ମାଣିଆବନ୍ଧ : କଟକ ଜିଲ୍ଲା ବଡ଼ମ୍ବା ବ୍ଲକ୍ ଅନ୍ତର୍ଗତ ଅଭିମାନପୁର ପଞ୍ଚାୟତ ବୀରବରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ ଖାଦ୍ୟ ଖାଇ ଭାଇ-ଭଉଣୀଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ବାପା-ମା ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଘରେ ଚାଟ୍ ତିଆରି କରି ଖାଇବା ପରେ ସେମାନେ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା କୁହାଯାଉଛି। ଏହି ଘଟଣା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ସୂଚନା ମୁତାବକ, ଗୁରୁବାର ସନ୍ଧ୍ୟାରେ ବୀରବରପୁର ଗ୍ରାମର ଗୋବିନ୍ଦ ପାତ୍ର (୪୧), ତାଙ୍କ ପତ୍ନୀ ରୁନୁବାଳା ପାତ୍ର (୩୬), ପୁଅ ରୁଦ୍ରପ୍ରସାଦ ପାତ୍ର (୧୨) ଓ ଝିଅ ରୁଚିକା ପାତ୍ର(୮) ଘରେ ଚାଟ୍ ତିଆରି କରି ଖାଇଥିଲେ। ରାତିରେ ସମସ୍ତେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାରୁ ଶୁକ୍ରବାର ସକାଳେ ଚିକିତ୍ସା ପାଇଁ ମାଣିଆବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ସେଠାରେ ଚିକିତ୍ସା ସତ୍ତ୍ବେ ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ପରେ ଚାରି ଜଣ କଟକ ସିଟି ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ସେଠାରେ ଶୁକ୍ରବାର ରାତିରେ ଝିଅ ରୁଚିକା ଓ ଶନିବାର ସକାଳେ ପୁଅ ରୁଦ୍ରପ୍ରସାଦଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଗୋବିନ୍ଦ ଓ ରୁନୁବାଳାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ଡାକ୍ତରଖାନା ଆଇସିୟୁରେ ଚିକିତ୍ସା କରାଯାଉଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି।
ଶନିବାର ଦିନ ମୃତ ରୁଦ୍ରପ୍ରସାଦ ଓ ରୁଚିକାଙ୍କ ମୃତଦେହ ବୀରବରପୁର ଗ୍ରାମକୁ ଅଣାଯାଇ ଶୋକାକୁଳ ପରିବେଶରେ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ କରାଯାଇଛି। ଶନିବାର ଦିନ ମୃତକଙ୍କ ସମ୍ପର୍କୀୟମାନେ ଗୋବିନ୍ଦଙ୍କ ଘରକୁ ଯାଇଥିବା ବେଳେ ଶୋଇବା ଘରେ ଚାଟ୍, ଅରୁଆ ଭାତ, ତରକାରୀ ଆଦି ଖାଦ୍ୟ ସାମଗ୍ରୀ ରହିଥିବା ଦେଖିବାକୁ ମିଳିଥିଲା। ପୁଲିସ ଓ ପ୍ରଶାସନ ତଦନ୍ତ କରି ଘଟଣାର ରହସ୍ୟ ଉନ୍ମୋଚନ କରିବାକୁ ସାଧାରଣରେ ଦାବି କରାଯାଇଛି।
ଅନ୍ୟପଟେ ଉକ୍ତ ଘଟଣା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦୁଇଟି ଟିମ୍ ଗଠନ କରାଯାଇଛି। ଆଜି ବ୍ଲକ୍ସ୍ତରୀୟ ସ୍ବାସ୍ଥ୍ୟ ବିଭାଗ ଟିମ୍ ମୃତକଙ୍କ ଘରେ ପହଞ୍ଚି ପ୍ରାଥମିକ ଯାଞ୍ଚ କରିବା ସହ ଖାଦ୍ୟର ନମୁନା ସଂଗ୍ରହ କରିଛନ୍ତି। ଆସନ୍ତାକାଲି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଖାଦ୍ୟ ସୁରକ୍ଷା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ରିପୋର୍ଟ ଦେବାକୁ ଏଡିଏମ୍ଓ (ଡିଜିଜ୍ କଣ୍ଟ୍ରୋଲ୍) ଡାକ୍ତର ଲୋକନାଥ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି।