ବିଜୟ ଭାଇ, ଜଣେ ସଚ୍ଚା ହୃଦୟର ମଣିଷ

ଦ୍ବାଦଶାହରେ ଶ୍ରଦ୍ଧାଞ୍ଜଳି, ପ୍ରଫେସର ଡ. ମନୋଜ ରଞ୍ଜନ ନାୟକ

ସ˚ସାରରେ ପ୍ରତ୍ୟେକ ଜୀବ ଓ ବସ୍ତୁର ଯେମିତି ଆରମ୍ଭ ଅଛି ସେମିତି ବିଲୟ ମଧ୍ୟ ଅଛି। ଜନ୍ମ ଅଛି ମାନେ ମୃତ୍ୟୁ ଅଛି। ଏହି ଧାରାରେ ସମସ୍ତେ ପରିଚାଳିତ। ସର୍ବଶେଷ୍ଠ ଜୀବ ମଣିଷ ବି ସେଥିରୁ ବାଦ୍ ପଡ଼େ ନାହିଁ। ତଥାପି ଏମିତି ଜଣେ ଜଣେ ମଣିଷ ଥାଆନ୍ତି ଯେଉଁମାନେ ସ˚ସାରରୁ ବିଦାୟ ନେବା ପୂର୍ବରୁ ସେମାନଙ୍କ କର୍ମ ବଳରେ ନିଜର ଅଲିଭା ପାଦଚିହ୍ନ ଛାଡ଼ି ଯାଆନ୍ତି। ତାକୁ ଯେତେ ଲିଭାଇଲେ ସୁଦ୍ଧା ଲିଭେ ନାହିଁ। କେହି କେବେ ତାକୁ ଲିଭାଇ ମଧ୍ୟ ପାରିବେ ନାହିଁ। କରୋନା ମହାମାରୀ ଏ ସ˚ସାରରୁ ଅନେକଙ୍କୁ ବନ୍ଧୁ ପରିଜନଙ୍କଠାରୁ ଦୂରେଇ ଦେଉଛି। ଅସମୟରେ ସେମାନଙ୍କର କାଳ ହୋଇଯାଉଛି। ସେକଥା ସତ ହୋଇଥିଲେ ସୁଦ୍ଧା ବିଶ୍ବାସ ହେଉନାହିଁ। ତଥାପି ଏହି ଚରମ ସତ୍ୟ ସହିତ ଜୀବନ ବଞ୍ଚିବାକୁ ପଡୁଛି। ଏହା ସମଗ୍ର ସ˚ସାର ପାଇଁ ଏକ ବିଷାଦ କାଳ ଆଣିଛି। କରୋନା ମହାମାରୀର ଭୟ ସାଙ୍ଗକୁ ସୁହୃଦମାନଙ୍କୁ ହରାଇବା ଦୁଃଖକୁ ଦ୍ବିଗୁଣିତ କରୁଛି।

ବିଜୟ ଭାଇଙ୍କ ବିୟୋଗ ସେହିଭଳି ଏକ ଦାରୁଣ ଦୁଃସମ୍ବାଦ ଥିଲା। ଜଣେ ବନ୍ଧୁଙ୍କୁ ହରାଇବା ତ ସ˚ସାରର ସବୁଠାରୁ ବଡ଼ ଦୁଃଖ ବୋଲି ସ୍ବୟ˚ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି। ବିଜୟ କେବଳ ବନ୍ଧୁ ନୁହେଁ; ମୋ ପତ୍ନୀଙ୍କ ଆଡୁ ସେ ଥିଲେ ମୋର ଭାଇମାନ୍ୟ। ସେ ସ˚ପର୍କର କୌଣସି ନିର୍ଦ୍ଦିଷ୍ଟ ସ˚ଜ୍ଞା ନଥିଲା। ପରସ୍ପର ପ୍ରତି ଥିବା ଶ୍ରଦ୍ଧା ଓ ସମ୍ମାନବୋଧ ତାହାକୁ ସମୟକ୍ରମେ ଅଧିକ ନିବିଡ଼ କରିଥିଲା। ତେଣୁ ନିୟମିତ ଭାବେ ଆମେ ସ˚ପର୍କରେ ରହୁଥିଲୁ। ବିଜୟ ଭାଇଙ୍କଠାରେ ଦୁଇଟି ବିଶେଷ ଗୁଣ ଥିଲା। ତାହା ହେଲା ନିଜର ବୃତ୍ତି ଓ ଅନୁଷ୍ଠାନ ପ୍ରତି ଆନୁଗତ୍ୟ ଏବ˚ ଦ୍ବିତୀୟଟି ହେଲା ତାଙ୍କର ସ˚ପର୍କୀୟମାନଙ୍କ ପ୍ରତି ପ୍ରତିବଦ୍ଧତା। ଏବ˚ ଏ ଦୁଇଟିକୁ ସେ କେବେ ଡାଇଲ୍ୟୁଟ୍ କରୁ ନ ଥିଲେ।ଏହା ଜଣେ ସଫଳ ମଣିଷର ସ˚ଜ୍ଞା ବୋଲି କୁହାଯାଇପାରେ। ସଦାବେଳେ ଦାୟିତ୍ବର ଏକ ବିରାଟ ବୋଝ ମୁଣ୍ଡାଇଥିବା ବିଜୟ ଭାଇଙ୍କ ସହ କଥାବାର୍ତ୍ତା କଲେ କେହି କେବେ ଜାଣିପାରିବେ ନାହିଁ ଯେ ସେ ଏତେ ଖୋଲା ଓ ସରଳ ହୃଦୟ ମଣିଷ। ନିଜ ଦାୟିତ୍ବ ବୋଝକୁ ସେ କେବେ କାହା ଆଗରେ ପରିପ୍ରକାଶ ହେବାକୁ ଦିଅନ୍ତି ନାହିଁ। ବର˚, ସଦାବେଳେ ଅନ୍ୟର ଭଲମନ୍ଦ, ହାନିଲାଭ ପଚାରିବେ। ଯଦି କାହାର କିଛି ସୁବିଧା ଅସୁବିଧା ଥାଏ, ତେବେ ନିଜ ଆଡୁ ସାହାଯ୍ୟ କରିବାର ହାତ ବଢ଼ାଇବେ। ବାରମ୍ବାର ଫୋନ୍ କରି ସେକଥା ବୁଝିବେ, ଉତ୍ତମ ପରାମର୍ଶ ଦେବେ। ମୋ ପରିବାରର ସବୁ ଦୁର୍ଦ୍ଦିନରେ ସେ ମୋ ଦୁଆରେ ଠିଆ ହୋଇଥିଲେ। ମୋ ଦୁଃଖକୁ ଲାଘବ ପାଇଁ ସଦାବେଳେ ଚେଷ୍ଟା କରୁଥିଲେ ଓ ହନୁମାନଙ୍କ ମନ୍ଦିରକୁ ଯାଇ ଦୀପଟିଏ ଜାଳୁଥିଲେ। ଏପରି ବନ୍ଧୁବତ୍ସଳ ଓ ବନ୍ଧୁହିତୈଷୀ ଆଜିକାଲି ଦୁନିଆରେ କେତେଜଣ ମିଳନ୍ତି! ତାଙ୍କଠାରେ ଥିବା ଆଉ ଏକ ବଡ଼ ଗୁଣ ହେଲା ତାଙ୍କର ସ୍ମରଣ ଶକ୍ତି। ନିଜ ସ˚ସ୍ଥାଠାରୁ ଆରମ୍ଭ କରି ବନ୍ଧୁପରିଜନ, ଚିହ୍ନାପରିଚିତ ସମସ୍ତଙ୍କ କଥାକୁ ସେ ମନେ ରଖନ୍ତି। ଯାହାକୁ ଯେଉଁଠି ଦେଖିବେ ଚଟାପଟ୍ କୁଶଳ ବାର୍ତ୍ତା ପଚାରିବେ। ଏଇତ ମଣିଷପଣିଆ, ବଡ଼ପଣ।

‘ସମ୍ବାଦ’ର ସେ ଜଣେ ମୂଳ କର୍ମଚାରୀ ଥିଲେ। ୧୯୮୪ ମସିହାରେ ‘ସମ୍ବାଦ’ ଆରମ୍ଭ ହେବା ଦିନଠାରୁ ସେ ଏହାର ପ୍ରକାଶକ ରହିଆସିଥିଲେ। ସେହି କ୍ରମରେ ସେ ଅନେକ ଉତ୍‍ଥାନ ଓ ପତନକୁ ସାମ୍ନା କରିଛନ୍ତି। କଷ୍ଟ ସହ୍ୟ କରିଛନ୍ତି। କିନ୍ତୁ କେବେ ହାରିଯାଇନାହାନ୍ତି ବୋଲି ତାଙ୍କ ତୁଣ୍ତରୁ ମୁଁ ଶୁଣିଛି। ଏହାକୁ କହନ୍ତି ଜଣେ ପ୍ରକୃତ ଯୋଦ୍ଧା। ମଝିରେ ଦେହ ବି ଖରାପ ଥିଲା। କିନ୍ତୁୁ ଅସୁସ୍ଥତାକୁ ନେଇ ସେ କେବେ ଚିନ୍ତିତ ନଥିଲେ କି ସେଇ ବାହାନାରେ କାମ କମାଇ ନଥିଲେ।

ବିଜୟ ଭାଇଙ୍କର ଆଉ ଗୋଟିଏ ମହତପଣ ହେଲା ତାଙ୍କର ସମାଜସେବା। ତାହା ଧର୍ମାନୁଷ୍ଠାନ ହୋଇଥାଉ ଅବା ସାମାଜିକ ଅନୁଷ୍ଠାନ ସେ ଲୋକଙ୍କ ସହ ଓ ଲୋକଙ୍କ ପାଇଁ କାମ କରିବାକୁ ଭଲ ପାଉଥିଲେ। ସେ ଥିଲେ ଗଭୀର ଈଶ୍ବର ବିଶ୍ବାସୀ। ଜଣେ ପ୍ରଗାଢ଼ ହନୁମାନ ଭକ୍ତ। କାହାର କିଛି ଅସୁବିଧା ହେଲେ ସେ ଯାହା ସାହାଯ୍ୟ କରିବାର କରନ୍ତି, କିନ୍ତୁ ବଜରଙ୍ଗବାଲିଙ୍କ ନିକଟରେ ଅନ୍ୟ ପାଇଁ ଦୀପଟିଏ ଜାଳି ମୁଣ୍ତିଆ ମାରିବା ଥୟ। ନିଜର କାର୍ଯ୍ୟବ୍ୟସ୍ତତା ସତ୍ତ୍ବେ ସେ ଅନେକ ଧର୍ମାନୁଷ୍ଠାନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ ଓ ସକ୍ରିୟ ଭାବେ ଜଡ଼ିତ ବି ହେଉଥିଲେ। ଅନ୍ୟ ଅର୍ଥରେ କହିଲେ ସେ ଥିଲେ ଜଣେ ଅନୁଷ୍ଠାନ ନିର୍ମାତା। ଅନ୍ୟମାନଙ୍କ ସହ ମିଶି କାର୍ଯ୍ୟ କରିବା, ଅନ୍ୟଙ୍କୁ ଅନୁପ୍ରାଣିତ କରିବାର କଳା ତାଙ୍କୁ ଜଣାଥିଲା। ତେଣୁ ତାଙ୍କ କଥାରେ ସଭିଏଁ ଉଦ୍‍ବୁଦ୍ଧ ହେଉଥିଲେ।
ବିଜୟ ଭାଇ କରୋନା ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ସମ୍‌ ହସ୍ପିଟାଲ୍‍ରେ ଭର୍ତ୍ତି ହୋଇଥିଲେ। ମୋର ମନେଅଛି, ସେ ଆମ ହସ୍ପିଟାଲ୍‍ରେ ଭର୍ତ୍ତିହେବା ପରେ ମୋତେ କହିଥିଲେ, ‘ଏବେ ମୁଁ ଆପଣଙ୍କ ଆଶ୍ରିତ। କାଲି ମୋର ଯଦି କିଛି ହୋଇଯାଏ ତା’ହେଲେ ମୋ ପିଲାମାନଙ୍କ କଥା ଆପଣ ବୁଝିବେ।’ ତାଙ୍କ ସ୍ବାସ୍ଥ୍ୟ କଥା ମୁଁ ବ୍ୟକ୍ତିଗତ ଭାବେ ସଦାବେଳେ ମନିଟର୍ କରୁଥିଲି। କିନ୍ତୁ ତାଙ୍କର ଲଙ୍ଗ୍‍ସ ସ˚ପୂର୍ଣ୍ଣ ନଷ୍ଟ ହୋଇସାରିଥିଲା। ତଥାପି ସେ ମୃତ୍ୟୁ ସହ ଏକ ଯୋଦ୍ଧା ଭାବେ ପ୍ରତି ମୁହୂର୍ତ୍ତରେ ଲଢୁଥିଲେ। ତେଣୁ ଆମେ ସମସ୍ତେ ଆଶା କରୁଥିଲୁ କିଛି ଗୋଟିଏ ଚମତ୍କାର ନିଶ୍ଚୟ ହେବ। ସେ ଆରୋଗ୍ୟ ହୋଇଯିବେ। କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ। ଡାକ୍ତରମାନଙ୍କ ସକଳ ଚେଷ୍ଟା ସତ୍ତ୍ବେ ସେ ଆମ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ବିଦାୟ ନେଲେ। ସ˚ସାରରେ ଭଲ ଲୋକମାନେ ହିଁ ଏମିତି ସ୍ବଳ୍ପାୟୁ। ସେମାନେ ଏମିତି ଭାବେ ସ˚ସାରରୁ ବିଦାୟ ନେଇଥାନ୍ତି। କିନ୍ତୁ ସେମାନଙ୍କର କର୍ମ ହିଁ ସେମାନଙ୍କୁ ଆମମାନଙ୍କ ନିକଟରେ ସବୁଦିନ ପାଇଁ ଅମର କରି ରଖିଥାଏ। ବିଜୟ ଭାଇ ଏହାର ଏକ ନିଚ୍ଛକ ଉଦାହରଣ। ସେ ଆଜି ଆମ ଗହଣରେ ନଥାଇ ମଧ୍ୟ ଅଛନ୍ତି। ତାଙ୍କ ଆତ୍ମାର ସଦଗତି ହେଉ। ଓଁ ଶାନ୍ତି।
ପ୍ରତିଷ୍ଠାତା, ସୋଆ

ସମ୍ବନ୍ଧିତ ଖବର