ଅଧାରୁ ଭାଙ୍ଗିଲା ସମ୍ପର୍କ

ମିଳିଥିଲା ଛାଡ଼ପତ୍ର ନୋଟିସ୍‌, ଟ୍ରେନ୍‌ ଆଗକୁ ଡେଇଁ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା

ବ୍ରହ୍ମପୁର/ଛତ୍ରପୁର : ବ୍ରହ୍ମପୁର ଜିଆର୍‌ପି ଥାନା ଅନ୍ତର୍ଗତ ଛତ୍ରପୁର ରେଳଷ୍ଟେସନ୍‌ ପୂର୍ବରୁ ଥିବା ଏକ ଲେବଲ୍‌ କ୍ରସିଂରେ ଆଜି ସକାଳେ ଜଣେ ମହିଳା ଡାକ୍ତର ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ଡାକ୍ତରଙ୍କ ନାମ ଅର୍ଚ୍ଚନା ଦାଶ(୩୧)। ଡାକ୍ତର ସ୍ୱାମୀଙ୍କ ଛାଡ଼ପତ୍ର ନୋଟିସ୍‌ ପାଇବା ପରେ ସେ ଏହିଭଳି ଏକ ଚରମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଛତ୍ରପୁର ଶ୍ରୀନଗର ଦ୍ୱିତୀୟ ଲାଇନ୍‌ରେ ରହୁଥିବା ଅବସରପ୍ରାପ୍ତ ଶିକ୍ଷକ ରଘୁନାଥଙ୍କ ଝିଅ ହେଉଛନ୍ତି ଅର୍ଚ୍ଚନା। ୨୦୦୩ ମସିହାରେ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଗାଡ଼କଣା ଗ୍ରାମର ଅଞ୍ଜନ କୁମାର ଦାଶଙ୍କ ସହିତ ତାଙ୍କର ବାହାଘର ହୋଇଥିଲା। ସ୍ୱାମୀ ମଧ୍ୟ ଡାକ୍ତର ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଡାକ୍ତର ଭାବେ କାମ ଆରମ୍ଭ କରିଥିଲେ। ମାତ୍ର, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟ ଭଲ ସମ୍ପର୍କ ନ ଥିଲା। ଏହାପରେ ସେ ବାପଘରକୁ ଚାଲି ଆସିଥିଲେ। କିଛିମାସ ତଳେ ସେ ସୁନ୍ଦରପୁରସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାମ ଆରମ୍ଭ କରିଥିଲେ।

ଗତ ୭ ତାରିଖ ଦିନ ସ୍ୱାମୀଙ୍କ ପକ୍ଷରୁ ଛାଡ଼ପତ୍ର ନୋଟିସ୍‌ ଆସିଥିଲା। ନୋଟିସ୍‌ ପାଇବା ପରେ ଅର୍ଚ୍ଚନା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। କିଛିଦିନ ହେଲା ମାନସିକ ଦୁଃଶ୍ଚିନ୍ତାରେ ଥିଲେ।

ଆଜି ସକାଳେ କାହାକୁ କିଛି ନକହି ଅର୍ଚ୍ଚନା ଘରୁ ବାହାରି ଯାଇଥିଲେ। ସକାଳ ପ୍ରାୟ ୬ଟା ବେଳେ ଝିଅ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଅର୍ଚ୍ଚନାଙ୍କ ବାପଘର ଲୋକ ନିର୍ଯାତନା ଯୋଗୁଁ ମାନସିକ ଭାରସାମ୍ୟ ହରାଇ ଝିଅ ତାଙ୍କର ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ଏ ନେଇ ଜିଆର୍‌ପି ଥାନା କେସ୍‌ ନମ୍ବର ୫୬/୧୮ରେ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

ବିଷ ପିଇ ନବଦମ୍ପତିିଙ୍କ ଆତ୍ମହତ୍ୟା : ସ୍ୱାମୀଙ୍କୁ ଗୁରୁତର ଅବସ୍ଥାରେ ଦେଖି ବିଷ ପିଇଦେଲେ ପତ୍ନୀ

ଭଦ୍ରକ/ଧାମନଗର : ଭଦ୍ରକ ଜିଲ୍ଲାରେ ଧାମନଗର ଅନ୍ତର୍ଗତ ଶାମପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ୱାମୀଙ୍କ ଗୁରୁତର ଅବସ୍ଥା ଦେଇ ସ୍ତ୍ରୀ ମଧ୍ୟ ବିଷ ପିଇ ଦେଇଛନ୍ତି। ଉଭୟଙ୍କ ମୃତ୍ୟୁ ପରେ ମାତ୍ର ଚାରି ମାସର ବୈବାହିକ ଜୀବନର ଅନ୍ତ ଘଟିଛି। ଶାମପୁର ଗ୍ରାମର ସତ୍ୟରଂଜନ ତ୍ରିପାଠୀ (ବାବୁ)ଙ୍କ ପୁଅ ଧର୍ମେନ୍ଦ୍ର (୩୦) ଚଳିତ ବର୍ଷ ମେ ମାସ ୯ ତାରିଖରେ କଟକ ବାଙ୍କି ଅଞ୍ଚଳର ନୀଳମଣି ଦାଶଙ୍କ ଝିଅ ପୂର୍ଣ୍ଣିମା(୨୩)ଙ୍କୁ ବିବାହ କରିଥିଲେ। ବିବାହର ୪ମାସ ମଧ୍ୟରେ ଉଭୟ ଦମ୍ପତି ବେଶ୍‌ ହସଖୁସିରେ ଦିନ କଟାଉଥିଲେ। ଗତକାଲି ରାତିରେ ହଠାତ୍‌ ଧର୍ମେନ୍ଦ୍ର କୌଣସି କାରଣରୁ ବିଷାକ୍ତ ଦ୍ରବ୍ୟ ଖାଇ ଦେଇଥିଲେ। ଧର୍ମେନ୍ଦ୍ରଙ୍କ ଅବସ୍ଥା ଗୁରୁତର ହେବା ଦେଖି ପୂର୍ଣ୍ଣିମା ମଧ୍ୟ ବିଷ ପିଇ ଦେଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଦୁହିଁଙ୍କର ମୃତ୍ୟୁ ହୋଇଯାଇଥିଲା।

ନବବିବାହିତ ଦମ୍ପତିଙ୍କ ଏଭଳି ଆତ୍ମହତ୍ୟାର କାରଣ ଜଣା ପଡ଼ିନଥିବା ବେଳେ ପାରିବାରିକ ସମସ୍ୟା ଯୋଗୁଁ ଏପରି ଘଟିଥିବା ସ୍ଥାନୀୟ ଅଂଚଳରେ ଆଲୋଚନା ହେଉଛି।

ପ୍ରେମିକ ଘର ଆଗରେ ଯୁବତୀ ଜୀବନ୍ତ ଦଗ୍ଧ : ହତ୍ୟା ଅଭିଯୋଗ ଆଣିଲେ ମୃତାଙ୍କ ବାପା, ପ୍ରେମିକ ଫେରାର୍‌

ରାଉରକେଲା : ରାଉରକେଲା ବନ୍ଧମୁଣ୍ଡା ସେକ୍ଟର-ବି ଅଞ୍ଚଳରେ ୧୮ ବର୍ଷୀୟ ଯୁବତୀ ନିଶା (ଛଦ୍ମନାମ) ଆଜି ଭୋର୍‌ ସମୟରେ ନାଁ ପୋଡ଼ି ଛଟପଟ ହେଉଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌)କୁ ସ୍ଥାନାନ୍ତର କରାଯାଇଥିଲା। ତେବେ କିଛି ସମୟ ପରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।

ବିବାହ କରିବାକୁ ଜିଦ୍‌ ଧରିବାରୁ ପ୍ରେମିକ ଅମିତ ଯାଦବ (୨୫) ଓ ତାଙ୍କ ବାପା ଅମାନୁଷିକ ଭାବେ ତାଙ୍କ ଝିଅକୁ ଜାଳି ଦେଇଥିବା ମୃତ ନିଶାଙ୍କ ବାପା ବିରଞ୍ଚି ନାଏକ ବନ୍ଧମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର