ତହସିଲରେ ଦଲାଲଙ୍କ ରାଜୁତି: ସାଧାରଣ ଲୋକେ ଶୋଷିତ

ତହସିଲଦାରଙ୍କ ନୀରବତା ନେଇ ସନ୍ଦେହ

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ତହସିଲ କାର୍ଯ୍ୟାଳୟରେ ଦଲାଲଙ୍କ ରାଜୁତି ଚାଲିଛି। ଜମି କିଣାବିକାଠାରୁ ଆରମ୍ଭ କରି ପଞ୍ଜିକରଣ ପର୍ଯ୍ୟନ୍ତ କାମରେ ସାଧାରଣ ଜନତା ଶିକାର ହେବା ଜଣାପଡିବା ପରେ ଏହା ସ୍ପଷ୍ଟ ହୋଇଛି। ତେବେ ଏତେବଡ ଘୋଟାଲା ହେଉଥିଲେ ବି ତହସିଲଦାରଙ୍କ ନୀରବତାକୁ ନେଇ ସନ୍ଦେହ ଦେଖାଦେଇଛି।

ଏହି ତହସିଲ ଉପରେ ବୀରମିତ୍ରପୁର ନୁହେଁ ନୂଆଗାଁ ବ୍ଲକର ୪ଟି ଆର୍‌ଆଇ ସର୍କଲର ପ୍ରାୟ ୧ ଲକ୍ଷରୁ ଅଧିକ ଲୋକ ନିର୍ଭର କରନ୍ତି।। ବୀରମିତ୍ରପୁର ଅଞ୍ଚଳର ବୀରମିତ୍ରପୁର, ଅଣ୍ଡାଳି ଓ ଝୁରମୁରର ଏମିତି ମୋଟ ୭ଟି ରାଜସ୍ବ ନିରୀକ୍ଷକକଙ୍କ କାର୍ଯ୍ୟାଳୟ ରହିଛି। ଜମି ପଞ୍ଜିକରଣଠାରୁ ଆରମ୍ଭ କରି ଜମିପଟ୍ଟା, ଜାତିଗତ ପ୍ରମାଣପତ୍ର,  ଆୟ ପ୍ରମାଣପତ୍ର, ବାସିନ୍ଦା ପ୍ରମାଣପତ୍ର ଆଦି କାମ ପାଇଁ ଦୈନିକ ଶହ ଶହ ଲୋକ ଆସନ୍ତି। ବିଶ୍ରା ଓ ଲାଠିକଟା ତହସିଲରେ ଜମି ପଞ୍ଜିକରଣ ପାଇଁ ସରକାରୀ ନିର୍ଦ୍ଦେଶ ରହିଛି। କିନ୍ତୁ ଏଯାଏ ଦୁଇ ତହସିଲରେ ଜମି ପଞ୍ଜିକରଣ କାର୍ଯ୍ୟ ହୋଇ ନାହିଁ।

ଫଳରେ ନୂଆଗାଁ ସମେତ ବିଶ୍ରା ଓ କୁଆରମୁଣ୍ଡା ବ୍ଲକର ଶହ ଶହ ଲୋକଙ୍କ ଜମି ପଞ୍ଜିକରଣ ପାଇଁ କେବଳ ବୀରମିତ୍ରପୁର ତହସିଲ କାର୍ଯ୍ୟାଳୟ ହିଁ ଏକମାତ୍ର ଭରସା। ଏଭଳି ଜଟିଳ ସମସ୍ୟାର ଭରଫୁର ଫାଇଦା ଉଠାଉଛନ୍ତି ଜଣେ କରିତକର୍ମା ଡିଡ୍‌ ରାଇଟର ଓ କିଛି ଦଲାଲ। ତହସିଲ ଅଫିସ୍‌ର ବିଭାଗୀୟ ଅଧିକାରୀଙ୍କ ସହ ଭିତିରି ସଲୁସୁତରା କରି ବର୍ଷ ବର୍ଷ ଧରି ବେଆଇନ କାମ କରି ଆସୁଛନ୍ତି। ଏତିକି ନୁହେଁ ସରକାରୀ କର୍ମଚାରୀଙ୍କ ଭଳି ଅଫିସ୍‌ ଭିତରେ ପଶି କାମ କରୁଛନ୍ତି।  ଏଥିସହ ନିରୀହ ଲୋକଙ୍କୁ ସରକାରୀ ଅଧିକାରୀଙ୍କ ପରିଚୟ ଦେବାକୁ ମଧ୍ୟ ପଛାଉ ନାହାନ୍ତି।

ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏମିତି ସାଂଘାତିକ ଅଭିଯୋଗ ଆଣିଛନ୍ତି ପଞ୍ଜିକରଣ କରି ଆସୁଥିବା କିଛି ଲୋକ। ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ଅଧିକାରୀମାନେ ସବୁ ଜାଣୁଥିଲେ ହେଁ ନ ଜାଣିଲା ପରି ଚୁପ୍‌ ରହୁଛନ୍ତି। ଲୋକ ଦେଖାଣିଆ ତାଗିଦ୍‌ କରି କାମ ସାରି ଦେଉଛନ୍ତି। ଅନ୍ୟପଟେ  ନ ହେବା କାମଗୁଡ଼ିକୁ ମୋଟା ରକମ୍‌ ହାତଗୁଞ୍ଜା ନେଇ କରି ‌ଦେଉଥିବା ଅଭିଯୋଗ ହେଉଛି। ମାସେ କି ଦୁଇ ମାସ ନୁହେଁ, ବର୍ଷ ବର୍ଷ ଧରି ଏଭଳି ବେଆଇନ କାର୍ଯ୍ୟ ଚାଲିଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ଏମାନଙ୍କୁ ଥରୁଟିଏ କାହିଁକି  ପ୍ରତିବାଦ କରୁ ନାହାନ୍ତି, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସେମିତି ଡିଡ୍‌ ରାଇଟରଙ୍କ ଭଳି କିଛି ଦଲାଲ ମଧ୍ୟ ତହସିଲ କାର୍ଯ୍ୟାଳୟରେ ମାତିଛନ୍ତି। ବାସିନ୍ଦା ପ୍ରମାଣପତ୍ର ଠାରୁ ଆରମ୍ଭ କରି ପ୍ରାୟ ଅଧିକାଂଶ କାମରେ ଦଲାଲଙ୍କୁ ନ ଧରିଲେ ଫାଇଲ୍‌ ଆଗକୁ ବଢ଼ୁନି। ଡିଡ୍‌ ରାଇଟର ହେଉ ଅବା ଦଲାଲମାନଙ୍କ ଏଭଳି କାମ ତହସିଲଦାରଙ୍କ ନଜରେ ଅଛି ତ ?  ଯଦି ଅଛି, ତେବେ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କାହିଁକି ପଛଘୁଞ୍ଚା ଦେଉଛନ୍ତି, ତାକୁ ନେଇ ସନ୍ଦେହ ହେବା ସ୍ବାଭାବିକ। ତେବେ ତହସିଲଦାର ବୀରମିତ୍ରପୁର ତହସିଲ କାର୍ଯ୍ୟାଳୟରେ ଚାଲିଥିବା ଦଲାଲରାଜ ଓ ଡିଡ୍‌ ରାଇଟରଙ୍କ ରାଜୁତିକୁ ତୁରନ୍ତ ବନ୍ଦ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧିତ ଖବର