ରାୟଗଡ଼ା: ଭଉଣୀକୁ ଦେଖା କରିବାକୁ ଆନ୍ଧ୍ରପ୍ରଦେଶରୁ ଆସିଥିଲେ। ସିରିକଣାରେ ଭଉଣୀକୁ ଦେଖା କରି ଖୁସିରେ ଘରକୁ ଫେରୁଥିବା ବେଳେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍ ଧକ୍କାରେ କଣ୍ଡାଗିରି ଶିବା (୩୨) ଙ୍କ ମୃତ୍ୟୁ ହୋଇଥିବା ବେଳେ କାଡ୍ରକା ରବି ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ରବିକୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ରବିର ସ୍ବାସ୍ଥ୍ୟବସ୍ଥା ସ୍ଥର ଥିବା ଡାକ୍ତର କହିଛନ୍ତି।
ଆନ୍ଧ୍ରପ୍ରଦେଶ ସାଲୁର ଅଞ୍ଚଳର କାଡ୍ରକା ରବି ନିଜ ଭଉଣୀକୁ ଦେଖା କରିବା ପାଇଁ ଆଜି ବାଇକ୍ ଯୋଗେ ରାୟଗଡ଼ା ବ୍ଲକର ସିରିକଣା ଗ୍ରାମକୁ ଆସିଥିଲେ। ରବି ନିଜ ସାଙ୍ଗ କଣ୍ଡାଗିରି ଶିବାଙ୍କ ସହ ଆସିଥିବା ବେଳେ ଭଉଣୀକୁ ଦେଖା କରିବା ପରେ ମଧ୍ୟାହଣରେ ଉଭୟ ବାଇକ୍ ଯୋଗେ ସାଲୁର ଅଭିମୁଖେ ଫେରୁଥିଲେ। ରାୟଗଡ଼ା ଆଶୀର୍ବାଦ ଢ଼ାବା ନିକଟରେ ଏକ ମାଲବାହୀ ଟ୍ରକ୍ କାଡ୍ରକା ରବିଙ୍କ ବାଇକକୁ ଧକ୍କା ଦେଇ ପଳାଇ ଯାଇଥିଲା। ଟ୍ରକ୍ ଧକ୍କାରେ ବାଇକ ଭାରସାମ୍ୟ ହରାଇବା ଯୋଗୁ ଉଭୟେ ତଳେ ପଡି ଯାଇଥିବା ବେଳେ ଏହି ସମୟରେ ପଛରୁ ଆସିଥିବା ଅନ୍ୟ ଏକ ମାଲବାହୀ ଟ୍ରକ୍ ବାଇକ୍ ଉପରେ ଚଢ଼ି ଯାଇଥିଲା। ଟ୍ରକ୍ ଚାପାରେ କଣ୍ଡାଗିରି ଶିବାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ କାଡ୍ରକା ରବି ଗୁରୁତର ଭାବେ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଦୁର୍ଘଟଣା ସଂପର୍କରେ ପୁଲିସକୁ ଖବର ଦେବା ପରେ ଆମ୍ବୁଲାନସ୍ ଘଟଣାସ୍ଥଳରେ ପହଞ୍ଚି କାଡ୍ରକା ରବିକୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ କାଡ୍ରକା ରବିଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା କଣ୍ଡାଗିରି ଶିବାଙ୍କ ମୃତଦେହକୁ ପୁଲିସ୍ ଜବତ କରି ବ୍ୟବଚ୍ଛେଦ ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶବ ସଂରକ୍ଷଣ ଗୃହରେ ରଖିଛି। ପରିବାର ଲୋକ ଆସିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ରାୟଗଡ଼ା ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୁଲିସ୍ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରି ଥାନାକୁ ଆଣିଛି।