ଖଇରା: ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ୍ ଅନ୍ତର୍ଗତ ଡୁଙ୍ଗୁରା ସମବାୟ ସମିତିରେ ଧାନକିଣା ସମୟରେ ଆକ୍ରମଣ କରାଯିବାରୁ ଜଣେ ଚାଷୀ ଗୁରୁତର ଆହତ ହୋଇଛନ୍ତି। ଜଣେ ଦଲାଲର ଆକ୍ରମଣରେ ସେ ଆହତ ହୋଇଥିବା ବେଳେ ଉଭୟଙ୍କୁ ଛଡ଼ାଇବାକୁ ଯାଇ ସମବାୟ ସମିତିର ଜଣେ କର୍ମଚାରୀ ବି ଆହତ ହୋଇଛନ୍ତି। ଧାନକିଣା ପ୍ରକ୍ରିୟାରେ ଦଲାଲମାନେ କିଭଳି ରାଜ୍ ଚଳାଉଛନ୍ତି, ଏହି ଘଟଣା ତାହାର ଏକ ଜ୍ବଳନ୍ତ ଉଦାହରଣ।
ଆହତ ଚାଷୀ ହେଲେ, ଏହି ବ୍ଳକ୍ ଡୁଙ୍ଗୁରା ପଞ୍ଚାୟତ ଅନ୍ତର୍ଗତ କିଶୋରନଗର ଗ୍ରାମର ପ୍ରଦୀପ ଜେନା। ସୂଚନା ଅନୁସାରେ, ଆଜି ପ୍ରଦୀପଙ୍କ ସମେତ ୮ଜଣ ଚାଷୀଙ୍କୁ ଧାନ ବିକ୍ରୟ ନିମନ୍ତେ ଟୋକନ୍ ଦିଆଯାଇଥିଲା। ପ୍ରଦୀପ ଜଣେ ଦଲାଲଙ୍କ ସହାୟତାରେ ନିଜ ଧାନ ଉଠାଇବାର ବ୍ୟବସ୍ଥା କରିଥିଲେ। ସମ୍ପୃକ୍ତ ଦଲାଲ ଜଣଙ୍କ ପ୍ରଦୀପଙ୍କ ଘରୁ ଦର ଧାର୍ଯ୍ୟ କରି ୫୦ କ୍ବିଣ୍ଟାଲ୍ ଧାନ ଆଣିଥିଲେ। ମାତ୍ର, ସମିତିରେ ମିଲର୍ ୧୦ ପ୍ରତିଶତ କଟ୍ନିଛଟ୍ନି କରିବାରୁ ସେ ପ୍ରଦୀପଙ୍କୁ ଏ ବାବଦରେ ଜଣାଇ ସମିତିକୁ ଡାକିଥିଲେ। ସେ ପହଞ୍ଚିବା ପରେ ଏହି ଘଟଣାକୁ ନେଇ ଉଭୟ ପ୍ରଦୀପ ଓ ଦଲାଲଙ୍କ ମଧ୍ୟରେ କଥା କଟାକଟି ହୋଇ ମାଡ଼ପିଟ ହୋଇଥିଲା। ଦଲାଲ ଜଣଙ୍କ ନିଜର ଦୁଇ ସମର୍ଥକଙ୍କୁ ବି ସେଠାକୁ ଡାକିଥିଲେ। ସେମାନେ ଏକ ଲୁହାରଡ୍ରେ ପ୍ରଦୀପଙ୍କୁ ଆକ୍ରମଣ କରିଥିଲେ। ଏହି ସମୟରେ ସେମାନଙ୍କୁ ଛଡ଼ାଇବାକୁ ଯାଇ ସମିତିର ଜଣେ କର୍ମଚାରୀ ଲକ୍ଷ୍ମୀଧର ସେଠୀ ମଧ୍ୟ ଆକ୍ରମଣର ଶିକାର ହୋଇ ଆହତ ହୋଇଛନ୍ତି।
ଲକ୍ଷ୍ମୀଧର ଡୁଙ୍ଗୁରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବାବେଳେ ଚାଷୀ ପ୍ରଦୀପଙ୍କୁ ଉପସ୍ଥିତ ଲୋକମାନେ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ତେବେ, ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ଚାଷୀ ଅଭିଯୋଗ କରିବା ପରେ ଖଇରା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।