ଚଣ୍ଡିଖୋଲ: ବଡ଼ଚଣା ବ୍ଲକ ଖଇରା ପଞ୍ଚାୟତ ଖଇରା ଅଙ୍ଗନବାଡ଼ି କେନ୍ଦ୍ର-୧ ରେ ଭଙ୍ଗା ମଦ ବୋତଲ ପଡ଼ିଥିବାରୁ ଶିଶୁମାନେ ବାହାରେ ବସିଛନ୍ତି। କର୍ମୀ ଚପଳା ମଲ୍ଲିକ ଆଜି ସକାଳେ କେନ୍ଦ୍ର ଗୃହ ଖୋଲିବା ବେଳକୁ ସେଠାରେ କିଛି ଭଙ୍ଗା ମଦ ବୋତଲ ପଡ଼ିଥିବା ଦେଖିଥିଲେ। ତେଣୁ ପିଲାମାନଙ୍କୁ ସେଠାରେ ପଢ଼ାଇବା ଠିକ ହେବନାହିଁ ମନେକରି ସେ କେନ୍ଦ୍ର ଗୃହ ସମ୍ମୁଖ ରାସ୍ତା ଉପରେ ବସାଇଥିଲେ। ସେହିପରି କେନ୍ଦ୍ରରେ ଲାଗିଥିବା ପାଣି ଟ୍ୟାପ ଓ ଡଷ୍ଟବିନକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା। କର୍ମୀଜଣକ ଏନେଇ ସ୍ଥାନୀୟ ସରପଞ୍ଚଙ୍କୁ ଅବଗତ କରିବା ସହିତ ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି। ସେହି କେନ୍ଦ୍ର ନିକଟରେ ଚୋରା ମଦ କାରବାର ହେଉଥିବାରୁ ଶିଶୁଙ୍କ ଉପରେ କୁପ୍ରଭାବ ପଡ଼ୁଛି ବୋଲି ବୋଲି ଜିଲ୍ଲାପରିଷଦ ଉପ ସଭାପତି ଗଣେଶ୍ୱର ବରାଳ, ସରପଞ୍ଚ ସଂଯୁକ୍ତା ମଲ୍ଲିକ, ସମିତି ସଭ୍ୟା ରଶ୍ମିତା ମଲ୍ଲିକ, ୱାର୍ଡ ସଭ୍ୟ ମଣିଆ ଦଳେଇ, ଶରତ ବରାଳ, ଧୀରେନ୍ଦ୍ର ମହାରଣା ଓ ସାବିତ୍ରୀ ସେଠୀ ଅଭିଯୋଗ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/15-14.jpg)