ଗୁନ ସିଂହାରୀଙ୍କ ହତ୍ୟାର ପ୍ରତିଶୋଧ ନେଲେ ଭାଇ ଓ ପୁଅ!

ପୁରୀ: ଗୁନ ସିଂହାରୀଙ୍କ ଭାଇ ଓ ପୁଅ ହତ୍ୟାର ପ୍ରତିଶୋଧ ନେଇଥିବା ଜଣାଯାଇଛି।ଗତକାଲି ବହୁଚର୍ଚ୍ଚିତ ଗୁନ ସିଂହରୀ ହତ୍ୟାକାଣ୍ଡର ମାମଲାରେ ସମ୍ପୃକ୍ତ କାଳିଆ ଓରଫ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ପୁରୀ ଟାଉନ ଥାନା ଅନ୍ତର୍ଗତ ବାରବାଟୀ ଜାଗା ନିକଟରେ ହତ୍ୟା କରାଯାଇଛି।
ଗତକାଲି ବାରବାଟୀ ଜାଗାର ଉନ୍ନତିମୂଳକ କାର୍ଯ୍ୟ ଦାୟିତ୍ୱରେ ଥିବା କୃଷ୍ଣଚନ୍ଦ୍ରଙ୍କୁ ହଠାତ୍ କିଛି ଦୁର୍ବୃତ୍ତ ସେଠାକୁ ଆସି ତାଙ୍କ ମୁଣ୍ଡକୁ ଗୁଳିମାଡ଼ କରିଥିଲେ। ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ମୁଣ୍ଡକୁ ଅତି ନିକଟରୁ ଦୁଇ ରାଉଣ୍ଡ ଗୁଳି ମାରିଥିଲେ। ତାପରେ ସେମାନେ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ଭାଇଙ୍କୁ କହିଥିଲେ, କାଳିଆ ସିଂହାରୀ ଓ ଦୋଳଗୋବିନ୍ଦଙ୍କର ଶପଥ ପୂରଣ ହୋଇଛି।
ସୂଚନାଯୋଗ୍ୟ, କାଳିଆ ସିଂହାରୀ ହେଉଛନ୍ତି ଗୁନ ସିଂହାରୀଙ୍କ ଭାଇ ଓ ଦୋଳଗୋବିନ୍ଦ ହେଉଛନ୍ତି ଗୁନ ସିଂହାରୀଙ୍କ ପୁଅ। ଏକଥା କହିବା ପରେ ସେମାନେ ବାଇକରେ ସେଠାରୁ ଚାଲି ଯାଇଥିଲେ । ସେମାନଙ୍କ ହାତରେ ସେତେବେଳେ ବନ୍ଧୁକ ଥିଲା। ତେଣୁ ଆଉ କେହି କିଛି କରିବା ପାଇଁ ସାହାସ କରିନଥିଲେ । ଏହି କଥା ଥାନାରେ ଦିଆଯାଇଥିବା ଏତଲାରେ ମଧ୍ୟ ଉଲ୍ଲେଖ ରହିଥିବା ଜଣାଯାଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ଗୁନ ସିଂହାରୀଙ୍କ ଭାଇ ଓ ଦୋଳଗୋବିନ୍ଦ ହତ୍ୟା ଘଟଣାର ପ୍ରତିଶୋଧ ନେଇଛନ୍ତି।

ସୂଚନାଯୋଗ୍ୟ, ପୁରୀର ବହୁଚର୍ଚ୍ଚିତ ଗୁନ ସିଂହରୀ ହତ୍ୟାକାଣ୍ଡ ମାମଲାରେ ପୂର୍ବରୁ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ପୁଲିସ ଗିରଫ କରିଥିଲା। କିନ୍ତୁ ପ୍ରମାଣ ଅଭାବରୁ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା। ତେବେ ଏହି ଘଟଣା ସହ ତାଙ୍କର ହତ୍ୟାର ସଂଯୋଗ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ କେଉଁ କାରଣରୁ ସେବାୟତ ଜଣକୁ ହତ୍ୟା କରାଯାଇଛି ତାହାର ତଦନ୍ତ କରୁଛି ପୁଲିସ।

ସମ୍ବନ୍ଧିତ ଖବର