ରାଉରକେଲା: କଲୁଙ୍ଗାସ୍ଥ ରାଉରକେଲା ଇନ୍‌‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆର୍‌ଆଇଟି)ରେ କାମ କରୁଥିବା କର୍ମଚାରୀଙ୍କୁ ଏଯାଏଁ ମିଳୁନି ବକେୟା ଦରମା। ବର୍ଷ ବର୍ଷ ଧରି ଶିକ୍ଷାନୁଷ୍ଠାନ ପରିଚାଳନା କମିଟି ବିଭିନ୍ନ ଆଳ ଦେଖାଇ କର୍ମଚାରୀଙ୍କୁ ଭଣ୍ଡାଇ ଚାଲିଛନ୍ତି। ପ୍ରତିବାଦରେ ଆଜି କିଛି କର୍ମଚାରୀ ଆର୍‌ଆଇଟିର ପୂର୍ବତନ ସମ୍ପାଦକ ପ୍ରଭାତ ମହାପାତ୍ରଙ୍କ ସିଭିଲଟାଉନସିପସ୍ଥ କାର୍ଯ୍ୟାଳୟରେ ପହଞ୍ଚି ପାଟିତୁଣ୍ଡ କରିଥିଲେ। ଶ୍ରୀ ମହାପାତ୍ରଙ୍କୁ ବକେୟା ଦରମା ଦେବାକୁ ଜିଦ୍‌ ଧରିଥିଲେ। ଯାହାକୁ କେନ୍ଦ୍ରକରି ଶ୍ରୀ ମହାପାତ୍ର ଓ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ କିଛି କର୍ମଚାରୀ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା କରିଥିଲେ। ଝରକା କବାଟ ଭାଙ୍ଗିବା ସହ ଫୁଲକୁଣ୍ଡ ଗୁଡ଼ିକ ଫୋପାଡ଼ି ଦେଇଥି‌ଲେ। ବେଶ୍‌ କିଛି ସମୟ କାର୍ଯ୍ୟାଳୟରେ ତୁମୁଳକାଣ୍ଡ ଚାଲିଥିଲା। ଫଳ କିଛି ନ ମିଳିବାରୁ କର୍ମଚାରୀମାନେ ଶେଷରେ କାର୍ଯ୍ୟାଳୟରୁ ଫେରିଯିବାକୁ ବାଧ୍ୟ ‌ହୋଇଥିଲେ।

Advertisment

କର୍ମଚାରୀଙ୍କ କହିବାନୁଯାୟୀ ପ୍ରାୟ ୧୨୦ ଜଣ କର୍ମଚାରୀଙ୍କ ପ୍ରାୟ ଅଢ଼େଇ କୋଟି ଟଙ୍କା ବାକି ପଡ଼ିଛି। ଗତ ୨୦୧୭ ଏପ୍ରିଲରୁ ଆଜି ପର୍ଯ୍ୟନ୍ତ କର୍ମଚାରୀଙ୍କ ପିଏଫ୍‌ ଟଙ୍କା ଜମା ହୋଇ ନାହିଁ। ପିଏଫ୍‌ ଟଙ୍କା ଠିକ୍‌ ଭାବେ ଜମା ହୋଇ ନଥିବାରୁ ଚାକିରିରୁ ଅବସର ନେଇଥିବା କର୍ମଚାରୀ ପେନ୍‌ପାଇପାରୁ ନାହାନ୍ତି। ଏସବୁ ବିବାଦ ମଧ୍ୟରେ ପୂର୍ବତନ ସମ୍ପାଦକ ଓ ପରିଚାଳନା କମିଟି ଆର୍‌ଆଇଟିକୁ ଅନ୍ୟ ଏକ ଲୋକଙ୍କୁ ବିକ୍ରି କରିଦେଇଛନ୍ତି। ଫଳରେ ବର୍ଷ ବର୍ଷ ଧରି ବକେୟା ଦରମା ପାଉ ନଥିବାରୁ କର୍ମଚାରୀଙ୍କ ପରିବାର ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।