗିଲେ, ନେଇଗଲେ ୧.୯୦ ଲକ୍ଷ

ରିଆମାଳ: ରିଆମାଳ ଥାନା ଦୁର୍ଗାମଣ୍ଡପ ସମ୍ମୁଖରୁ ବୁଧବାର ମଧ୍ୟାହ୍ନରେ ସମସ୍ତ ଆଖି ଆଗରେ ଏକ ସ୍କୁଟିରୁ ୧ ଲକ୍ଷ ୯୦ ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି।   ବୁଡିଦୋ ପଞ୍ଚାୟତର ପୂର୍ବତନ ସରପଞ୍ଚ ଡିଲେଶ୍ୱର ବେହେରା ଏପରି ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ ସେ ପୋଷ୍ଟ ଅଫିସ ପକ୍ଷରୁ ଏଜେଣ୍ଟ୍‌ ଭାବରେ କାମ କରନ୍ତି। ବହୁ ଲୋକଙ୍କ ଆର୍‌ଡି ଖାତା ଖୋଲିଛନ୍ତି। ଦୈନିକ ସେ ଲୋକଙ୍କ ପାଖରୁ ଟଙ୍କା କଲେକସନ୍ କରି ପୋଷ୍ଟ ଅଫିସ୍‌ରେ ଜମା କରନ୍ତି। ବୁଧବାର କଲେକ୍‌ସନ ସାରି ୨ ଲକ୍ଷ ଟଙ୍କା ସ୍କୁଟି ଡିକିରେ ରଖିଥିଲେ।

ଏହା ପରେ ଦୁର୍ଗା ମଣ୍ଡପ ସମ୍ମୁଖରେ ଗାଡ଼ି ଥୋଇ ଏକ ଦୋକାନକୁ ଯାଇଥିଲେ। କିଛି ସମୟ ପରେ ଫେରି ଦେଖନ୍ତି ଯେ ଡିକିରେ କେବଳ ୧୦ ହଜାର ଟଙ୍କା ରହିଛି। ଆଉ ୧ ଲକ୍ଷ ୯୦ ହଜାର ଟଙ୍କା ନ ଥିଲା। ଏ ନେଇ ସେ ରିଆମାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଗୋଟିଏ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଲୁଟ୍ କରିଥିବା ନେଇ କିଛି ଲୋକ କହୁଛନ୍ତି। ମାତ୍ର ପରିତାପର ବିଷୟ ଯେ ପ୍ରତିଦିନ ଏହି ମାର୍କେଟରେ ରିଆମାଳ ପୁଲିସ ପକ୍ଷରୁ ୧୦-୧୨ ଜଣ ହୋମ ଗାର୍ଡ ରହି ଦୋକାନୀ ଓ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇଥା’ନ୍ତି।

ମାତ୍ର ଚୋରି ହେବା ବେଳେ ସେମାନଙ୍କ ନଜର କିପରି ପଡିଲା ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଚଳାଇଛି। ପୂର୍ବରୁ ଏହି ମାର୍କେଟରେ ଏକ କମ୍ପ୍ୟୁଟର୍‌ ଦୋକାନ, ମୋବାଇଲ ଦୋକାନରୁ ଚୋରି ହୋଇଥିବା ବେଳେ ଏକ ବାଇକ ମଧ୍ୟ ଚୋରି ହୋଇଥିଲା। ମୋବାଇଲ ଦୋକାନ ଚୋରିର ପର୍ଦ୍ଦାଫାସ ହୋଇଥିବା ବେଳେ କମ୍ପ୍ୟୁଟର ଦୋକାନ ଓ ବାଇକ ଚୋରିର କୌଣସି ସୁରାକ ମିଳିନି। ମାର୍କେଟରେ ଯଦି ସିସିଟିଭି ଲାଗନ୍ତା ତାହାଲେ ଚୋର ଧରିବାରେ ପୁଲିସ ସଫଳ ହୁଅନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର