ହନୁମାନ ପଇସା ପରେ ଏବେ କଳାହଳଦି ପାଇଁ ଗଞ୍ଜାମରେ ଦଲାଲ ସକ୍ରିୟ, ଚାଲିଛି ଲକ୍ଷ ଲକ୍ଷ ଟଙ୍କାର କାରବାର

ଗୁଜବ ପଛରେ ଶହଶହ ଯୁବକ

ବ୍ରହ୍ମପୁର : ‘ମନକୁ ମନ ଖୋଲିଯିବ ବନ୍ଦ ତାଲା। ଆପେ ଆପେ ଜଳିଯିବ କର୍ପୂର। ଆଉ ଆଲପିନ୍ କିମ୍ବା ଡାମ୍ଫଣ ସ୍ବତଃପ୍ରବୃତ୍ତ ଭାବେ ବଙ୍କା ହୋଇଯିବ।’ ଚମତ୍କାରିତା ଗୁଣ ଥିବା କଳାହଳଦି ସଂସ୍ପର୍ଶରେ ଆସିଲେ ଏସମସ୍ତ ଅଲୌକିକ ଘଟଣା ଘଟିବ। ଏହାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ଗୁଜବ ଓ ଚର୍ଚ୍ଚା। ହନୁମାନ ପଇସା, ପୁରୁଣା ଟିଭିରେ ବ୍ୟବହୃତ ଏକ ପ୍ରକାର ତମ୍ବାତାର ଓ ପୁରୁଣା ଲ୍ୟାଣ୍ଡଲାଇନ୍ ଫୋନ୍ ନମ୍ବରଚକ୍ରିରେ ବ୍ୟବହୃତ ତମ୍ବାତାର ପରେ ଏବେ ଚମତ୍କାରିତା ଦେଖାଉଥିବା କଳାହଳଦି କୁଆଡ଼େ ଅତି ଦୁର୍ମୂଲ୍ୟ। ତେଣୁ ପାଗଳପ୍ରାୟ ହୋଇ ଅତି କମ୍ ସମୟରେ କୋଟି କୋଟି ଟଙ୍କା ରୋଜଗାର କରିବା ଲକ୍ଷ୍ୟରେ କଳାଦଳଦି ପଛରେ ପଡ଼ିଛନ୍ତି କିଛି ଯୁବକ। ଫଳରେ ଏହା ବର୍ତ୍ତମାନ ଏକ ରୢାକେଟ୍ ଭାବେ କାମ କରୁଛି। ଏଭଳି କି ଏହି କଳାହଳଦିର ଚମତ୍କାରିତାର ଭିଡ଼ିଓ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି। ୟୁଟ୍ୟୁବ୍ ଭଳି ସୋସିଆଲ ସାଇଟରେ ମଧ୍ୟ ଏହି ଭିଡ଼ିଓ ଉପଲବ୍ଧ ହୋଇଛି। ଫଳରେ କିଛି ଯୁବକ ଏହି କଳାହଳଦିର ଚମତ୍କାରିତା ପଛରେ ପଡ଼ିଛନ୍ତି। ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କାର ଡିଲ୍ ହେଉଛି।

ପ୍ରଥମେ କଳାହଳଦି ରଖିଥିବା ବ୍ୟକ୍ତିଙ୍କ ସନ୍ଧାନ କରି ତାଙ୍କ ନିକଟରେ ପହଞ୍ଚିଯାଉଛନ୍ତି ଦଲାଲ। ସଂପୃକ୍ତ ବ୍ୟକ୍ତିଙ୍କୁ ଲକ୍ଷାଧିକ ଟଙ୍କାର ଲୋଭ ଦେଖାଉଛନ୍ତି। ପରେ ଭିଡିଓରେ ପ୍ରଦର୍ଶିତ ହେଲାଭଳି ପରୀକ୍ଷା କରୁଛନ୍ତି, ଏହା ଠିକ୍‌ କଳାହଳଦି କି ନୁହେଁ। ପ୍ରଥମେ କଳାଦଳଦି ରଖି ତା’ପାଖରେ ଏକ ତାଲା ପଡ଼ିଥିବା ଚାବିକୁ ରଖିଦିଅନ୍ତି। ଯଦି ତାଲାଟି କଳାହଳଦିର ଚମତ୍କାରିତାରେ ଆପେ ଆପେ ଖୋଲିଯାଏ, ତେବେ ଏହାକୁ ‘ଆଶ୍ଚର୍ଯ୍ୟଜନକ କଳାହଳଦି’ ବୋଲି ବିବେଚନା କରାଯାଏ। ଏହାପରେ ଏକ ଡାମ୍ଫଣ କିମ୍ବା ଆଲପିନ୍ ମଧ୍ୟ ଏହା ପାଖରେ ରଖିଲେ ଏହା ଆପେ ଆପେ ବଙ୍କା ହୋଇଯାଇଥାଏ। ହେଲେ, ଏପରି ଚମତ୍କାରିତା ପାଇ ନଥିଲେ ମଧ୍ୟ କିଛି ପଥଭ୍ରଷ୍ଟ ଯୁବକ ଏହାପଛରେ ପଡ଼ିଥିବା ଦେଖିବାକୁ ମିଳିଛି। ଯାହାର ରୢାକେଟ୍ ଗାଁ ଗହଳିରେ ବି ପହଞ୍ଚିଲାଣି। କଳାହଳଦିରୁ କୁଆଡ଼େ ଆଲଫା, ବିଟା ଓ ଗାମା ଭଳି ରେଡିଓଆକ୍ଟିଭ୍ ରଶ୍ମି ବାହାରୁଛି। ଯାହାକୁ ବୈଜ୍ଞାନିକମାନେ ଏକ ଚିପ୍‌ରେ ଲଗାଇ ସାଟେଲାଇଟ୍‌ରେ ବ୍ୟବହାର କରୁଥିବାରୁ ଏହା ମୂଲ୍ୟବାନ ବୋଲି କୁହାଯାଇଛି। ତେଣୁ ଏକ କେଜି ଏଭଳି ହଳଦିର ମୂଲ୍ୟ ‘ୱାନ୍‌ ସି’ (ୱାନ୍‌କ୍ରୋର୍ ତଥା ଏକ କୋଟି) ଟଙ୍କା ହେବ ବୋଲି କୋଡ଼୍ ଭାଷାରେ କୁହାଯାଉଛି। ଏବେ କିଛି ଶିକ୍ଷିତ ଯୁବକ ଅଳ୍ପ ସମୟରେ ଅଧିକ‌ ରୋଜଗାର ଆଶାରେ ଏହି କଳାଦଳଦି ମୋହରେ ପଡ଼ିଯାଇଛନ୍ତି।

IndiaMART

ସବୁଠୁ ବଡ଼କଥା ହେଲା, ଏହି କଳାହଳଦି କାଁ ଭାଁ କେମିତି କାହାର ଘର ବାଡ଼ିବଗିଚାରେ ଚାଷ ହେଉଥିବାବେଳେ କେବଳ ପୂଜାପାଠ ପାଇଁ ଏହାକୁ ବ୍ୟବହାର କରାଯାଇଥାଏ। ତନ୍ତ୍ରଶାସ୍ତ୍ରରେ ମଧ୍ୟ ଏହାର ବହୁଳ ବ୍ୟବହାର ରହିଛି। ଏବେ ଏହାର ଚମତ୍କାରିତା ଗୁଜବରେ କିଛି ଲୋକ ଟଙ୍କା ଲୋଭରେ କଳାହଳଦିକୁ ଅନ୍‌ଲାଇନ୍‌ରେ ମଧ୍ୟ କିଣି ପରୀକ୍ଷାନିରୀକ୍ଷା ଆରମ୍ଭ କରିଛନ୍ତି। ବିଭିନ୍ନ ଅନ୍‌ଲାଇନ୍‌ରେ ଷ୍ଟୋର୍‌ରେ ଏହି ଦଳଦିର ମୂଲ୍ୟ ୫୦୦ରୁ ୮୦୦ ଟଙ୍କା ପଡ଼ୁଥିବାବେଳେ ଦଲାଲଙ୍କ ପ୍ରଲୋଭନରେ କଳାହଳଦିର କାରବାର ରୢାକେଟ୍ ଆରମ୍ଭ ହୋଇଯାଇଛି। ହେଲେ ଏହି କଳାହଳଦି ସେମିତି କିଛି ଚମତ୍କାରିତା ଗୁଣ ଦେଖାଉ ନଥିବା ବେଳେ ଅଯଥା ଟଙ୍କା ଖର୍ଚ୍ଚ କରିଥିବା ନେଇ ଅନୁତପ୍ତ ହେଉଛନ୍ତି।

ଏମିତି ଅଯଥା ଖର୍ଚ୍ଚାନ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ କହିବା କଥା ହେଉଛି, ସେ ଦଲାଲ କଥାରେ ପଡ଼ି ଟଙ୍କା ଲୋଭରେ ତିନିରୁ ଚାରିଥର ଅନ୍‌ଲାଇନ୍‌ରେ କଳାହଳଦି କିଣିଥିଲେ। ଦଲାଲ କହିବା ପ୍ରକାରେ ପରୀକ୍ଷାନିରୀକ୍ଷା କଲେ। ହେଲେ କିଛି ବି ଚମତ୍କାରିତା ଗୁଣ ଦେଖିବାକୁ ପାଇ ନଥିଲେ। ତେବେ ଏନେଇ ସଂପୃକ୍ତ ବ୍ୟକ୍ତି କୌଣସି ଚମତ୍କାରିତା ଗୁଣ ପାଇ ନଥିବା କହିବା ପରେ ଦଲାଲଜଣକ ପୁଣି କଞ୍ଚା କଳାହଳଦି ଆଣି ପରୀକ୍ଷା କରିବାକୁ କହିଥିଲେ। ଶେଷରେ ସେ ଅଧିକ ଟଙ୍କା ଦେଇ କଞ୍ଚା କଳାହଳଦି ସଂଗ୍ରହ କରି ପରୀକ୍ଷା କରି ନିରାଶ ହୋଇଥିଲେ। ଏବେ ଦଲାଲଜଣଙ୍କୁ କଲ୍ କଲେ ସେ ମୋବାଇଲ୍ ଉଠାଉ ନଥିବା କହିଛନ୍ତି।

କେବଳ କଳାହଳଦି ନୁହେଁ କଳାମନ୍ଦାର ଫୁଲର ମଧ୍ୟ ଚମତ୍କାରିତା ନେଇ ଗୁଜବ ଆରମ୍ଭ ହୋଇଛି। କଳାମନ୍ଦାର ଫୁଲକୁ ପେଟ୍ରୋଲ କିମ୍ବା ସ୍ପିରିଟରେ ବୁଡ଼ାଇ କିଛି ସମୟ ରଖିବା ପରେ ମଧ୍ୟ ଯଦି ଫୁଲଟି ନିଜର ପୂର୍ବ ଗୁଣବତ୍ତା ବଜାୟ ରଖେ, ତେବେ ଏହା ଦୁର୍ମୂଲ୍ୟ ବୋଲି ଗୁଜବ ହେଉଛି। ହେଲେ ଏହି କଳାମନ୍ଦାର ଫୁଲର ସନ୍ଧାନ ମିଳୁ ନଥିବା ବେଳେ ଏହାପଛରେ ବହୁ ପଥଭ୍ରଷ୍ଟ ଯୁବକ ପଡ଼ି ଅଯଥା ଖର୍ଚ୍ଚାନ୍ତ ହେଉଥିବା ଜଣାପଡ଼ିଛି। ତେଣୁ ଏଭଳି କୁପ୍ରରୋଚନାର ଶିକାର ନ ହେବାକୁ ସାଧାରଣରେ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର