ବଅଁରପାଳ (ରାଜେଶ କୁମାର ନାୟକ): ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସମ୍ମୁଖରେ ଆଜି ଅପରାହ୍ନ ୪ଟା ସମୟରେ ସ୍କୁଟିରେ ଯାଉଥିବା ଦୁଇ ସଂପର୍କୀୟ ଭାଇ ଓ ଭଉଣୀଙ୍କୁ ଦ୍ରୁତଗାମୀ ଟ୍ରକ୍ ଘୋଷାଡ଼ି ନେଇଛି। ଟ୍ରକ୍ ଚକା ତରୁ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ‘ସମ୍ବାଦ’ର ସ୍ଥାନୀୟ ପ୍ରତିନିଧି ଡାକ୍ତରଖାନାକୁ ପଠାଇଛନ୍ତି। ଗୁରୁତର ୨ ଜଣ ହେଲେ ମିକି ସାହୁ (୧୮) ଓ ସୁଧାଂଶୁ ଶେଖର ସାହୁ (୨୦)। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ ବଉଳିଗଡ ଗ୍ରାମର ଦୁଇ ସଂପର୍କୀୟ ଭାଇ-ଭଉଣୀ ମିକି ଓ ସୁଧାଂଶୁ ଆଜି ତାଳଚେରରେ ଅପା ପୁଅ ବିବାହ ମଙ୍ଗନ କାର୍ଯ୍ୟକ୍ରମରେ ଯୋଗେ ଦେଇ ଫେରିବା ବାଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ଉଭୟ ଭାଇ ଓ ଭଉଣୀ ସ୍କୁଟି (ଓଡ଼ି ୧୯ଭି ୫୧୧୬)ରେ ଫେରୁଥିବା ସମୟରେ ବଅଁରପାଳ ଥାନା ସମୁଖ ଟ୍ରାଫିକ ଛକରେ ତାଳଚେର ପାର୍ଶ୍ୱରୁ ଆସୁଥିବା କୋଇଲା ବୁଝେଇ ଟ୍ରକ (ଓଡ଼ି ୦୯କେ ୮୦୪୫) ପଛପଟୁ ଧକ୍କା ଦେଇ ଘୋଷାଡ଼ି ନେଇଥିଲା। ଫଳରେ ସୁଧାଂଶୁ ପଛ ଚକା ତଳେ ପଡ଼ିଥିବା ବେଳେ ମଝି ଚକାର ଚକା ଏକ୍ସେଲରେ ଭଉଣୀ ମିକି ଚାପି ହୋଇ ରହିଥିଲେ। ଚକାର ଏକ୍ସେଲ ତଳେ ଏମିତି ଭାବେ ଝିଅ ମିକି ଚାପି ହୋଇ ରହିଥିଲେ ଯେ ଟ୍ରକଟି ଆଗକୁ ନେଲେ ଝିଅଟି ଚାପି ହୋଇ ମରିବ ଓ ପଛକୁ ଗଲେ ମଧ୍ୟ ଚାପି ହୋଇ ମରିବ। ଏହି ପରି ଅବସ୍ଥାରେ ଝିଅଟି ଟ୍ରକ ତଳେ ରହିଥିଲା। ଝିଅଟି ଗୋଟିଏ ଗୋଡ଼ ଓ ହାତ ଏବଂ ପିଚା ନଷ୍ଟ ହୋଇ ମାଂସ ବାହାରି ଯାଇଥିଲା।
ଥାନା ସମ୍ମୁଖରେ ଏହି ଘଟଣା ଘଟିଥିଲେ ବି ପୁଲିସ ଏକ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ଟ୍ରାଫିକ ପୋଷ୍ଟରେ କୌଣସି ପୁଲିସ ରହୁ ନଥିବାରୁ ବାରମ୍ବାର ଦୁର୍ଘଟଣା ଘଟି ଜୀବନ ଯାଉଛି। ଏକ ଘରୋଇ କମ୍ପାନିର ଅନଭିଜ୍ଞ ସୁରକ୍ଷା କର୍ମୀଙ୍କ ହାତରେ ବଅଁରପାଳ ଥାନା ଛକ ପରି ଏକ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ବ୍ୟବସ୍ଥା ଟେକି ଦେଇଥିବାରୁ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟୁଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ ଆଣୁଛନ୍ତି।
ଦୁର୍ଘଟଣାର ଅଳ୍ପ ସମୟ ମଧ୍ୟରେ ବଅଁରପାଳ ବ୍ଲକ ସମ୍ବାଦ ପ୍ରତିନିଧି ରାଜେଶ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସେ ସ୍ଥାନୀୟ ଲୋକଙ୍କ ସହାୟତାରେ ଚକା ତଳୁ ଗୁରୁତର ଭାବେ ଉଦ୍ଧାର କରି ପୁଲିସ ଗାଡ଼ିରେ ଉଭୟଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। କିନ୍ତୁ ସେମାନଙ୍କର ଅବସ୍ଥା ଶୋଚନୀୟ ଥିବାରୁ ସେଠାରୁ ଭାଇ ଓ ଭଉଣୀଙ୍କୁ ଡାକ୍ତର କଟକ ସ୍ଥାନାନ୍ତରିତ କରିଥିଲେ। ଦୁର୍ଘଟଣାଟି ବଅଁରପାଳ ଥାନା ସମ୍ମୁଖରେ ହୋଇଥିବାରୁ ତାଳଚେର, ଢେଙ୍କାନାଳ ଓ ଅନୁଗୁଳ ପାର୍ଶ୍ୱରେ ଶତାଧିକ ଗାଡି ଛିଡା ହୋଇ ରହିଥିଲା। ଦୀର୍ଘ ଦୁଇ ଘଣ୍ଟା ପରେ ରାସ୍ତା ଭିଡ଼ ହଟିଥିଲା।
ସୂଚନା ଥାଉକି ଗୋଟିଏ ଦିନ ତଳେ ଉକ୍ତ ସ୍ଥାନରେ ବଅଁରପାଳ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଗୀତାଞ୍ଜଳି ସାହୁଙ୍କୁ ପଛ ପଟୁ ଏକ ଟ୍ରକ୍ ଧକ୍କା ଦେଇଥିଲା ।ଫଳରେ ଗୁରୁତର ଅବସ୍ଥାରେ ଗୀତାଞ୍ଜଳି ଆହତ ହୋଇଥିଲେ। ସେ ଏବେ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି। ଟ୍ରାଫିକ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଓ ଅବ୍ୟବସ୍ଥା ପାଇଁ ଦୁର୍ଘଟଣା ବାରମ୍ବାର ଘଟି ଜୀବନ ଯାଉଛି ବୋଲି ଅଞ୍ଚଳବାସୀ କହିଛନ୍ତି।