ଭୁବନେଶ୍ବର : ରେଳବାଇ ନିଯୁକ୍ତି ବୋର୍ଡ(ଆରଆରବି) ମାଧ୍ୟମରେ ଲେବଲ-୧(ପୂର୍ବର ଗ୍ରୁପ-ଡି) ନିଯୁକ୍ତି ପାଇଁ ପରୀକ୍ଷା କରାଯାଉଛି। କମ୍ପ୍ୟୁଟରୀକୃତ ଏହି ପରୀକ୍ଷା ପାଇଁ ଆର୍ଆର୍ବି ଏକ ପ୍ରତିଷ୍ଠିତ କମ୍ପାନିକୁ ନିୟୋଜିତ କରିଛି। ଏଥିରେ ଦେଶର ୧.୧ କୋଟିରୁ ଅଧିକ ପ୍ରାର୍ଥୀ ଭାଗ ନେଉଛନ୍ତି। ୧୨ଟି ଜୋନାଲ ରେଳ ସହିତ ଜଡ଼ିତ କମ୍ପ୍ୟୁଟର ଆଧାରିତ ପରୀକ୍ଷାର ତିନୋଟି ପର୍ଯ୍ୟାୟ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟ କମ୍ପ୍ୟୁଟର ଆଧାରିତ ପରୀକ୍ଷା ଗତକାଲିଠାରୁ ଆରମ୍ଭ ହୋଇଥିବାରୁ ଏହାର ସୁଯୋଗ ନେଇ ଦଲାଲମାନେ ସକ୍ରିୟ ହୋଇଉଠିଛନ୍ତି। ପ୍ରାର୍ଥୀଙ୍କ ନିଯୁକ୍ତି ସୁନିଶ୍ଚିତ କରିବା ଲାଗି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଉଛନ୍ତି। ‘ଆନ୍ସର କି’ ଯୋଗାଇ ଦେବେ କହି ଟଙ୍କା ଲୁଟୁଥିବା ନଜରକୁ ଆସିବା ପରେ ପୂର୍ବତଟ ରେଳପଥ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ପ୍ରାର୍ଥୀମାନେ ଠକ ଓ ଦଲାଲଙ୍କ ପ୍ରତି ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି। ଦଲାଲମାନେ ରେଲୱେ ଚାକିରି ପାଇଁ ନିଯୁକ୍ତିର ମିଛ ପ୍ରତିଶ୍ରୁତି ଦେଇ ପ୍ରାର୍ଥୀଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ବିଭିନ୍ନ ଗଣମାଧ୍ୟମରେ ରେଲୱେ ଦ୍ୱାରା ପ୍ରସାରିତ ସଚେତନତା ଖବର ପ୍ରତି ଧ୍ୟାନ ଦେବାକୁ ରେଳପଥ ପକ୍ଷରୁ ପରାମର୍ଶ ଦିଆଯାଇଛି। ଆହୁରି କୁହାଯାଇଛି ଯେ ରେଲୱେ ନିଯୁକ୍ତି ପ୍ରକ୍ରିୟାରେ ଯେକୌଣସି ପ୍ରକାରର ଅନିୟମିତତାକୁ ପ୍ରଶ୍ରୟ ନଦେବା ଓ ଏହାକୁ ଦୂର କରିବା ପାଇଁ କମ୍ପ୍ୟୁଟର ଆଧାରିତ ପ୍ରଣାଳୀରେ ବିଭିନ୍ନ ସୁରକ୍ଷା ଏବଂ ରକ୍ଷଣଶୀଳ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରାର୍ଥୀମାନେ ଥରେ ପରୀକ୍ଷା କେନ୍ଦ୍ରରେ ରିପୋର୍ଟ କରି ନିଜକୁ ପଞ୍ଜୀକୃତ କଲେ ଲ୍ୟାବ ଓ ସିଟ୍ ଆବଣ୍ଟନ ମଧ୍ୟ ସେହି ଆଧାରରେ ସ୍ୱୟଂଚାଳିତ ଭାବେ ହୋଇଥାଏ। ଯାହାଦ୍ୱାରା ଅନିୟମିତତା ହୁଏ ନାହିଁ।
ପ୍ରଶ୍ନପତ୍ର ଅତ୍ୟଧିକ ଏନକ୍ରିପ୍ଟ ଫର୍ମରେ ରହିଛି। ପ୍ରାର୍ଥୀଙ୍କ ବ୍ୟତୀତ ଅନ୍ୟ କେହି ପ୍ରଶ୍ନପତ୍ରକୁ ପ୍ରବେଶ କରିପାରିବେ ନାହିଁ। ପରୀକ୍ଷା ଆରମ୍ଭ ହେବା ପରେ ପ୍ରାର୍ଥୀ କମ୍ପ୍ୟୁଟରରେ ଦ୍ୱିତୀୟ ଓ ଅନ୍ତିମ ଲଗଇନ୍ କରିବା ପରେ ଏହି ପର୍ଯ୍ୟାୟରେ ପ୍ରଶ୍ନ ପେପରର ଅନ୍ତିମ ଡିକ୍ରିପ୍ସନ୍ ହୁଏ। ପ୍ରଶ୍ନପତ୍ରରେ ଥିବା ପ୍ରଶ୍ନଗୁଡ଼ିକର କ୍ରମିକ ସଂଖ୍ୟା ପ୍ରତ୍ୟେକ ପ୍ରାର୍ଥୀଙ୍କ ପାଇଁ ଅଲଗା ଅଲଗା ଭାବେ ଉପଲବ୍ଧ ହୋଇଛି। ପ୍ରଶ୍ନ ପାଇଁ ଉପଲବ୍ଧ ସମସ୍ତ ୪ଟି ବିକଳ୍ପର ରାଣ୍ଡୋମାଇଜେସନ୍ ସହ ମଧ୍ୟ ମନୋନୀତ ହୋଇଛି। ଜଣେ ପରୀକ୍ଷାର୍ଥୀଙ୍କ ପ୍ରଶ୍ନ କାଗଜରେ ପ୍ରଶ୍ନ କ୍ରମଠାରୁ ଅନ୍ୟ ପ୍ରାର୍ଥୀଙ୍କ ପ୍ରଶ୍ନ କ୍ରମ ସମ୍ପୂର୍ଣ୍ଣ ଭିନ୍ନ। ତେଣୁ ଯଦି କେହି ଦାବି କରନ୍ତି ଯେ ସେ ଜଣେ ପ୍ରାର୍ଥୀଙ୍କୁ ଉତ୍ତର ଚାବି(କି) ପ୍ରଦାନ କରିପାରିବେ ତାହା ସମ୍ପୂର୍ଣ୍ଣ ମିଥ୍ୟା, ଭିତ୍ତିହୀନ ଏବଂ ବିଭ୍ରାନ୍ତିକର। ପ୍ରତ୍ୟେକ ପ୍ରାର୍ଥୀଙ୍କ ପୂର୍ଣ୍ଣ ରେକର୍ଡିଂ ସହ ସିସିଟିଭି ନଜରରେ ଏହି ପରୀକ୍ଷା କରାଯାଉଛି।