ସାପକାମୁଡ଼ାରେ ଭାଇଭଉଣୀଙ୍କ ମୃତ୍ୟୁ

ବାଳମୁକୁଳି : କେନ୍ଦ୍ରାପଡ଼ା ଜିଲ୍ଲା ତଥା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ସାପ କାମୁଡ଼ାରେ ଭାଇଭଉଣୀଙ୍କ ମୃତ୍ୟୁ ହୋଇଯାଇଛି। ନାବାଳକ ଦୁଇ ଭାଇଭଉଣୀଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଏହି ଗ୍ରାମର ଅରୁଣ ଦାସଙ୍କ ପତ୍ନୀ, ପୁଅ ଅଭିଷେକ(୧୧) ଓ ଝିଅ ଭୂମିକା(୩) ଗୋଟିଏ ବିଛଣାରେ ଶୋଇଥିଲେ। ତେବେ ରାତ‌ିରେ ଏକ ବିଷଧର ସାପ ଭାଇଭଉଣୀଙ୍କୁ କାମୁଡ଼ି ଦେଇଥିଲା। ସାପ କାମୁଡ଼ି ଦେଇଥିବା ଜାଣିବା ପରେ ଅଭିଷେକ ପରିବାର ଲୋକଙ୍କୁ ଜଣାଇଥିଲା। ତାକୁ ପ୍ରଥମେ ବିଂଝାରପୁର ଓ ପରେ ଯାଜପୁର ଡାକ୍ତରଖାନାକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ପୁଅକୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଅଭିଷେକକୁ ମୃତ ଘୋଷଣା କରିଥିଲେ।

ସେହିପରି ୩ବର୍ଷର ଭୂମିକାକୁ ସାପ କାମୁଡ଼ି ଦେଇଥିଲେ ହେଁ କେହି ଜାଣିନଥିଲେ। ହଠାତ ସେ ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ଝିଅକୁ ମଧ୍ୟ ଡାକ୍ତରଖାନା ନିଆଯାଇଥିଲା। ହେଲେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଝିଅର ମୃତ୍ୟୁ ହୋଇଯାଇଥିଲା। ଭାଇଭଉଣୀଙ୍କ ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ମୃତଦେହ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଆଳି ତହସିଲଦାର ପହଞ୍ଚି ରେଡକ୍ରସ ପାଣ୍ଠିରୁ ଶବସତ୍କାର ପାଇଁ ଦଶହଜାର ଟଙ୍କା ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର