ନୟାଗଡ଼: ସାମାନ୍ୟ କେତୋଟି ଟଙ୍କା ପାଇଁ ଭାଇ ସାଜିଲା ନର ରାକ୍ଷାସ। ଯେଉଁ ହାତରେ ସୁରକ୍ଷା ପାଇଁ ଭଉଣୀ ରାକ୍ଷୀ ବାନ୍ଧୁଥିଲା, ସେଇ ହାତ ନେଇ ଗଲା ଭଉଣୀର ଜୀବନ। ଏଭଳି ଅମାନୁଷିକ କାର୍ଯ୍ୟ ନେଇ ସ୍ଥାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି। ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ବିଜୟନଗର ଗ୍ରାମରେ ଗତକାଲି ଘଟିଥିବା ଏହି ହତ୍ୟା ଘଟଣା ଉପରୁ ଆଜି ପରଦା ହଟିଛି। ହତ୍ୟାର ଶିକାର ହୋଇଥିବା ମମତା ରାଉତ(୨୬)ଙ୍କ ସାନ ଭାଇ କାମାକ୍ଷା ପ୍ରସାଦ ରାଉତ(୨୪) ହିଁ ହତ୍ୟାକାରୀ ବୋଲି ଜଣାପଡ଼ିଛି। ଗତକାଲି ଠାରୁ ଗଣିଆ ପୁଲିସ ଅଟକ ରଖି୍ଥିବା କାମାକ୍ଷାକୁ ଆଜି ଗିରଫ କରି ଦଶପଲ୍ଲା ଜେଲକୁ ପଠାଇ ଦେଇଛି।
ଏମିତି ପୁଅକୁ ଫାଶି ଦେଇ ଦେବାକୁ ବାପା ପ୍ରହ୍ଲାଦ ରାଉତ ଓ ମାଙ୍କ ସମେତ ବଡ଼ ଭଉଣୀ କୋହଭରା କଣ୍ଠରେ କହିଛନ୍ତି। ଅଭିଯୁକ୍ତ କାମାକ୍ଷା ପୁଲିସ ନିକଟରେ ସମସ୍ତ ଦୋଷ ସ୍ବୀକାର କରିଥିବା ଗଣିଆ ଓଆଇସି ଜୟପ୍ରକାଶ ପରିଡ଼ା କହିଛନ୍ତି। କାମାକ୍ଷା ଏକ ମୋବାଇଲ ସେବା ପ୍ରଦାନକାରୀ ସଂସ୍ଥାରେ କାମ କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଜଣେ ଖଳ ପ୍ରକୃତିର ଯୁବକ ଥିଲେ ବୋଲି ଜଣାପଡ଼ିଛି।
କାମାକ୍ଷା ପୁଲିସ ନିକଟରେ କରିଥିବା ସ୍ବୀକାରୋକ୍ତି ଅନୁଯାୟୀ, ଗତ ପ୍ରାୟ ୪ ମାସ ତଳେ ଗାଁର ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍ଏଚଜି)ରୁ ୨୦ ହଜାର ଟଙ୍କା ଋଣ ଆଣି ମମତା ତାକୁ ଦେଇଥିଲେ। କିନ୍ତୁ ଏବାବଦରେ ସୁଧ କାମାକ୍ଷା ଭଉଣୀକୁ ପ୍ରଦାନ କରୁନଥିଲେ। ଯେଉଁଥିପାଇଁ ଏସ୍ଏଚଜିର ଅନ୍ୟ ମହିଳାମାନେ ମମତାଙ୍କୁ ତାଗିଦ୍ କରୁଥିଲେ। ଏଥିରେ ଅପମାନିତବୋ୍ଧ କରିବା ସହିତ ଘରେ ଆସି ସାନ ଭାଇକୁ ମମତା ସୁଧ ବାବଦରେ ଟଙ୍କା ମାଗୁଥିଲେ। ଯେଉଁଥିପାଇଁ ଭାଇ, ଭଉଣୀଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ହେଉଥିଲା। ପ୍ରାୟ ୩ ଦିନ ତଳେ କାମାକ୍ଷା ଖାଉଥିବା ବେଳେ, ଭାଇଭଉଣୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସେଦିନଠାରୁ କାମାକ୍ଷା ଘରେ ଆଉ ଖାଉନଥିବା ବେଳେ, ପ୍ରତିଶୋଧପରାୟଣ ହୋଇ ଉଠିଥିଲେ। ଭଉଣୀକୁ ନିଜ ରାସ୍ତାରୁ ହଟାଇବା ପାଇଁ ବ୍ଲୁପ୍ରଣ୍ଟ୍ ପ୍ରସ୍ତୁତ କରିଥିଲେ। ଗତ ସୋମବାର ଦିନ ରାତିରେ କାମାକ୍ଷା ନିଜ ସାଙ୍ଗମାନଙ୍କ ସହିତ ଭୋଜିଭାତ କରିଥିଲେ। ପ୍ରଚୁର ପରିମାଣର ମଦ ପିଇବା ସହ ଘରକୁ ନଫେରି ଜଣେ ପଡ଼ୋଶୀଙ୍କ ଘରେ ଶୋଇ ପଡ଼ିଥିଲେ। ହତ୍ୟା ଉଦେଶ୍ୟରେ ବିଳମ୍ବିତ ରାତିରେ ପଡ଼ୋଶୀ ଘରୁ ଉଠି ଭଉଣୀ ଶୋଇଥିବା ଘରେ ପଶିଥିଲେ। ଏବଂ କଟୁରୀରେ ମମତାଙ୍କ ମୁଣ୍ଡକୁ ଚୋଟ ପରେ ଚୋଟ ପକାଇଥିଲେ। ଭଉଣୀ ଚିତ୍କାର କରିଥିଲେ ମଧ୍ୟ ଏହା କାମାକ୍ଷଙ୍କ ହୃଦୟ ତରଳାଇ ପାରିନଥିଲା। ମଦନିଶାରେ ଥିବା କାମାକ୍ଷା ଏକଦମ ରାକ୍ଷସ ପାଲଟି ଯାଇଥିଲା। ଭଉଣୀକୁ ହତ୍ୟାକରି ପୁନର୍ବାର ଯାଇ ପଡ଼ୋଶୀ ଘରେ ଶୋଇ ପଡ଼ିଥିଲା କାମାକ୍ଷା।
କିନ୍ତୁ ସେ ପିନ୍ଧିଥିବା ଗଞ୍ଜିରେ ଲାଗିଥିବା ରକ୍ତ ଛିଟା ତାକୁ ଧରା ପକାଇ ଦେଇଥିଲା। ପୁଲିସ ପଡ଼ୋଶୀ ଘର ଯାଞ୍ଚ କରିବା ପରେ ସେଠାରୁ ଏକ ରକ୍ତ ଭିଜା ଗଞ୍ଜି ମିଳିଥିଲା, ଯାହା କାମାକ୍ଷର ବୋଲି ଜଣାପଡ଼ିଥିଲା। କାଲି ଠାରୁ ପୁଲିସ ନିକଟରେ ଅଟକ ଥିବା କାମାକ୍ଷା ଆଜି ଗଣମାଧ୍ୟମ ସମେତ ପୁଲିସ ଆଗରେ ସବୁ ସତ କଥା କହି ଦେଇଥିଲା। ଭଉଣୀ ହତ୍ୟା ନେଇ କାମାକ୍ଷା ବୟାନ ଦେଉଥିବା ବେଳେ ଟିକିଏ ବି ଅନୁତାପ କରୁନଥିବା ଦେଖାଯାଇଥିଲା। ଏଭଳି ନରହନ୍ତା ଭାଇକୁ ନେଇ ଚାରି ଆଡ଼ୁ ନିନ୍ଦା କରାଯାଇଛି। କାମାକ୍ଷା ସାନ ଭାଇ ହୋଇଥିବା ବେଳେ, ମୃତ ମମତା ମଝିଆ ଓ ତାଙ୍କର ଜଣେ ବିବାହିତ ବଡ଼ଭଉଣୀ ଅନ୍ନପୂର୍ଣ୍ଣା ରହିଛନ୍ତି। ସାନଭଉଣୀକୁ ହରାଇ ମ୍ରିୟମାଣ ହୋଇପଡ଼ିଥିବା ଅନ୍ନପୂର୍ଣ୍ଣା ଏମିତି ଭାଇ ମୋର ଦରକାର ନାହିଁ, ତାକୁ ଫାଶି ଦେଇ ଦିଅ ବୋଲି କାନ୍ଦିକାନ୍ଦି କହିଛନ୍ତି। ଭଉଣୀ ପ୍ରତି ଜଣେ ଭାଇର ଏଭଳି ହତ୍ୟା ମାନସିକତାକୁ ନେଇ ସବୁରି ହୃଦୟ ଥରି ଉଠିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/t-268.jpg)