ପୁରୁଣା ଭୁବନେଶ୍ବର: ଜମିଜମା ଇ-ରେଜିଷ୍ଟ୍ରେସନ୍ ବା ପଞ୍ଜୀକରଣ ବ୍ୟବସ୍ଥାକୁ ପରିବର୍ତ୍ତନ କରାଯିବା ସହ ଏହାର ସମସ୍ୟା ଦୂର କରିବା ଲାଗି ଅନ୍ଲାଇନ୍ ସ୍ଲଟ୍ ବୁକିଂ ନିୟମ କରା ଯାଇଛି। ହେଲେ ଏହି ସ୍ଲଟ୍ ବୁକିଂ ଏବେ ଦଲାଲଙ୍କ କବଜାରେ ରହିଛି। ରାତି ୧୨ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ସ୍ଲଟ୍ ବୁକିଂ ହେଉଥିବାରୁ, ସାଧାରଣ ଲୋକେ ସକାଳୁ ସ୍ଲଟ୍ ବୁକ୍ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ରାତିଅଧରେ ସ୍ଲଟସବୁ ଦଲାଲ କବଜା କରି ନେଉଥିବାରୁ ସାଧାରଣ ଲୋକେ ନିରାଶ ହେଉଛନ୍ତି। ଗୋଟିଏ ଗୋଟିଏ ମୋବାଇଲ୍ ନମ୍ବରରୁ ଏକାଧିକ ନମ୍ବର ସ୍ଲଟ୍ ବୁକ୍ କରିବା ଓ ସେଥିପାଇଁ କୌଣସି ଫି’ ଜମା କରିବାକୁ ପଡୁ ନଥିବାରୁ ଦଲାଲମାନେ ମନଇଚ୍ଛା ସ୍ଲଟ୍ ବୁକ୍ କରି ରଖୁଛନ୍ତି। ଗୋଟିଏ ଗୋଟିଏ ମୋବାଇଲ୍ ନମ୍ବରରୁ ୨୦ରୁ ଊର୍ଦ୍ଧ୍ବ ସ୍ଲଟ୍ ବୁକିଂ ହୋଇଯାଉଛି। ଫଳରେ ଅସୁବିଧାରେ ପଡ଼ି କେହି ଅସଲ ଜମି ମାଲିକ ତୁରନ୍ତ ଜମି ବିକ୍ରି କରିବାକୁ ଚାହୁଥିଲେ, ତାଙ୍କୁ ମଧ୍ୟ ମାସ ମାସ ଧରି ଅପେକ୍ଷା କରିବାକୁ ହେଉଛି।
ସାରା ରାଜ୍ୟର ଅଧିକାଂଶ ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ସ୍ଲଟ୍ ବୁକ୍ କରିବାକୁ ଯାଇ ଲୋକେ ସମାନ ସମସ୍ୟାକୁ ସାମନା କରୁଛନ୍ତି। ଏପଟେ ସ୍ଲଟ୍ଗୁଡ଼ିକୁ ଦଲାଲମାନେ ମନଇଚ୍ଛା ଦରରେ ବିକ୍ରି କରୁଛନ୍ତି। ସାଧାରଣ ଲୋକେ ତ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି, ଏହାଦ୍ବାରା ଆଉ ଗୋଟିଏ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି। ଦଲାଲମାନେ ମନଇଚ୍ଛା କବଜାରେ ରଖିଥିବା ସବୁ ସ୍ଲଟ ଅନେକ ସମୟରେ କଳାବଜାରରେ ବିକ୍ରି ହୋଇ ପାରେନାହିଁ। ତେଣୁ ସେଗୁଡ଼ିକ ବେକାର ହୋଇଯାଏ। ଫଳରେ ଦିଆ ଯାଇଥିବା ସ୍ଲଟ୍ର ଶତକଡ଼ା ୪୦ରୁ ୫୦ ଭାଗ ଜମି ହିଁ ରେଜିଷ୍ଟ୍ରି ହୋଇପାରୁଛି। ଏହା ଦ୍ବାରା ସରକାର ରାଜସ୍ବ ହରାଉଛନ୍ତି।
ଭୁବନେଶ୍ବର ଓ ଏହାର ଉପକଣ୍ଠ ଅଞ୍ଚଳର ସ୍ଥିତିକୁ ବିଚାରକଲେ, ବାଲିଅନ୍ତା, ଜଟଣୀ ଓ ବାରଙ୍ଗରେ ଦଲାଲମାନେ ସ୍ଲଟ୍ଗୁଡ଼ିକୁ ୨ରୁ ୫ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ଜଟଣୀ ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଥିବା ମୋଟ୍ ୬୬ଟି ସ୍ଲଟ୍ ଥିବାବେଳେ ଦିନକୁ ମାତ୍ର ୧୦ରୁ ୨୦ଟି ରେଜିଷ୍ଟ୍ରି ହୋଇପାରୁଛି। ଭୁବନେଶ୍ବର ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟର ୧୫୯ଟି ସ୍ଲଟ୍ ମଧ୍ୟରୁ ୮୦ରୁ ୧୦୦ ହିଁ ରେଜିଷ୍ଟ୍ରି ହେଉଛି। ଏ ସମ୍ପର୍କରେ ଜଣେ ଭୁକ୍ତଭୋଗୀ ବୋତଣ୍ଡା ଅଞ୍ଚଳର କୃଷକ ହରିହର ପ୍ରଧାନ କହନ୍ତି, ଝିଅ ବିବାହ ପାଇଁ ହଠାତ୍ ଜମି ବିକ୍ରି କରିବା ଦରକାର ହୋଇଥିଲେ ହେଁ ଦେଢ଼ମାସ ପର୍ଯ୍ୟନ୍ତ ସ୍ଲଟ୍ ବୁକ୍ ହୋଇପାରି ନଥିଲା। କେବଳ ଜମିଜମା ପ୍ରସଙ୍ଗରେ ନୁହେଁ, ବିବାହ ଓ ଟ୍ରଷ୍ଟ ରେଜିଷ୍ଟ୍ରି ପାଇଁ ମଧ୍ୟ ଲୋକଙ୍କୁ ଏକ ମାସ ଯାଏ ଅପେକ୍ଷା କରିବାକୁ ପଡ଼ୁଛି। ଏ ବାବଦରେ ଭୁବନେଶ୍ବର ଓକିଲ ସଂଘ ସମ୍ପାଦକ ତାପସ କୁମାର ଦାସ କହନ୍ତି, ‘‘ରାତି ୧୨ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ସ୍ଲଟ୍ ବୁକିଂ ହେଉଥିବାରୁ ରାତିରେ ଦଲାଲମାନେ ବୁକ୍ କରି ନେଉଛନ୍ତି। ଲୋକେ ଟଙ୍କା ଦେଇ କିଣିବାକୁ ବାଧ୍ୟ ହେଉଛନ୍ତି। ଏହା ବିରୋଧରେ ଆଇଜିଆର୍ (ଇନ୍ସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ୍) କାର୍ଯ୍ୟାନୁଷ୍ଠାନ ନେବା ଉଚିତ।’’