ବ୍ରହ୍ମଗିରି : ଭାର୍ଗବୀ ନଦୀର ତିନିକୁଦିଠାରେ ଥିବା କାଠପୋଲ ଶନିବାର ସକାଳୁ ଭାଙ୍ଗି ଯାଇଛି। ପୋଲରେ ପାରିହୋଇ ସ୍କୁଲକୁ ଯାଉଥିବା ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ଅତ୍ୟନ୍ତ ବିପଦସଂକୁଳ ଅବସ୍ଥାରେ ହାତ ଧରାଧରି ହୋଇ ଗୋଟିଏ କାଠପଟାରେ ଛାତ୍ରଛାତ୍ରୀ ପାରି ହେବା ସହ ପୋଲ ଭାଙ୍ଗିବା ଯୋଗୁ ଏହି ବାଟ ଦେଇ ଗମନାଗମନ ବନ୍ଦ ରହିଛି।
ଖବର ନେବାରେ ଜଣାପଡ଼ିଛି, ବ୍ରହ୍ମଗିରି ବ୍ଲକ୍ କଡ଼ାଜିତ ପଞ୍ଚାୟତର ଭାର୍ଗବୀ ନଦୀ ଉପରେ ସ୍ଥାନୀୟ ଗାଁ ଲୋକ ଏକ କାଠପୋଲ ନିର୍ମାଣ କରିଛନ୍ତି। ଏହି କାଠ ପୋଲ ଦେଇ ପ୍ରତ୍ୟହ ୧୫ରୁ ଅଧିକ ଗାଁ ଲୋକ ଏବଂ ଛାତ୍ରଛାତ୍ରୀ ଯାତାୟାତ କରିଥାନ୍ତି। ଶନିବାର ଥିବାରୁ ସକାଳ ୬ଟାରୁ ଛାତ୍ରଛାତ୍ରୀ କାଠପୋଲ ଦେଇ ପାରି ହେବା ସମୟରେ ହଠାତ୍ ନଦୀର ମଝିରେ ପୋଲର ଖମ୍ବ ଭାଙ୍ଗି ଯାଇଥିଲା। ଫଳରେ ପୋଲର ପଟା ମଧ୍ୟ ନଦୀ ଭିତରକୁ ଖସି ପଡ଼ିଥିଲା।
ସେତେବେଳକୁ ପୋଲ ଉପରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ପାରି ହେଉଥିଲେ। ସୌଭାଗ୍ୟବଶତଃ ପୋଲର ଉଭୟ ପଟେ ସମସ୍ତେ ରହି ଯାଇଥିଲେ। ଗୋଟିଏ ପଟକୁ ଭାଙ୍ଗି ରହିଥିବା ପୋଲର ଖମ୍ବକୁ ଧରି ଲୋକେ ଅଟକି ରହିବା ସହିତ ପଟା ଉପରେ ୩ଜଣ ଛାତ୍ରୀ ରହି ଯାଇଥିଲେ। ପୋଲର ଉଭୟ ପାଖରେ ଥିବା ଅନ୍ୟ ଛାତ୍ରୀ ସେମାନଙ୍କ ହାତ ଧରି ବାଇ ନେଇଥିଲେ। କାଠ ପୋଲଟି ଭାଙ୍ଗିବା ଦ୍ବାରା ଛାତ୍ରଛାତ୍ରୀ ଏବେ ସ୍କୁଲକୁ ଯାଇ ପାରୁନାହାନ୍ତି। ୧୫ କିଲୋମିଟର ବୁଲି ସ୍କୁଲକୁ ଯିବାକୁ ପଡ଼ୁଛି। ଯେଉଁମାନେ ସ୍କୁଲକୁ ଯାଇଥିଲେ ସେମାନେ ୧୫ କିଲୋମିଟର ବୁଲି ଘରକୁ ଫେରିଛନ୍ତି। ପୋଲ ଭାଙ୍ଗି ଯିବାରୁ ତିନିକୁଦିରୁ ବାଲିକେରାକୁ ଯାତାୟାତ ଏହି ରାସ୍ତାରେ ବନ୍ଦ ହୋଇ ଯାଇଛି। ସୂଚନା ଯାଉକି ପ୍ରତ୍ୟକ ବର୍ଷ କାଠ ପୋଲ ଭାଙ୍ଗି ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଶିକ୍ଷକ, ଶିକ୍ଷୟିତ୍ରୀ ଓ ସ୍ଥାନୀୟ ଲୋକେ ଆହତ ହେବାର ନଜିର ରହିଛି। ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ନ ଥିବା ବେଳେ ପିଲାଙ୍କ ପାଠପଢ଼ା ଓ ଲୋକଙ୍କ ଯାତାୟାତରେ ସମସ୍ୟା ଦେଖା ଦେଇଛି।