କୋଭିଡକୁ ହରାଇଲେ ଭାଇ-ଭଉଣୀ: ୧୭ଦିନ ଆଇସିୟୁରେ ରହି ୨୭ ଦିନରେ ଫେରିଲେ ନୃସିଂହ, ୧୭ଦିନରେ ଦେବସ୍ମିତା

ଜୟପୁର: ଦୃଢ଼ ଆତ୍ମବିଶ୍ବାସ, ଧୈର୍ଯ୍ୟ ଓ ମନୋବଳ ରଖିଲେ ଅସାଧ୍ୟ ସାଧିତ ହୋଇଥାଏ। କରୋନା କାଳରେ ଏହି କଥାକୁ ପ୍ରମାଣିତ କରିଛନ୍ତି ଜୟପୁର ପାଣିନଳା ସାହିର ନୃସିଂହ ପାତ୍ର ଓ ତାଙ୍କ ବିବାହିତା ଭଉଣୀ ଦେବସ୍ମିତା ପାତ୍ର । କରୋନାରେ ସଂକ୍ରମିତ ହୋଇ ଉଭୟ ଗୁରୁତର ହୋଇ ଜୟପୁର କୋଭିଡ୍ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ। ନୃସିଂହ ଦୀର୍ଘ ୧୭ଦିନ ଆଇସିୟୁରେ ଏବଂ ସାଧରଣ ୱାର୍ଡରେ ୧୦ଦିନ ଏଭଳି ସମୁଦାୟ ୨୭ଦିନ କାଳ କୋାଭିଡ୍ ହସ୍ପିଟାଲରେ କରୋନା ସହ ଲଢ଼ିଛନ୍ତି। ତେବେ ସେ ନିଶ୍ଚୟ ସୁସ୍ଥ ହେବେ ବୋଲି ଦୃଢ଼ ମନୋବଳ ରଖିଥିଲେ। ଶେଷରେ ସେ ଏବଂ ତାଙ୍କ ଭଉଣୀ ଉଭୟ କରୋନାକୁ ହରାଇ ଘରକୁ ଫେରିଛନ୍ତି।

ନୃସିଂହ ତାଙ୍କ ଅନୁଭୂତି ‘ସମ୍ବାଦ’ ଆଗରେ ବର୍ଣ୍ଣନା କରି କହିଛନ୍ତି, ଗତମେ ୨ରୁ ୩ତାରିଖ ବେଳକୁ ସେ ତାଙ୍କ ଭଉଣୀ ଦେବସ୍ମିତା ଆକ୍ରାନ୍ତ ବୋଲି ଜାଣିପାରିଥିଲେ। ୧୧ତାରିଖ ବେଳକୁ ଉଭୟ ହଠାତ୍ ନିଃଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଉଭୟଙ୍କର ଅମ୍ଳଜାନ ସ୍ତର କମିଥିବା ଜଣାପଡ଼ିଥିଲା। ଉଭୟ ସେ ଦିନ ହିଁ ଜୟପୁର କୋଭିଡ୍ ହସ୍ପିଟାଲରେ ଆଡ଼ମିଟ ହୋଇଥିଲେ। ସେତେବେଳେ ନୃସିଂହଙ୍କର ଓକ୍ସିଜେନସ୍ତର ୭୯ରୁ ୮୦ ରହୁଥିବା ବେଳେ ଭଉଣୀଙ୍କର ୮୯ ଥିଲା। ୧୧ରେ ହିଁ ନୃସିଂହଙ୍କୁ ଡାକ୍ତରୀ ଟିମ୍ ଆଇସିୟୁରେ ରଖି ସ୍ବତନ୍ତ୍ର ନିରୀକ୍ଷଣ ଆରମ୍ଭ କରିଥିଲେ।

ଭଉଣୀ ସାଧାରଣ ୱାର୍ଡରେ ରହି ଚିକିତ୍ସାଧୀନ ହୋଇଥିଲେ। ଦୀର୍ଘ ୧୭ଦିନ କାଳ ନୃସିଂହ ଆଇସିୟୁରେ ରହିବା ପରେ ଗତ ୨୮ତାରିଖ ଦିନ ସାଧାରଣ ୱାର୍ଡକୁ ଆସିଥିଲେ। ୧୭ଦିନ ଚିକିତ୍ସାଧୀନ ରହି ଭଉଣୀ ଦେବସ୍ମିତା ସୁସ୍ଥ ହୋଇ ୨୮ରେ ଘରକୁ ଯାଇଥିଲେ। ନୃସିଂହ ଦୀର୍ଘ ୨୭ଦିନ କାଳ କୋଭିଡ୍ ହସ୍ପିଟାଲରେ ରହିବା ପରେ ଆଜି ସୁସ୍ଥ ହୋଇ ଘରକୁ ଫେରିଥିଲେ। ସେ କହିଛନ୍ତି, ଏହି ସମୟରେ ସେ ବହୁତ କଷ୍ଟ ଅନୁଭବ କରିଥିଲେ। ତାଙ୍କ ସହ ଆଇସିୟୁରେ ଥିବା ୧୩ଜଣଙ୍କ ମଧ୍ୟରୁ ସେ ଓ ଅନ୍ୟ ଜଣେ ଏଭଳି ୨ଜଣ ହିଁ ମୃତ୍ୟୁ ସହ ଲଢ଼ି ବାହାରକୁ ଆସିଛୁ ବୋଲି କହିଛନ୍ତି। ଏପରି ସମୟ ଥିଲା ଯେ ସେ ନିଜ ମନୋବଳ ଭାଙ୍ଗି ପଡ଼ିଥିଲା। ଭୟ ବି ରହିଥିଲା। କିନ୍ତୁ ଭିଣୋଇ ରାଜାରାମ ଶତପଥୀ ଓ ଭାଇ ସବୁ ଦିନ ରାତି ୯ଟାରେ ଭିଡିଓ କନଫେରନସିଂ କରି ମନୋବଳକୁ ଦୃଢ଼ କିଭଳି କରି ହେବ କରୋନାକୁ କିଭଳି ଲଢ଼ି ବାହାରକୁ ବାହାରି ହେବ ସେ ନେଇ ପ୍ରତ୍ସାହିତ କରୁଥିଲେ। ଏଥିରେ ତାଙ୍କ ଭଉଣୀ ବି ସାମିଲ ଥିଲେ। ପରେ ପରେ ମନୋବଳ ଦୃଢ଼ ରଖିଥିଲେ ଓ ଆଦୌ ଧୈର୍ଯ୍ୟ ହରାଇ ନଥିଲେ।

ଏଏମଓ ଡ.ଆଶିଷ ପାଣିଗ୍ରାହୀ ଓ ଅନ୍ୟ ଡାକ୍ତର ଓ ନର୍ସମାନେ ଉଚ୍ଚକୋଟୀର ଚିକିତ୍ସା କରିଥିଲେ। ଠିକ୍ ସମୟରେ ଖାଦ୍ୟ ଓ ଔଷଧ ଦେଉଥିଲେ। ଏଥି ପାଇଁ ସେ ଡାକ୍ତର ଓ ନର୍ସଙ୍କୁ କୃତଜ୍ଞତା ଜଣାଇଛନ୍ତି। ଡାକ୍ତରଖାନାରେ ଥିଲେ ବି ଜଣେ ମନୋବଳ ଓ ଆତ୍ମବିଶ୍ବାସଓ ପରିବାରବର୍ଗର ସମର୍ଥନ ମିଳିଲେ କରୋନାକୁ ନିଶ୍ଚିତ ଭାବେ ହରାଇପାରିବ ବୋଲି କହିଛନ୍ତି ନୃସିଂହ ।

ସମ୍ବନ୍ଧିତ ଖବର