ଭଦ୍ରକ/ଯାଜପୁରସଦର/ବ୍ୟାସନଗର: ବ୍ରାଉନସୁଗାର/ହେରୋଇନ ବେପାର ଚଳାଇଥିବା ଦୁଇ ଭାଇଭଉଣୀଙ୍କୁ ପୁଲିସ ଗିରଫ କରିଛି। ଯାଜପୁର ଜିଲ୍ଲାରେ ନିଶା ସାମ୍ରାଜ୍ୟ ଚଳାଇଥିବା ଏହି ଭାଇଭଉଣୀ ହେଲେ ଯାଜପୁରରୋଡ ଥାନା ଅନ୍ତର୍ଗତ ବ୍ୟାସନଗର ସହର କହ୍ନେଇପୁରର ରାଜେନ୍ଦ୍ର ମହାନ୍ତିଙ୍କ ପତ୍ନୀ ସବିତା ମହାନ୍ତି(୩୯) ଓ ତାଙ୍କ ଭାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳର ଅନନ୍ତ ଖଟୁଆ (୨୧)। ଅନନ୍ତ ଭଦ୍ରକରୁ ବାଉନସୁଗାର ଆଣି ସବିତା ନିକଟରେ ପହଞ୍ଚାଉଥିଲା। ଏକ ସଂଗଠନ ଜରିଆରେ ଏହି ନିଶାକୁ ସବିତା ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକ୍ରି କରୁଥିଲା। ଆଜି ଭୋରରୁ ଯାଜପୁର ସଦର ଥାନା ଅନ୍ତର୍ଗତ ପାଣିକୋଇଲି-ଯାଜପୁର ରାସ୍ତାର ମାଳଆନନ୍ଦପୁରଠାରେ ଏକ ଖଟିରେ ଅନନ୍ତ ସବିତାକୁ ଭେଟି ବ୍ରାଉନସୁଗାର ଦେଉଥିଲା। ଏହି ସମୟରେ ଜିଲ୍ଲା ଅବକାରୀ ବିଭାଗ ଅଧିକାରୀଙ୍କ ହାତରେ ଦୁହେଁ ଧରାପଡ଼ିଥିଲେ। ଉଭୟଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରାଯାଇଛି।
/sambad/media/post_attachments/wp-content/uploads/2022/07/5aca521d-5226-4f7c-bb3a-89f933862125.jpg)
ସୂଚନା ଅନୁସାରେ, କହ୍ନେଇପୁର ଅଞ୍ଚଳର ରାଜେନ୍ଦ୍ର ମହାନ୍ତିଙ୍କ ପତ୍ନୀ ସବିତା ଯାଜପୁରରୋଡ୍, ପାଣିକୋଇଲି ଓ ଯାଜପୁରଟାଉନ ସମେତ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ବ୍ରାଉନସୁଗାର ପହଞ୍ଚାଉଥିବା ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ଏହି ସୂଚନାକୁ ଆଧାର କରି ଗତକାଲି ବିଳମ୍ବିତ ରାତିରେ ଅବକାରୀ ବିଭାଗ ପକ୍ଷରୁ କହ୍ନେଇପୁରଠାରେ ସବିତା ଘର ଉପରେ ଚଢ଼ଉ କରାଯାଇଥିଲା। ହେଲେ ସେଠାରୁ କିଛି ମିଳିନଥିଲା। ହେଲେ ଅନ୍ୟ ଏକ ସୂଚନା ଆଧାରରେ, ଅବକାରୀ ବିଭାଗ ଅଧିକାରୀମାନେ ମାଳଆନନ୍ଦପୁର ହାଟରେ ଭୋରରୁ ଚଢ଼ଉ କରିଥିଲେ। ସେଠାରୁ ବ୍ରାଉନସୁଗାର ସହ ଭାଇଭଉଣୀଙ୍କୁ କାବୁ କରାଯାଇଥିଲା। ଉଭୟଙ୍କ ପାଖରୁ ୬୦ ଗ୍ରାମ ବ୍ରାଉନ୍ସୁଗାର ଓ ୫ ହଜାର ଟଙ୍କା ଜବତ କରାଯାଇଥିଲା। ଅନନ୍ତ ଭଦ୍ରକ ଅଞ୍ଚଳରୁ ବ୍ରାଉନ୍ସୁଗାର ଆଣି ସବିତାକୁ ଦେଉଥିବା ବେଳେ ଦଲାଲଙ୍କ ଜରିଆରେ ସବିତା ତାକୁ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ଛୋଟଛୋଟ ଦୋକାନରେ ପହଞ୍ଚାଉଥିଲା। ଅବକାରୀ ଅଧୀକ୍ଷକ ଅମରେନ୍ଦ୍ର ଜେନାଙ୍କ ନିର୍ଦ୍ଦେଶରେ ହୋଇଥିବା ଚଢ଼ଉରେ ଇନ୍ସପେକ୍ଟର ସ୍ବପ୍ନାରାଣୀ ସାହୁଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/8cce6f4c-ac12-477e-9e83-ce7a4a1cee3c.jpg)