କଟକରେ ଭାଇଚାରା ରାଜନୀତି! ଦୁଇ ଦୁଇ ଜଣ ମନ୍ତ୍ରୀ ଆସିଲେ; କଳାପତାକା କି ଅଣ୍ଡା ମାଡ଼ ହେଲାନି

କଟକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ଅଣ୍ଡା ମାଡ଼ କରୁଛନ୍ତି। ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ଅନ୍ୟ ମନ୍ତ୍ରୀମାନଙ୍କୁ ଅଣ୍ଡା ମାଡ଼ କରାଯାଉଛି। କଳାପତାକା ପ୍ରଦର୍ଶନ କରାଯାଉଛି। ମମିତା ମେହେର ହତ୍ୟାକାଣ୍ଡ ପରେ କ‌ଂଗ୍ରେସ ଓ ବିଜେପି କର୍ମୀମାନେ ସାରା ରାଜ୍ୟରେ ଏବେ ଏଭଳି ପ୍ରତିବାଦ କରୁଥିବା ବେଳେ ବିଜେଡି ପକ୍ଷରୁ ମଧ୍ୟ ପାଲଟା ଜବାବ ଦିଆଯାଉଛି। ଅନ୍ୟପଟେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସୁଥିବା କେନ୍ଦ୍ରମନ୍ତ୍ରୀ ମାନଙ୍କୁ ବି ବିଜେଡି ଓ କଂଗ୍ରେସ ପକ୍ଷରୁ ବିରୋଧ କରାଯାଉଛି। କେଉଁଠି ଅଣ୍ଡା ମାଡ଼ ତ କେଉଁଠି କଳାପତାକା ପ୍ରଦର୍ଶନ କରାଯାଉଛି। କିନ୍ତୁ କଟକ ସହରରେ ଏଭଳି ଦେଖିବାକୁ ନ ମିଳିବା ଘଟଣା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ମନ୍ତ୍ରୀଙ୍କୁ ବିରୋଧ ନହେବା ପଛରେ ଗଠନମୂଳକ ଚିନ୍ତାଧାରା ରହିଛି ନା ବିରୋଧୀଙ୍କ ସାଙ୍ଗଠନିକ ଦୁର୍ବଳତା ଅଥବା କମିସନ‌ରେଟ୍ ପୁଲିସର ଭୟ? ଏ ପ୍ରଶ୍ନ ଏବେ ବିଭିନ୍ନ ମହଲରେ ମୁଣ୍ଡ ଟେକିଛି।

ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ପ୍ଲାଟିନମ୍ ଜୁବୁଲି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସ୍ବାସ୍ଥ୍ୟ ମନ୍ତ୍ରୀ ନବକି‌‌ଶୋର ଦାସ, ନଗର ଉନ୍ନୟନ, ପଂଚାୟତିରାଜ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ଗତକାଲି କଟକ ଆସିଥିଲେ। କିନ୍ତୁ ଉଭୟ ମନ୍ତ୍ରୀଙ୍କୁ ଏସ୍‌ସିବିକୁ ଯିବା ଅଥବା ଫେରିବା ବାଟରେ ‌ବି କେଉଁଠି ବିରୋଧ କରାଯାଇ ନଥିଲା। ମନ୍ତ୍ରୀ ପ୍ରତାପ ଜେନା କିଛି ଦିନ ପୂର୍ବରୁ କେନ୍ଦ୍ରାପଡ଼ା ଗସ୍ତରେ ଯାଇଥିବା ବେଳେ ସେଠାରେ ତାଙ୍କୁ ବିଜେପି ପକ୍ଷରୁ ଅଣ୍ଡା ମାଡ଼ କରାଯାଇଥିବା ବେଳେ କଂଗ୍ରେସ ପକ୍ଷରୁ କଳା ପତାକା ପ୍ରଦର୍ଶନ କରାଯାଇଥିଲା। ଠିକ୍ ତା ପରଦିନ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ କେନ୍ଦ୍ରାପଡା ଗସ୍ତରେ ଯାଇଥିବା ବେଳେ ସେଠାରେ ବିଜେଡି ପକ୍ଷରୁ ତାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ କରାଯାଇଥିଲା। ଜଗତସିଂହପୁର ଅଞ୍ଚଳରେ କେନ୍ଦ୍ରମନ୍ତ୍ରୀ ବି‌ଶ୍ବେଶ୍ବର ଟୁଡୁଙ୍କ ଗାଡ଼ି ଉପରକୁ କଂଗ୍ରେସ ପକ୍ଷରୁ ଅଣ୍ଡା ମାଡ଼ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ତ ପୁରୀରେ ବିଜେପି ପକ୍ଷରୁ ଅଣ୍ଡା ମାଡ଼ ହୋଇଥିଲା। ସାରା ରାଜ୍ୟରେ ଏଭଳି ହଟଚମଟ ଲାଗି ରହିଥିବା ବେଳେ କଟକରେ ମନ୍ତ୍ରୀ ପ୍ରତାପ ଜେନା ଓ ମନ୍ତ୍ରୀ ନବକିଶୋର ଦାସଙ୍କୁ ବିରୋଧ ନହେବା ଚର୍ଚ୍ଚାର ଖୋରାକ ଯୋଗାଇଛି।

କଟକର ଭାଇଚାରା ପରଂପରା ଅନୁଯାୟୀ ବିଭିନ୍ନ କାର୍ଯ୍ୟକ୍ରମରେ ଦଳମତ ନିର୍ବିଶେଷରେ ନେତା ମାନଙ୍କୁ ଏକାଠି ହେବାର ଦେଖାଯାଏ। ଏହା ତାହାର ପ୍ରତିଫଳନ କି? ନା ବିରୋଧୀ ଦଳ ଏଠି ବିଭିନ୍ନ ଗୋ‌ଷ୍ଠୀରେ ବିଭାଜିତ ଥିବାରୁ ବିରୋଧ ପ୍ରଦର୍ଶନ ପାଇଁ ଉଦ୍ୟମ ହେଲା ନାହିଁ? ଏହା ପଛରେ ଥିବା ଉଭୟ ସକରାତ୍ମକ ଓ ନକରାତ୍ମକ କାରଣ ଆଗକୁ କଟକ ରାଜନୀତିକୁ ପ୍ରଭାବିତ କରିବାକୁ ଯାଉଛି। ଏ ସଂପର୍କରେ ମତ ଦେଇ ବିଜେପି ନଗର ସଭାପତି ଲଲାଟେନ୍ଦୁ ବଡ଼ୁ କହିଛନ୍ତି ଯେ ଏଠି କଟକରେ ଆମେ ଅଣ୍ଡା ମାଡ଼ କରିବା ଭଳି ବିରୋଧରୁ କ୍ଷାନ୍ତ ରହିଛୁ। ଆମେ ଏବେ ସଂପୂର୍ଣ୍ଣ ନୂଆ ଢଙ୍ଗରେ ବିରୋଧ ପ୍ରଦର୍ଶନ ପାଇଁ ଯୋଜନା କରିଛୁ। ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କୁ ସଚେତନ କରିବୁ କିନ୍ତୁ କେଉଁଠି ଅଯଥା ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରିବୁ ନାହିଁ। ସେହି ଅନୁଯାୟୀ ଆମେ ଏଠି କାମ କରୁଛୁ ବୋଲି ଶ୍ରୀ ବଡୁ କହିଛନ୍ତି।

ବାରବାଟୀ-କଟକ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ଇଂଜିନିୟର ମହମ୍ମଦ ମୋକିମ୍ କହିବା ଅନୁଯାୟୀ ମମିତା ମେହେର ହତ୍ୟା ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ କରାଯାଉଛି। ଆଗକୁ ବି ଏହା ଜାରି ରହିବ। କିନ୍ତୁ କୌଣସି ପ୍ରକାର ଗଠନମୂଳକ କାର୍ଯ୍ୟରେ କଂଗ୍ରେସ ଏଭଳି ବିରୋଧ ବିଶେଷକରି ଅଣ୍ଡାମାଡ଼ କରିବାକୁ ଚାହେ ନାହିଁ ବୋଲି ଶ୍ରୀ ମୋକିମ୍ କହିଛନ୍ତି।

ଏ ପ୍ରସଙ୍ଗରେ ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ କହିଛନ୍ତି ଯେ ବିଜେପି ଓ କଂଗ୍ରେସ ଯେଭଳି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ବିରୋଧ କରିବାକୁ ଯାଇ ଅଣ୍ଡା ମାଡ଼ କରୁଛନ୍ତି, ତାହା ଆଦୌ ଗ୍ରହଣୀୟ ହେଉନାହିଁ। ପୁରୀକୁ ଶ୍ରୀଜଗନ୍ନାଥଙ୍କ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଯାଇଥିବା ବେଳେ ସେଠାରେ ବି ଅଣ୍ଡା ମାଡ଼ କରାଯାଉଛି। ଏହା ଅତ୍ୟନ୍ତ ଅଶୋଭନୀୟ। ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ହେଉଛି ରାଜ୍ୟର ଗୌରବ। କଟକର ଅନ୍ୟତମ ପରିଚୟ। ତେଣୁ ସେହି କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଆସିଥିବା ମନ୍ତ୍ରୀ ମାନଙ୍କୁ ବିରୋଧ ଗ୍ରହଣୀୟ ହେବ ନାହିଁ। ଏଠି ବିରୋଧ ନ କରି ସେମାନେ ହୁଏତ ରାଜନୈତିକ ପରିପକ୍ବତା ଦେଖାଇଛନ୍ତି ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି।

ସମ୍ବନ୍ଧିତ ଖବର