ଅନୁଗୁଳ : ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ବିକୃତ ପ୍ରତିମୂର୍ତ୍ତିକୁ ନେଇ ସାରାରାଜ୍ୟରେ ତୁମ୍ବିତୋଫାନ ହେଲାପରେ ହଠାତ୍ ଚେଇଁ ଉଠିଛି ରାଜ୍ୟ ସଂସ୍କୃତି ବିଭାଗ। ଖୋଦ୍ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଂଜନ ଦାସ ଆଜି ଆର୍କିଟେକ୍ଚର ଟିମ୍ ସହ ଆସି ଗୋପବନ୍ଧୁ ପାର୍କ ପରିଦର୍ଶନ କରିଛନ୍ତି।
ନିର୍ଦ୍ଦେଶକ ଶ୍ରୀ ଦାସଙ୍କ ସହିତ ଯୁଗ୍ମ ନିର୍ଦ୍ଦେଶକ ସୁବୋଧ କୁମାର ଆଚାର୍ଯ୍ୟ, ଖଲ୍ଲିକୋଟ୍ ଆର୍ଟସ୍ କଲେଜର ପୂର୍ବତନ ପ୍ରିନ୍ସିପାଲ୍ ତଥା ସୁଆଣ୍ଡୋରେ ଗୋପବନ୍ଧୁଙ୍କ ଭବ୍ୟ ପ୍ରତିମୂର୍ତ୍ତିର ନିର୍ମାତା ଜୟନ୍ତ କୁମାର ଦାସ, ଓବିସିସିର ଚେୟାରମ୍ୟାନ୍ ଜେ.କେ. ଦାସ, ଅର୍କିଟେକ୍ଚର ଅକ୍ଷୟ ବରୁଆ, ମେଘା ଗୋୟଲ୍ ପ୍ରମୁଖ ଆଜି ଏଠାକୁ ଆସିଥିଲେ। ରାଜ୍ୟସରକାରଙ୍କ ଏହି ଟିମ୍ ମହାନ୍ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି କରାଯାଇଥିବା ଭୁଲ୍କୁ ଅକ୍ଷମଣୀୟ ବୋଲି ଦର୍ଶାଇବା ସହିତ ଫାଇବର୍ରେ ନୁହେଁ, ବରଂ ନବକୃଷ୍ଣ ଚୌଧୁରୀ ଏବଂ ମାଳତୀ ଚୌଧୁରୀଙ୍କ ପ୍ରତିମାକୁ ବ୍ରୋଞ୍ଜ୍ରେ ତିଆରି କରାଇବାକୁ ନିଷ୍ପତ୍ତି ନେଇଥିଲେ। ସେହିପରି, ପାର୍କ ବଦଳରେ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ନୂଆ ଜାଗା ଚୟନ କରିବାକୁ ନିର୍ଦ୍ଦେଶକ ଶ୍ରୀ ଦାସ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଥିଲେ। ସମ୍ଭବତଃ, ଅନୁଗୁଳ ଜିଲ୍ଲା ସଭାଘରଠାରେ ନବକୃଷ୍ଣ-ମାଳତୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ସଂସ୍କୃତି ବିଭାଗ ଯୋଜନା କରୁଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।
ନବକୃଷ୍ଣଙ୍କ ଝିଅଙ୍କୁ ଭେଟିଲେ ସଂସ୍କୃତି ନିର୍ଦ୍ଦେଶକଙ୍କ ସହ ୫ଜଣିଆ ଟିମ୍
ପାର୍କ ନୁହେଁ, ଅନୁଗୁଳ ସଭାଘରେ ପ୍ରତିମୂର୍ତ୍ତି କରିବାକୁ ଆଲୋଚନା
ଏଥିସହିତ, ବାଜି ରାଉତ ଛାତ୍ରାବାସକୁ ଯାଇ ପ୍ରତିମୂର୍ତ୍ତି ସମ୍ପର୍କରେ ନବବାବୁଙ୍କ ଝିଅ କୃଷ୍ଣା ମହାନ୍ତିଙ୍କ ସହିତ ଆଲୋଚନା କରିଥିଲେ। କହିଥିଲେ, ଗୋପବନ୍ଧୁଙ୍କ ଜନ୍ମପୀଠ ସୁଆଣ୍ଡୋ ଏବଂ ମଧୁବାବୁଙ୍କ ଜନ୍ମପୀଠ ସତ୍ୟଭାମାପୁରକୁ ପର୍ଯ୍ୟଟନ ସ୍ଥଳ କରିବା ପାଇଁ ସରକାର ସେ ଅଞ୍ଚଳକୁ ଏକ ନୂଆ ଭବ୍ୟ ରୂପ ଦେଇଛନ୍ତି। ସୁଆଣ୍ଡୋ ପରି ବାଜିରାଉତ ଛାତ୍ରାବାସରେ ଭବ୍ୟ ନିର୍ମାଣ କରି ଏକ ପର୍ଯ୍ୟଟନ ସ୍ଥଳ କରିବାକୁ ନିର୍ଦ୍ଦେଶକ ଶ୍ରୀ ଦାସ ପରାମର୍ଶ ଦେଇଥିଲେ। ସେଥିପାଇଁ ସୁଆଣ୍ଡୋରେ ଯେମିତି ଗୋପବନ୍ଧୁଙ୍କର ଏକ ବିରାଟ ପ୍ରତିମୂର୍ତ୍ତି ହୋଇଛି, ବାଜିରାଉତ ଛାତ୍ରାବାସରେ ବି ସେହିଭଳି ଆକର୍ଷଣୀୟ ସୁ-ଉଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ନିର୍ଦ୍ଦେଶକ ଶ୍ରୀ ଦାସ ବାଜିରାଉତ ଛାତ୍ରାବାସକୁ କହିଥିଲେ।
କିନ୍ତୁ, ଛାତ୍ରାବାସରେ ନବବାବୁଙ୍କ ପ୍ରତିମୂର୍ତ୍ତି ନିର୍ମାଣକୁ ତାଙ୍କ ଝିଅ ଶ୍ରୀମତୀ ମହାନ୍ତି ବିରୋଧ କରିଥିଲେ। କହିଥିଲେ, ନବବାବୁ ପ୍ରତିମୂର୍ତ୍ତି ସପକ୍ଷରେ ନ ଥିଲେ। ବଞ୍ଚିଥିବା ବେଳେ ଛାତ୍ରାବାସରେ ତାଙ୍କର ପ୍ରତିମୂର୍ତ୍ତି ନିର୍ମାଣ ନ କରିବାକୁ କହି ଯାଇଛନ୍ତି। ତାଙ୍କର ଅବର୍ତ୍ତମାନରେ ଛାତ୍ରାବାସରେ ନୁମା (ମାଳତୀ ଚୌଧୁରୀ)-ବାପି (ନବକୃଷ୍ଣ ଚୌଧୁରୀ)ଙ୍କର ପ୍ରତିମୂର୍ତ୍ତି ନିର୍ମାଣ ଅଶୋଭନୀୟ ବୋଲି କହିଥିଲେ। ପ୍ରତିମୂର୍ତ୍ତି ବଦଳରେ ଏଠି ନୁମା-ବାପିଙ୍କର ବିରାଟ ଫଟୋକୁ ଭିନ୍ନ ଢଙ୍ଗରେ ସ୍ଥାନିତ କରିବାକୁ ଶ୍ରୀମତୀ ମହାନ୍ତି ପ୍ରଶାସନକୁ ପରାମର୍ଶ ଦେଇଥିଲେ।