ଜଳେଶ୍ୱର: ଏବେ ଆଉ ପୁରୁଷ ନୁହନ୍ତି; ମହିଳାମାନେ ମଧ୍ୟ ନିଶା ମାଫିଆ ସାଜିଲେଣି। ସେମାନେ ସ୍କୁଟି ଚଢ଼ି, ସ୍ବାମୀଙ୍କ ବାଇକ୍‌ରେ ବସି; ଏମିତିକି ଚାଲିଚାଲି ବିଭିନ୍ନ ସ୍ଥାନକୁ ଯାଉଛନ୍ତି ଏବଂ ଖୁଚୁରା ବେପାରୀ ଓ ଗ୍ରାହକମାନଙ୍କୁ ବ୍ରାଉନ୍‌ସୁଗାର ବିକ୍ରି କରୁଛନ୍ତି। ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ ଦେଖିବାକୁ ମିଳୁଛି ଏମିତି ନୂଆ ଟ୍ରେଣ୍ଡ। ଜଳେଶ୍ୱର ସେକବାଡ଼ ଗ୍ରାମର ଜଣେ ବ୍ୟକ୍ତିକୁ ବର୍ଷେ ତଳେ କୋଲକାତା ପୁଲିସ ବ୍ରାଉନ୍‌ସୁଗାର ସହ ଗିରଫ କରିଥିଲା। ସେହିଦିନଠାରୁ ସେ ଜେଲ୍‌ରେ ଅଛନ୍ତି। ଏବେ ପତ୍ନୀ ତାଙ୍କ ନେଟ୍‌ୱର୍କକୁ ସମ୍ଭାଳୁଛନ୍ତି। କୁହାଯାଇଛି; ମହିଳା ଜଣକ ପଶ୍ଚିମବଙ୍ଗର କାନ୍ଥିରେ ରହୁଥିବା ଜଣେ ସମ୍ପର୍କୀୟଙ୍କଠାରୁ ନିୟମିତ ବ୍ରାଉନ୍‌ସୁଗାର ଆଣନ୍ତି। ପରେ ସେଗୁଡ଼ିକର ଛୋଟ ଛୋଟ ପୁଡ଼ିଆ କରନ୍ତି ଏବଂ ସ୍କୁଟିରେ ବୁଲି ବୁଲି ଜଳେଶ୍ୱର ସହ ପଶ୍ଚିମବଙ୍ଗର ସୋଲପଟା, ମୋହନପୁର, ଦାନ୍ତୁନ, ସୁନାକଣିଆ, ବେଲଦା ଆଦି ସ୍ଥାନକୁ ଯାଇ ବେପାରୀ ଓ ଗ୍ରାହକଙ୍କୁ ବିକନ୍ତି। କେବଳ ସେତିକି ନୁହେଁ, ଘରଠାରୁ କିଛି ଦୂରରେ ଥିବା ଏକ ବୁଦାଳିଆ ଜାଗାରେ ମଧ୍ୟ ସେ ଖୁଚୁରା ବେପାରୀ ଓ ନିୟମିତ ଗ୍ରାହକଙ୍କୁ ବ୍ରାଉନ୍‌ସୁଗାର ବିକୁଛନ୍ତି।

Advertisment

ମହିଳାଙ୍କ ମାଆ ଓ ଭାଇ ବେପାରରେ ତାଙ୍କୁ ସହଯୋଗ କରୁଥିବା ଦେଖିବାକୁ ମିଳୁଛି। ସେହିପରି ଶାସନବାଡ ଗାଁ’ରେ ରହୁଥିବା ମହିଳାଙ୍କ ଜଣେ ଭଉଣୀ ସ୍କୁଟିରେ ଏବଂ ଅନ୍ୟଜଣେ ଭଉଣୀ ଚାଲି ଚାଲି ବ୍ରାଉନ୍‌ସୁଗାର କାରବାର କରୁଛନ୍ତି। ଅନ୍ୟପଟେ ଝାଡ଼େଶ୍ବରପୁର ଗ୍ରାମର ଜଣେ ମହିଳା ସୁବର୍ଣ୍ଣରେଖା ନଦୀବନ୍ଧରେ ଏକ କସ୍‌ମେଟିକ୍‌ ଦୋକାନ ନାମରେ ବ୍ରାଉନ୍‌ସୁଗାର ବିକୁଛନ୍ତି। ସମୟ ଦେଖି ସେ ମଧ୍ୟ ସ୍କୁଟିରେ ବିଭିନ୍ନ ସ୍ଥାନ ବୁଲି ବେପାରୀ ଓ ଗ୍ରାହକଙ୍କ ପାଖରେ ବ୍ରାଉନ୍‌ସୁଗାର ପହଞ୍ଚାଉଛନ୍ତି। ଗ୍ରାମର ଆଉଜଣେ ମହିଳା ଖଡ଼ଗପୁର ଓ ରାଜପୁରର ଦୁଇଜଣ ଯୁବକଙ୍କୁ ବିବାହ କରିଛନ୍ତି। ସେ ବ୍ରାଉନ୍‌ସୁଗାର ଖଡ଼ଗପୁର ସ୍ବାମୀଙ୍କ ଜରିଆରେ ଜଳେଶ୍ୱର ଆଣନ୍ତି ଏବଂ ରାଜପୁର ସ୍ବାମୀଙ୍କ ବାଇକ୍‌ରେ ବିଭିନ୍ନ ସ୍ଥାନ ବୁଲି ବିକ୍ରି କରନ୍ତି। ପଥରପୁରା ଓ ରାଜପୁର ଗ୍ରାମର ଦୁଇଜଣ ବିବାହିତା ମହିଳା ମଧ୍ୟ ନିଜ ନିଜ ସ୍କୁଟିରେ ବ୍ରାଉନ୍‌ସୁଗାର କାରବାର ଚଳାଇଛନ୍ତି। ତେବେ ପଥରପୁରା ଗ୍ରାମର ମହିଳା ଜଣକ ପଶ୍ଚିମବଙ୍ଗର ବେଲଦା ନିକଟସ୍ଥ ଆକନ୍ଦାର କୁଖ୍ୟାତ ନିଶା ମାଫିଆଙ୍କଠାରୁ ବ୍ରାଉନ୍‌ସୁଗାର ଆଣୁଥିବା ଜଣାପଡ଼ିଛି। ବେପାରୀ ମହିଳାମାନେ କାରବାର ବେଳେ ମୁହଁରେ ବୁର୍ଖା ପିନ୍ଧୁଥିବାରୁ ସେମାନଙ୍କୁ ଚିହ୍ନିବା ପୁଲିସ ପକ୍ଷେ କାଠିକର ପାଠ ହେଉଛି।