ଜିଲ୍ଲାବ୍ୟାପୀ ବ୍ରାଉନ୍‌ସୁଗାର୍‌ କାରବାର, ୪ ଗିରଫ

ବରଗଡ଼/ପଦ୍ମପୁର: ବରଗଡ଼ ଜିଲ୍ଲା ସାରା ବ୍ର‌ାଉନ୍‌ସୁଗାର୍‌ କାରବାର ଲମ୍ବିଛି। ଏହି ମାମଲାରେ ବରଗଡ଼ ଏବଂ ପଦ୍ମପୁର ପୁଲିସ୍‌ ୪ଜଣଙ୍କୁ ଗିରଫ କରିଛି। ବରଗଡ଼ ଟାଉନ୍‌ ପୁଲିସ୍‌ ବ୍ରାଉନ୍‌ସୁଗାର୍‌ କାରବାରରେ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବରଗଡ଼ ସହର ମହାନ୍ତିପଡ଼ାର ଶେଖ୍‌ ମଇଉଦ୍ଦିନ୍‌ ଏବଂ ରାଣୀବନ୍ଧ ପଡ଼ାର ଶେଖ୍‌ ହାଇଦର୍‌। ସେମାନଙ୍କ ପାଖରୁ ୭୫୦ ଗ୍ରାମ୍‌ ବ୍ରାଉନ୍‌ସୁଗାର୍‌ ଜବତ ହୋଇଛି। ଭଟଲି ଛକ ସାଇକ୍ରୁପା ନର୍ସିିଂହୋମ୍‌ ସମ୍ମୁଖରୁ ଏମାନେ ଦୁହେଁ ଧରାପଡ଼ିଛନ୍ତି। ଗୋଟିଏ କାର୍‌ ଯୋଗେ ସେମାନେ ବ୍ରାଉନ୍‌ସୁଗାର୍‌ ଚାଲାଣ କରିବାକୁ ଉଦ୍ୟମ କରୁଥିଲେ।

ଯାଂଚ ପରେ କାର୍‌ରୁ ବ୍ରାଉନ୍‌ସୁଗାର୍‌ ଜବତ ହୋଇଛି। ଅନ୍ୟପକ୍ଷରେ ପଦ୍ମପୁର ଅଞ୍ଚଳରେ ବ୍ରାଉନସୁଗାର ରୢାକେଟ୍‌ ଠାବ ହୋଇଛି। ଏହି କାରବାର ସହ ସମ୍ପୃକ୍ତ  ୨ ଜଣଙ୍କୁ  ପୁଲିସ୍‌ ଗିରଫ କରିଛି। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଆଦର୍ଶ ଥାନାଧିକାରୀ ରାଜେନ୍ଦ୍ର ସିଅଲଙ୍କ ନେତୃତ୍ବରେ ପେଟ୍ରୋଲିଂ ଚାଲିଥିଲା।  ଏତିକି ବେଳେ ପୁଲିସ୍‌କୁ ଦେଖି ରଜାପଡ଼ାର ବାବୁଲୁ ସିଂ ବରିହା ନିଜ ବୁଲେଟ୍‌ (ଓଡି ୧୭ଡି-୬୨୯୫)ରେ ପଳାଉଥିଲା। ମାତ୍ର ପୁଲିସ୍ ତାକୁ କାବୁ କରି ବାଇକ ଡିକି ଯାଞ୍ଚ କରିବା ପରେ ସେଥିରୁ ୭ଟି ଛୋଟ ପାକେଟ ବ୍ରାଉନ୍‌ସୁଗର ( ୦.୩୯୦ ଗ୍ରାମ) ମିଳିଥିଲା।  ବ୍ରାଉନ୍‌ସୁଗର ସହ ପୁଲିସ୍‌  ନଗଦ ୧୩୫୦ ଟଙ୍କା ଓ ମୋବାଇଲ ଫୋନ୍‌ ଜବତ କରିଥିଲା। ବାବୁଲୁକୁ ପଚରାଉଚରା ପରେ ସୋହେଲାର ଆଫ୍ରୋଜା ବାନୁ ଓରଫ୍‌ ରିଙ୍କି ଠାରୁ ସେ ବ୍ରାଉନ୍‌ସୁଗର ଆଣୁଥିବା ପ୍ରକାଶ କରିଥିଲା। ରାତିସାରା ପୁଲିସ ଘଟଣାର ଖୋଳତାଡ଼ କରିଥିଲା। ରିଙ୍କି ଦୀର୍ଘ ଦିନ ହେଲା ସୋହେଲା ଅଞ୍ଚଳରେ ଡ୍ରଗ୍‌ସ ବ୍ୟବସାୟ କରି ଆସୁଥିଲା।ଆଫ୍ରୋଜା ନିକଟରୁ ନଗଦ ୩ଲକ୍ଷ ୪୭ ହଜାର ଟଙ୍କା ଜବତ ହୋଇଛି। ମାମଲାର ତନାଘନା ହେଲେ ଏହି କାରବାରର ଚେର କେତେ ଦୂର ଲମ୍ବିଛି, ତାହା ସ୍ପଷ୍ଟ ହେବ।

ସମ୍ବନ୍ଧିତ ଖବର