ମାଣିବନ୍ଧ-କୋହ୍ଲୁଅପାଟଣା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଜାଲିଆତି: ଭଙ୍ଗା ପୋଲରେ ଚୂନ ମାରି ଖାଇଗଲେ ମରାମତି ଟଙ୍କା

ଖୋର୍ଦ୍ଧା: ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ନିୟମାନୁସାରେ ଏହି ଯୋଜନାରେ ନିର୍ମିତ ସଡ଼କ ନିର୍ମାଣର ପରବର୍ତୀ ୫ ବର୍ଷ ଯାଏଁ ଆବଶ୍ୟକ ମରାମତି ସମ୍ପୃକ୍ତ ଠିକାଦାର କରିବ। ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକ ବଜେଟ୍‌ ବ୍ୟବସ୍ଥା କରିବେ। ଏହି ମରାମତି ବଜେଟ୍‌ ମୂଳ ନିର୍ମାଣ ବଜେଟ୍‌ ଠାରୁ ଭିନ୍ନ ହେବ। କିନ୍ତୁ ଏହି ମରାମତି ଟଙ୍କାରେ ସମ୍ପୃକ୍ତ ରୋଡ୍‌ ଓ ପୋଲରେ କେବଳ ଧଳାଚୂନ ମାରି ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି।

ବୋଲଗଡ଼ ବ୍ଲକ ମାଣିବନ୍ଧ ଠାରୁ କୋଲୁହପାଟଣା ଭାୟା ତେଲିରଙ୍ଗଣି ପାଟଣା ଅଢ଼େଇ କିଲୋମିଟର ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନାରେ ୨୦୧୮-୧୯​ ଆର୍ଥିକ ବର୍ଷରେ ଶେଷ ହୋଇଥିଲା। ଏହି ସଡ଼କ ଉପରେ ଦୁଇଟି ପୋଲ ମଧ୍ୟ ରହିଛି।  ୨୦୧୯ -୨୦ ଆର୍ଥିକ ବର୍ଷ ଠାରୁ ୨୦୨୩-୨୪ ଆର୍ଥିକ ବର୍ଷ ଯାଏଁ ଏହାର ମରାମତି ବାବଦକୁ ୮ଲକ୍ଷ ୭୨ ହଜାର ୬୭୫ଟଙ୍କା ବ୍ୟୟବରାଦ କରାଯାଇଥିଲା। ଏନେଇ ସୂଚନା ଫଳକ ମଧ୍ୟ ସମ୍ପୃକ୍ତ ସଡ଼କ କଡ଼ରେ ଲଗାଯାଇଛି। ସୂଚନାଫଳକର ତଥ୍ୟାନୁସାରେ, ମରାମତି ପାଇଁ ୨୦୧୯-୨୦ରେ ୧ଲକ୍ଷ ୨୬ ହଜାର ୪୭୭ ଟଙ୍କା, ୨୦-୨୧ରେ ୧ଲକ୍ଷ ୪୫ହଜାର ୩୪୭ଟଙ୍କା, ୨୧-୨୨ରେ ୧ଲକ୍ଷ ୬୭ହଜାର ୯୭୮ଟଙ୍କା, ୨୦୨୨-୨୩ରେ ୧ଲକ୍ଷ ୯୫ ହଜାର ୧୦୨ ଟଙ୍କା, ୨୦୨୩-୨୪ରେ ଅଲକ୍ଷ ୨୭ ହଜାର ୭୩୭ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ସମସ୍ତ ମରାମତି ପରେ ମଧ୍ୟ ବର୍ତମାନ ଉକ୍ତ ପୋଲ ଓ ସଡ଼କ ସଂଯୋଗ ହୋଇଥିବା ସ୍ଥାନ ଦବି ଯାଇଥିବା ବେଳେ ପୋଲଗୁଡ଼ିକରୁ ସିମେଣ୍ଟ ଖସିଗଲାଣି। ନିକଟରେ ଚଳିତ ବର୍ଷ ପାଇଁ ଏହାର ମରାମତି କରାଯାଇଛି। ମରାମତି ନାମରେ ପୋଲର ଦୁଇ ପଟରେଥିବା ସୁରକ୍ଷା ବାଡ଼ରେ ସିମେଣ୍ଟ ବାହାରିଥିବା ଲୁହା ଉପରେ ଧଳାଚୂନ ଦିଆଯାଇଛି।

ସେହିଭଳି ରାସ୍ତା ଉପରେ କେବଳ ପିଚୁ ଢାଳି ରାସ୍ତାକଡ଼ର ମାଟି ପକାଇଦିଆଯାଇଛି। ଏହି ସମସ୍ତ ଘଟଣାର ଫଟୋ ଓ ଭିଡ଼ିଓ ସହ ଲିଖିତ ଅଭିଯୋଗ କୋଲୁହପାଟଣା ଗ୍ରାମବାସୀ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ମନୋଜ ମହାପାତ୍ର, ବିଭୂତି ଭୂଷଣ ସାହୁ, ବାସୁଦେବ ପାଣିଗ୍ରାହୀ ପ୍ରମୁଖ ମରାମତି ଅର୍ଥ ଜାଲିଆତି ସମ୍ପର୍କରେ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ଏନେଇ ଗ୍ରାମ୍ୟ ଉନ୍ନୟ ବିଭାଗ ଯନ୍ତ୍ରୀଙ୍କୁ ଅଭିଯୋଗ କରିଥିଲୁ କିନ୍ତୁ କେହି ପଦକ୍ଷେପ ନେଲେ ନାହିଁ। ଶେଷରେ ଜିଲ୍ଲାପାଳ ଓ ଭିଜିଲାନ୍‌ସ ବିଭାଗକୁ ଲିଖିତ ଭାବେ ଦେଇଛୁ। ଯଦି ଏହି ଦୁର୍ନୀତି ସମ୍ପର୍କରେ ପଦକ୍ଷେପ ନିଆନଯାଏ ତେବେ ଆଗାମୀ ଦିନରେ ଗ୍ରାମବାସୀ ଏହା ବିରୋଧରେ ଆନ୍ଦୋଳନ କରିବେ। ଏନେଇ ବୋଲଗଡ଼ ବିଡିଓ ଶରତ କୁମାର ନାୟକଙ୍କ ସହ ଯୋଗ ଯୋଗ କରିବାରେ ସେ କହିଛନ୍ତ ଯେ ସେ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏନେଇ ଅଭିଯୋଗ ତାଙ୍କ ନିକଟକୁ ଏଯାଏଁହସ୍ତଗତ ହୋଇନାହିଁ। ତେବେ ସେ ନିଜଆଡ଼ୁ ଏନେଇ ଯାଂଚ କରିବାକୁ ପଦକ୍ଷେପ ନେବେ।

ସମ୍ବନ୍ଧିତ ଖବର