କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ବାପା ପୁଅ ଭାଇ, ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପୁତୁରା ଦିଲ୍ଲୀପ ପଟ୍ଟନାୟକ ରାଜ୍ୟ ସରକାରଙ୍କ ମଧୁବାବୁ ପେନ୍ସନ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଶ୍ରୀ ପଟ୍ଟନାୟକ ପ୍ରଦାନ କରିଥିବା ସମସ୍ତ ପ୍ରମାଣପତ୍ର ଠିକ୍ ଥିବା ବେଳେ ସେ ତାଙ୍କ ଆୟ ପ୍ରମାଣପତ୍ର ଦାଖଲ କଲେ, ତାଙ୍କୁ ଭତ୍ତା ପ୍ରଦାନ କରାଯିବ ବୋଲି ଏଥିରେ ସହାୟତା କରୁଥିବା ସମାଜସେବୀ ସୁରେନ୍ଦ୍ର ପାଣିଗ୍ରାହୀ କହିଛନ୍ତି।
ସୁରେନ୍ଦ୍ର କହିବା ଅନୁଯାୟୀ, ଆବେଦନ କରିବା ପରେ ପରେ, ସବୁ କିଛି ଠିକ୍ ଥିବାରୁ ଏହା ଅନୁମୋଦନ ପାଇ ସାରିଛି। କେବଳ ଆୟ ପ୍ରମାଣପତ୍ର ଦାଖଲ ହେଲେ ଆସନ୍ତା ମାସରୁ ଶ୍ରୀ ପଟ୍ଟନାୟକ ୫୦୦ ଟଙ୍କା ଭତ୍ତା ପାଇବେ। ଏ ସଂପର୍କରେ ଦିଲ୍ଲୀପ ପଟ୍ଟନାୟକ କହିଛନ୍ତି ଯେ ତାଙ୍କ ଭତ୍ତା ଆବେଦନ ଅନୁମୋଦନ ହୋଇଥିବା ସଂପର୍କରେ ତାଙ୍କ ପାଖକୁ ସୂଚନା ଆସିଛି। ନିର୍ଦ୍ଦେଶ ଅନୁଯାୟୀ ସେ ଖୁବ୍ଶୀଘ୍ର ତାଙ୍କର ଆୟ ପ୍ରମାଣପତ୍ର ଦାଖଲ କରିବେ ବୋଲି ଦିଲ୍ଲୀପ କହିଛନ୍ତି।
ସୂଚନା ଅନୁଯାୟୀ, ତୁଳସୀପୁରସ୍ଥିତ ଆନନ୍ଦ ଭବନର ଗୋଟିଏ ଅଂଶକୁ ବିଜୁ ବାବୁଙ୍କ ପରିବାର ପକ୍ଷରୁ ସରକାରଙ୍କୁ ଦାନ କରାଯିବା ପରେ ସେଠାରେ ବିଜୁ ସଂଗ୍ରହାଳୟ ଖୋଲା ଯାଇଛି। ଆନନ୍ଦ ଭବନର ଅନ୍ୟ ଏକ ଅଂଶରେ ଦିଲ୍ଲୀପ ଓ ତାଙ୍କର ଜଣେ ଭଉଣୀ ରହୁଛନ୍ତି। ଉଭୟ ବୟସାଧିକ ସମସ୍ୟାରେ ପୀଡ଼ିତ। ସେମାନେ ରହୁଥିବା ଘର ବି ଏବେ ଜରାଜୀର୍ଣ୍ଣ ସ୍ଥିତିରେ। ସେମାନଙ୍କ ଅସହାୟ ସ୍ଥିତି ସଂପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବାରବାଟୀ-କଟକ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ୍ ତାଙ୍କୁ ଭେଟି ସହାୟତା ଯୋଗାଇବା ସହ ତାଙ୍କର ଚିକିତ୍ସା ବି କରାଇଥିଲେ। ମୁଖ୍ୟମନ୍ତ୍ରୀ ଆନନ୍ଦ ଭବନ ସଂଗ୍ରହାଳୟକୁ ଆସିଥିଲେ ବି କେବେ ସେମାନଙ୍କ ସଂପର୍କରେ ପଚାରି ବୁଝି ନାହାନ୍ତି ବୋଲି କହି ଦିଲ୍ଲୀପ ବି ନିଜ ମନ ଭିତରର କ୍ଷୋଭ ପ୍ରକାଶ କରିଥିଲେ। ଏବେ ମୁଖ୍ୟମନ୍ତ୍ରୀଙ୍କ ବଡ଼ବାପା ପୁଅ ଭାଇ ଏଭଳି ଅସହାୟ ଅବସ୍ଥାରେ ଭତ୍ତା ପାଇଁ ଆବେଦନ କରିବା ଘଟଣା ବିଭିନ୍ନ ମହଲରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।