ହିନ୍ଦୋଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ବାଉଁସପୋଖୋରି ପଞ୍ଚାୟତ ବରଡ଼ାପାଳ ଛକ ନିକଟରେ ଆଜି ଅପରାହ୍ନରେ ଜଣେ ଯୁବକଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ମୁନା ବେହେରା (୨୫)। ସେ ଦୁର୍ଘଟଣାର ଅଳ୍ପ କିଛି ଘଣ୍ଟା ପୂର୍ବରୁ ଭଉଣୀ ଠାରୁ ରାଖୀ ପିନ୍ଧି ଫେରୁଥିଲେ।
ସୂଚନା ଅନୁସାରେ ହିନ୍ଦୋଳ ଥାନା ଟାଙ୍ଗୀସାଳ ଗ୍ରାମ ଗୟା ବେହେରାଙ୍କ ଏକ ମାତ୍ର ପୁଅ ମୁନା ବେହେରା ନିଜ ଭଉଣୀ ଘର ବରଡ଼ାପାଳ ଗ୍ରାମକୁ ରାଖୀ ପିନ୍ଧିବା ପାଇଁ ଆସିଥିଲେ। ନିଜ ଭଉଣୀ ଭାଇ ମୁନାକୁ ଅତି ଆଦରର ସହିତ ରାଖୀ ପିନ୍ଧାଇ ଦେଇଥିଲେ। ଭାଇକୁ ରାଖୀ ପିନ୍ଧାଇବା ପରେ ଆଜି ଆମ ଘରେ ରହି ଯାଅ ବୋଲି କହିଥିଲେ। ମାତ୍ର ମୁନାଙ୍କ ଏକ ଜରୁରୀ କାମ ଥିବାରୁ ସେ ଭଉଣୀ ଘରେ ଅଟକି ନଥିଲେ। ତେଣୁ ସେ ନିଜ ଘରକୁ ଫେରି ଆସୁଥିଲେ।
ମାତ୍ର ଭଉଣୀ ଘରୁ ବାହାରି ଅଳ୍ପ ବାଟ ଆସିବା ବେଳେ ବରଡ଼ାପାଳ ଛକ ନିକଟରେ ସମ୍ମୁଖରୁ ଏକ ଭାରି ଜାନ ଚାଲି ଆସିବାରୁ ଭାରସାମ୍ୟ ହରାଇ ମୁନା ବାଇକ୍ରୁ ଖସି ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ମୁନାଙ୍କର ଜୀବନ ଚାଲି ଯାଇଥିଲା। ମୁନା ଥିଲେ ବାପା-ମା’ଙ୍କର୍ ଏକ ମାତ୍ର ପୁଅ। ସେ ୩ ମାସ ପୂର୍ବରୁ ବିବାହ କରିଥିଲେ। ମୁନାଙ୍କ ମୃତ୍ୟୁ ଖବର ଜଣା ପଡ଼ିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ପୁଲିସ ଖବର ପାଇ ମୁନାଙ୍କ ମୃତଦେହ ଜବତ କରିଛି। ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/acf4d3d1-51a5-48bf-8c98-b86ba3b28767.jpeg)