ପାରିବାରିକ କଳହର କରୁଣ ପରିଣତି, ଦେଢ଼ଶୁରର କଟୁରି ଚୋଟରେ ଭାଇବୋହୂ ଲହୁଲୁହାଣ

ବାଲିପାଟଣା: ବାଲିପାଟଣା ଥାନା ଅଭୟମୁଖୀ ଗ୍ରାମରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି | ଦେଢ଼ଶୁର ଗୋଵିନ୍ଦ ସାହୁ କଟୁରିରେ ହାଣି ତାଙ୍କ ସାନଭାଇଙ୍କ ପତ୍ନୀ ମାନସୀ ସାହୁ (୪୦)ଙ୍କୁ ଲହୁଲୁହାଣ କରିଛନ୍ତି| ଆକ୍ରମଣରେ ମହିଳାଙ୍କ ମୁଣ୍ଡ ଏବଂ ହାତରେ ଗୁରୁତର ଆଘାତ ଲାଗିଛି | ମାନସୀଙ୍କୁ ପ୍ରଥମେ ଅଭୟମୁଖୀ ଉପ – ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା | ଅବସ୍ଥା ସଙ୍କଟାପନ୍ନ ହେବାରୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି |

ସୂଚନା ଅନୁସାରେ, ଦେଉଳିଧରପୁର ପଞ୍ଚାୟତ ଅଭୟମୁଖୀ ଶାସନ ଗ୍ରାମର ଗୋବିନ୍ଦ ସାହୁ ଓରଫ ବାବୁଲା ଏବଂ ତାଙ୍କ ସାନ ଭାଇ ନନ୍ଦ କିଶୋର ସାହୁ ଓରଫ ଠେକୁଆଙ୍କ ମଧ୍ୟରେ ପୂର୍ବରୁ ଜମିଜମା ବିବାଦ ଲାଗି ରହିଥିଲା | ଏ ନେଇ ଅନେକ ଥର ଥାନାରେ ଅଭିଯୋଗ ହୋଇଥିଲା | ଥାନାରେ ଅଭିଯୋଗ ହେବା ପରେ ଭଦ୍ରଲୋକଙ୍କ ଉପସ୍ଥିତିରେ ବିବାଦର ସମାଧାନ ମଧ୍ୟ ହୋଇଥିଲା | କିନ୍ତୁ ବାବୁଲା ଭଦ୍ରଲୋକଙ୍କ ନିଷ୍ପତ୍ତିକୁ ମାନି ନ ଥିଲେ| ସାନ ଭାଇର ସମ୍ପତ୍ତିକୁ ଜୋର ଜବରଦସ୍ତ ଅକ୍ତିଆର ପାଇଁ ମସୁଧା କରୁଥିଲେ | ଏହି କାରଣରୁ ୨ ଭାଇଙ୍କ ମଧ୍ୟରେ ଅନେକ ସମୟରେ କଳହ ଉପୁଜୁଥିଲା |

ସାନଭାଇର ସମ୍ପତ୍ତିରେ ବାବୁଲା ଘର ନିର୍ମାଣ ଆରମ୍ଭ କରିବାରୁ ନନ୍ଦ କିଶୋର ପୁନର୍ବାର ଥାନାକୁ ଜଣାଇଥିଲେ | ଆଜି ବାବୁଲା ଭୁବନେଶ୍ୱରରୁ ଘରକୁ ଆସି ସାନ ଭାଇର ବଜାରରେ ଥିବା ଦୋକାନ ନିକଟକୁ ଯାଇ ଥାନାରେ ପୁନର୍ବାର କ’ଣ ପାଇଁ ଜଣାଇଲୁ ବୋଲି ପଚାରିଥିଲେ| ଏହାପରେ ଭଦ୍ରଲୋକଙ୍କ ନିଷ୍ପତ୍ତିକୁ ମାନିନେବାକୁ ସାନ ଭାଇ ନନ୍ଦ କିଶୋର କହିଥିଲେ | ହେଲେ ଦିନ ପ୍ରାୟ ୧୧ଟା ସମୟରେ ବାବୁଲା ଘରକୁ ଯାଇ ନନ୍ଦ କିଶୋରଙ୍କ ଅନୁପସ୍ଥିତରେ ତାଙ୍କ ପତ୍ନୀ ମାନସୀଙ୍କ ସହିତ ଝଗଡ଼ା କରିଥିଲେ |

ଝଗଡ଼ା ବଢ଼ିବାରୁ ହଠାତ୍ ଏକ କଟୁରି  ଆଣି ଭାଇବୋହୂଙ୍କୁ ଆକ୍ରମଣ କରିଥିଲେ ବାବୁଲା | କଟୁରି ଚୋଟ ବାଜି ମହିଳାଙ୍କ ହାତ ଏବଂ ମୁଣ୍ଡରେ ୨୦ରୁ ଅଧିକ ଷ୍ଟିଚ୍ ପଡ଼ିଛି ଏବଂ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି| ଖବର ପାଇ ବନମାଳିପୁର ଫାଣ୍ଡି ପୁଲିସ ଘଟଣା ସ୍ଥଳକୁ ଯାଇ ରକ୍ତଭିଜା କଟୁରି ଜବତ କରିଛି | ମାନସୀ ମେଡିକାଲରେ ଚିକିତ୍ସାଧୀନ ଥିବା କାରଣରୁ ବର୍ତ୍ତମାନ ସୁଦ୍ଧା ଥାନାରେ କୌଣସି ଅଭିଯୋଗ ହୋଇନାହିଁ | ପୁଲିସ ଘଟଣା ତଦନ୍ତ ଜାରି ରଖିଛ |

ସମ୍ବନ୍ଧିତ ଖବର