ଭୁବନେଶ୍ବର : ଆହୁମତି ପହରିଆ (୧୨), ସାନଭାଇ ପଣ୍ଡିତ ପହରିଆ (୫)। ଏହି ଭାଇଭଉଣୀଙ୍କ ପାଇଁ ଦଇବ ଯେ ଏତେ ନିଷ୍ଠୁର ହୋଇଯିବ, ତାହା କେହି କେବେ କଳ୍ପନା ବି କରି ନଥିଲେ। ବର୍ଷକ ଭିତରେ ଆଗପଛ ହୋଇ ଆରପାରିକୁ ଚାଲିଗଲେ ବାପା, ମା’। ସାହା ବୋଲି କହିଲେ ଗାଁରେ ରହୁଥିବା ଏକମାତ୍ର ପିଉସୀ। ନିଜ ଘରେ ପିଲାଦ୍ବୟଙ୍କୁ ଆଶ୍ରୟ ଦେଇଛନ୍ତି। ଦିନକୁ ଦୁଇଓଳି ଖାଇବାକୁ ଦେବା ସହ ସେମାନଙ୍କ ଆନୁଷଙ୍ଗିକ ଆବଶ୍ୟକତା ମଧ୍ୟ ପୂରଣ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ସେଥିରେ ପିଲାଦ୍ବୟଙ୍କ ମନ ବୁଝୁନି। ବାପା, ମା’ଙ୍କ ମୁହଁ ତାଙ୍କ ଆଖି ଆଗରେ ସବୁବେଳେ ନାଚି ଯାଉଛି। ଏମିତିକି ବାପା, ମା’ଙ୍କ ସ୍ମୃତି ସେମାନଙ୍କୁ ତାଙ୍କ ପୁରୁଣା ଚାଳକୁଡ଼ିଆ ଘରକୁ ଟାଣି ନେଉଛି। ଘଣ୍ଟା ଘଣ୍ଟା ଧରି ସେହି କୁଡ଼ିଆ ଘରେ ବସି ରହି ଭାଇଭଉଣୀ ଆଖିରୁ ଲୁହ ଗଡ଼ାଉଛନ୍ତି। ସାନଭାଇ ପଣ୍ଡିତର ଏବେ ବୁଝିଲା ସୁଝିଲା ବୟସ ହୋଇନି। ତା’ ସହ କ’ଣ ଘଟି ଯାଇଛି, ସେ ବିଷୟରେ ବି ସେ ବେଶ୍ କିଛି ଜାଣିନି। କିନ୍ତୁ ବଡ଼ ଭଉଣୀର କାନ୍ଦ ଦେଖି ସେ ନିଜକୁ ସମ୍ଭାଳି ପାରୁନି। ରାହା ଧରି ଘଣ୍ଟା ଘଣ୍ଟା କାନ୍ଦୁଛି। ଏ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି, ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକ୍ ଅନ୍ତର୍ଗତ ଭାଇସାଦାନୀ ଗାଁରେ।
ମିଳିଥିବା ସୂଚନା ଅନୁଯାୟୀ, ସ୍ତ୍ରୀ ସାବିତ୍ରୀ ଓ ଛୋଟଛୋଟ ପୁଅଝିଅକୁ ନେଇ ଧନସିଂ ପହରିଆଙ୍କ ହସଖୁସିର ଛୋଟିଆ ସଂସାର ଥିଲା। ପରିବାରର ଚଳଣି ସେତେ ଭଲ ନଥିଲେ ହେଁ ଧନସିଂ ଯେତିକି ରୋଜଗାର କରୁଥିଲେ, ସେଥିରେ ତାଙ୍କ ପରିବାର କଷ୍ଟେମଷ୍ଟେ ଚଳି ଯାଉଥିଲା। କିନ୍ତୁ ଗତବର୍ଷ ଏକ ଅଜଣା ରୋଗରେ ତାଙ୍କର ମୃତ୍ୟୁ ହେବା ପରେ ତାଙ୍କ ପରିବାର ଉପରକୁ ଦୁଃଖର କଳାବାଦଲ ମାଡ଼ି ଆସିଥିଲା। ତେବେ ପ୍ରଶାସନ ନିକଟରେ ଗ୍ରାମବାସୀ ଓ ମୁରବୀଙ୍କ ବାରମ୍ବାର ଦାବି ପରେ ସ୍ତ୍ରୀ ସାବିତ୍ରୀଙ୍କୁ ବିଧବା ଭତ୍ତା ମିଳିଲା। ସେଇ ଭତ୍ତା ଟଙ୍କାରେ ସାବିତ୍ରୀ ଛୁଆଦ୍ବୟଙ୍କ ଯତ୍ନ ନେଇ ଆସୁଥିଲେ। କିନ୍ତୁ ନିୟତି ଆଖିରେ ସେତକ ବି ଗଲାନି, ଏବର୍ଷ ସାବିତ୍ରୀଙ୍କୁ ବି ନେଇଗଲା। ଫଳରେ ଛୁଆଦ୍ବୟ ଏବେ ପୂରା ଅନାଥ ହୋଇଯାଇଛନ୍ତି। ପାଠପଢ଼ା ଓ ଖେଳକୁଦ କରିବା ବୟସରେ ସେମାନେ ଏବେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି।
ଗ୍ରାମବାସୀଙ୍କ କହିବାନୁଯାୟୀ, ସେମାନଙ୍କ ଭଲ ଘର ଖଣ୍ଡିଏ ନାହିଁ। ଚାଳ କୁଡ଼ିଆ ଘରେ ରହୁଛନ୍ତି। ତେଣୁ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁପକ୍କା ଘର ଯୋଜନାରେ ସାମିଲ କରି ଘର ଖଣ୍ଡିଏ ଦେଲେ ସେମାନଙ୍କ ଜୀବନଯାପନରେ ସୁବିଧା ହୋଇପାରନ୍ତା। ସେହିପରି ସରକାରଙ୍କ ତରଫରୁ କିଛି ଆର୍ଥିକ ସହାୟତା ମିଳିଲେ ପିଲା ଦୁଇଜଣ ବଞ୍ଚି ଯାଆନ୍ତେ। ଏ ସଂପର୍କରେ ଗ୍ରାମବାସୀ ସ୍ଥାନୀୟ ପ୍ରଶାସନଠାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗୁହାରି ଜଣାଇଛନ୍ତି। ତେବେ କୌଣସି ସହୃଦୟ ବ୍ୟକ୍ତି ସହାୟତାର ହାତ ବଢ଼ାଇଲେ ଆହୁମତି ଓ ପଣ୍ଡିତ ପାଠପଢ଼ି ନିଜ ଗୋଡ଼ରେ ନିଜେ ଛିଡ଼ା ହେବାକୁ ଚେଷ୍ଟା କରନ୍ତେ। ସେହିପରି କିଛି ବୁଦ୍ଧିଜୀବୀଙ୍କ କହିବାନୁଯାୟୀ, ଚାଇଲଡ୍ ଲାଇନ୍ ଶିଶୁଦ୍ବୟଙ୍କର ଜିମା ନେଇ ସେମାନଙ୍କ ଭରଣପୋଷଣ କରିବା ଉଚିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/nuapada-2.jpg)