ସାପ କାମୁଡ଼ାରେ ଭାଇ-ଭଉଣୀ ମୃତ : ଚିକିତ୍ସାରେ ଅବ‌େହଳା ଅଭିଯୋଗ, ସୁନ୍ଦରଗଡ଼ ହସ୍ପିଟାଲରେ ଉତ୍ତେଜନା

ସୁନ୍ଦରଗଡ଼ : ଏକ ହୃଦୟ ବିଦାରକ ଅଘଟଣକ୍ରମେ ଆଜି ସର୍ପାଘାତରେ ଭାଇଭଉଣୀଙ୍କ ମୃତ୍ୟୁ ଘଟିଛି। ସାପ କାମୁଡ଼ିବା ପରେ ଦୁହେଁ ଅସୁସ୍ଥ ହୋଇପଡ଼ିବାରୁ ଚିକିତ୍ସା ପାଇଁ ସୁନ୍ଦରଗଡ଼ ହସ୍ପିଟାଲ ଆସିଥିଲେ। ଚିକିତ୍ସାରେ ଅବହେଳା ପାଇଁ ଉଭୟ ବାପା-ମା’ ଆଗରେ ଛଟପଟ ହୋଇ ଆଖି ବୁଜିଥିଲେ। ଏହାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।

ମୃତ ଭାଇ ଭଉଣୀ ହେଲେ ସୁନ୍ଦରଗଡ଼ ସଦର ଥାନା ସୁବଳୟା ନବରଙ୍ଗପୁରଟୋଲାର ପ୍ରଦୀପ ଦଣ୍ଡସେନାଙ୍କ ଝିଅ ବର୍ଷା (୧୩) ଓ ପୁଅ ଅବିନାଶ (୮)। ପରିବାର ଲୋକଙ୍କ ସୂଚନା ଅନୁସାରେ, ରାତିରେ ଖାଇପିଇ ବାପା ପ୍ରଦୀପ, ମା’ ଜୁଲିଙ୍କ ସହ ମଝିଆ ପୁଅ କ୍ରୀଷ୍ଣା (୧୦) ଶୋଇ ଯାଇଥିଲେ। କିନ୍ତୁ ଅନ୍ୟ ଦୁଇ ସନ୍ତାନ ବର୍ଷା ଓ ଅବିନାଶ ରାତିରେ କିଛି ସମୟ ପଢ଼ିବା ପରେ ଗୋଟିଏ ଖଟରେ ଶୋଇଯାଇଥିଲେ। ସକାଳ ୫ଟାରେ ଉଠିଲା ବେଳେ ବର୍ଷା ମୁଣ୍ଡ ବୁଲାଉଥିବା କହିଥିଲା। ଗୋଡ଼ରେ ସର୍ପାଘାତର ଚିହ୍ନ ଦେଖି ସାପ କାମୁଡ଼ିଥିବା ସ‌ନ୍ଦେହ କରି ପରିବାର ଲୋକେ ତୁରନ୍ତ ତାକୁ ସୁନ୍ଦରଗଡ଼ ସରକାରୀ ହସ୍ପିଟାଲ ନେଇଥିଲେ। ସାଙ୍ଗରେ ଅବିନାଶକୁ ମଧ୍ୟ ନିଆଯାଇଥିଲା। କିନ୍ତୁ ସେତେବେଳେ ଅବିନାଶକୁ ସାପ କାମୁଡ଼ିଥିବା ନେଇ ପରିବାର ଲୋକେ ଅବଗତ ନଥିଲେ। ସକାଳ ୬ଟାରେ ଡାକ୍ତରଖାନା ପହଞ୍ଚିଥିଲେ ବି ଅସୁସ୍ଥ ଝିଅକୁ ଦେଖିବାକୁ କେହି ନଥିଲେ। ୨ ଘଣ୍ଟା ପରେ ଡାକ୍ତର ଆସିଲେ, ସେତେବେଳକୁ ବର୍ଷାର ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଡାକ୍ତର ସାପ କାମୁଡ଼ିଥିବା ପ୍ରକାଶ କରି ବୁର୍ଲା ସ୍ଥାନାନ୍ତର କରିଥିଲେ। ବାଟରେ ଝାରସୁଗୁଡ଼ା ବଡ଼ମାଲ ନିକଟରେ ବର୍ଷାର ମୃତ୍ୟୁ ଘଟିଥିଲା। ଏପଟେ ସୁନ୍ଦରଗଡ଼ ହସ୍ପିଟାଲରେ ଥିବା ଅବିନାଶ ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ତାକୁ ଡାକ୍ତରଖାନାରେ ରଖାଯାଇଥିଲା। ଏପରିକି ଅବିନାଶକୁ ସାପ କାମୁଡ଼ିଥିବା କଥା ଡାକ୍ତର ବି ଜାଣି ପାରି ନଥିଲେ ବୋଲି କୁହାଯାଉଛି। କିନ୍ତୁ କିଛି ସମୟ ପରେ ତାର ଅବସ୍ଥା ଗୁରୁତର ହେବାରୁ ତାକୁ ଆର୍‌ଜିଏଚ୍‌ ସ୍ଥାନାନ୍ତର କରାଯାଇଥିଲା। ଆର୍‌ଜିଏଚ୍‌ ପହଞ୍ଚିଲା ବେ‌ଳକୁ ଅବିନାଶଙ୍କ ମୃତ୍ୟୁ ହୋଇଯାଇଥିଲା। ଦୁଇ ସନ୍ତାନଙ୍କ ମୃତ ଦେହକୁ ନେଇ ବାପା-ମା’ ସୁନ୍ଦରଗଡ଼ ହସ୍ପିଟାଲରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ତୁରନ୍ତ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ପରେ ସଦରଥାନା ଓ ଟାଉନଥାନା ପୁଲିସ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ବୁଝସୁଝା କରିଥିଲେ। ଏହା ପରେ ଶବ ଦୁଇଟିକୁ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଥିଲା ପୁଲିସ। ଏ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା କଥ‌ା ହେଲା, ଝିଅକୁ ଡାକ୍ତରଖାନା ଆଣିବା ପରେ ଜରୁରୀକାଳୀନ ଡାକ୍ତର ଦେଖିଥିଲେ। କିନ୍ତୁ ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର