ସମ୍ବଲପୁରରେ କାୟା ମେଳାଉଛି ଧଳା ଜହର କାରବାର

୫ ଗିରଫ, ମୋବାଇଲ୍‌ ଫୋନ୍‌, ବାଇକ୍‌ ଏବଂ ନଗଦ ୩୫୨୦ ଟଙ୍କା ଜବତ

ସମ୍ବଲପୁର : ଦିନ ଥିଲା ସମ୍ବଲପୁରକୁ ଧଳା ଜହର ମୁକ୍ତ ସହର ଭାବେ ପରିଗଣିତ କରାଯାଉଥିଲା। ୨୦୨୦ ମସିହା ସୁଦ୍ଧା ସମ୍ବଲପୁର ଜିଲ୍ଲାରେ ଧଳା ଜହର କାରବାର କଥା ସେତେଟା ଆସିନଥିଲା। କିନ୍ତୁ, ୨୦୨୧ରେ ସମ୍ବଲପୁର ସହର ସମେତ ପୂରା ପଶ୍ଚିମ ଓଡ଼ିଶାକୁ ଏହି ବିଷ ବ୍ୟାପି ଗଲାଣି। ଏବେ ସମ୍ବଲପୁର ସହରର ଗ‌ଳିକନ୍ଦିରେ ମିଳିଲାଣି ବ୍ରାଉନସୁଗାର(ଧଳା ଜହର)। ସମ୍ବଲପୁର ପୁଲିସ ମଧ୍ୟ ଧଳା ଜହର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ତଥାପି ସବୁଠାରୁ ବିପଜ୍ଜନକ ସାଜିଥିବା ଏହି ଧଳା ଜହର ଧୀରେ ଧୀରେ କାୟା ବିସ୍ତାର କରିବା ଆରମ୍ଭ କଲାଣି।

ସମ୍ବଲପୁରରେ ଜୋର୍‌ସୋରରେ ଧଳା ଜହର କାରବାର ଚାଲିଛି। ଗତ ବୁଧବାର ସମ୍ବଲପୁର ଟାଉନ୍‌ ଥାନା ଅଂଚଳରେ ଏଭଳି ୨ଟି ମାମଲା ସାମ୍‌ନାକୁ ଆସିଛି। ପୁଲିସ ଏହି ଘଟଣାରେ ୫ ଜଣକୁ ଗିରଫ କରିଥିବା ବେଳେ ଏମାନଙ୍କ ବ୍ୟତୀତ ଘଟଣାରେ ଆଉ ୨ଜଣ ନାବାଳକ ସଂପୃକ୍ତ ରହିଥିବା ଜଣାପଡ଼ିଛି। ନାବାଳକମାନଙ୍କୁ ବାଳ ସୁଧାର ଗୃହକୁ ପଠାଯିବ ବୋଲିଯିବ ଜଣାପଡ଼ିଛି। ବୁଧବାର ଦିନ ଧଳା ଜହର କାରବାର ହେଉଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଟାଉନ ପୁଲିସ ଲକ୍ଷ୍ମୀଟକିଜ୍‌ ଛକ ପାଖ ଆଶାପଲି ସ୍କୁଲ ନିକଟରେ ଚଢ଼ଉ କରିଥିଲା। ସେଠାରୁ ପୁଲିସ ୫ ଜଣଙ୍କୁ ଗିରଫ କରିଥିବା ବେଳେ ୬.୩୪୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲା। ଝାରସୁଗୁଡ଼ା ମଙ୍ଗଳବଜାରର ମହମ୍ମଦ ଵାସିମ୍‌, ମୁସ୍ତଫା କୁରେସି(୨୦) ଓ ନେହାଲ୍‌ ଅହମଦ୍‌ ଏବଂ ସମ୍ବଲପୁର ପାଞ୍ଚଗଛିଆର ବିକାଶ ମେହଟା ଓ ଭୂତାପଡ଼ାର ମହମ୍ମଦ ଅଜୁକୁ ପୁଲିସ ଗିରଫ କରିଥିବା ବେଳେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିଛି। ବ୍ରାଉନ୍‌ ସୁଗାର ସହିତ ସେମାନଙ୍କ ପାଖରୁ ୫ଟି ମୋବାଇଲ୍‌ ଫୋନ୍‌, ୩ଟି ବାଇକ୍‌(ଓଡି୧୫ଏମ୍‌୭୭୧୮, ଓଆର୍‌୧୭ଏଫ୍‌୪୫୨୮, ଓଡି୧୫ଓ୮୪୬୯) ଏବଂ ନଗଦ ୩୫୨୦ ଟଙ୍କା ପୁଲିସ ଜବତ କରିଥିଲା।

ଏହା ବ୍ୟତୀତ ସମାନ ଦିନ ଟାଉନ୍‌ ପୁଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଦଲେଇପଡ଼ା ପାଖ ମହାନଦୀର ମାରଵାଡିପଡ଼ା ଘାଟ ନିକଟରେ ଚଢ଼ଉ କରିଥିଲା। ସେଠାରୁ ଜହର କାରବାରରେ ସଂପୃକ୍ତ ଥିବା ୨ ଜଣ ନାବାଳକଙ୍କୁ ଧରିଥିଲା। ପୁଲିସ ସେମାନଙ୍କଠାରୁ ୧.୬ ଗ୍ରାମ ବ୍ରାଉନ୍‌ ସୁଗାର ସହିତ ୨ଟି ମୋବାଇଲ୍‌ ଫୋନ୍‌ ଏବଂ ଏକ ରୋୟାଲ ଏନ୍‌ଫିଲ୍ଡ ବାଇକ୍‌(ଓଡି୧୫ଏମ୍‌୭୭୧୮) ଜବତ କରିଛି। ତେବେ ଧଳା ଜହର କାରବାରରେ ନାବାଳକମାନେ ସଂପୃକ୍ତ ରହିଥିବା ଆଲୋଡ଼ନ ସୃଷ୍ଟି କରିଛି। ତେବେ, ମାରଵାଡି ଘାଟ ନିକଟରୁ ଧରାପଡ଼ିଥିବା ନାବାଳକଙ୍କ ମଧ୍ୟରୁ ଜଣଙ୍କ ବାପା ନିଜକୁ ସାମ୍ବାଦିକ ବୋଲି କହିବା ସହ କାର୍ଡ ଦେଖାଇ ଚାପ ପକାଇବାକୁ ଚେଷ୍ଟା କରିଥିଲେ ବୋଲି କେତେକ ପୁଲିସ କର୍ମଚାରୀ କହିଛନ୍ତି। ଏହାକୁ ନେଇ ସହରରେ ବ୍ୟାପକ ଚର୍ଚ୍ଚା ହେଉଥିବା ବେଳେ ଏ ସଂକ୍ରାନ୍ତରେ ପଚାରିବାରୁ କିନ୍ତୁ ପୁଲିସ ସ୍ପଷ୍ଟ ତଥ୍ୟ ଦେଉନାହିଁ। ଆଇନ ଅନୁସାରେ, ଅପରାଧିକ ମାମଲାରେ ସଂପୃକ୍ତ ନାବାଳକଙ୍କ ପରିଚୟ ସର୍ବସାଧାରଣରେ ପ୍ରକାଶ କରାଯାଇପାରିବ ନାହିଁ। ତ‌େବେ, ପୁଲିସ ସଂପୃକ୍ତ ସାମ୍ବାଦିକଙ୍କ ଯେଉଁ ସାଂଗିଆ କହୁଛି, ସେଭଳି ସାଂଗିଆରେ ସମ୍ବଲପୁରରେ କୌଣସି ସାମ୍ବାଦିକ ଥିବା ସ୍ପଷ୍ଟ ହୋଇପାରି ନାହିଁ। ଯଦି, ସଂପୃକ୍ତ ବ୍ୟକ୍ତି ସାମ୍ବାଦିକ ନୁହନ୍ତି, ମିଥ୍ୟା ପରିଚୟ ଦେଇ ସାମ୍ବାଦିକମାନଙ୍କୁ ବଦନାମ କରିବାର ପ୍ରୟାସ କରିଥିବା କାରଣରୁ ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ? ଅପରପକ୍ଷରେ ଅଯଥାରେ ସାମ୍ବାଦିକ ଉପାଖ୍ୟାନ ବର୍ଣ୍ଣନା କରାଯାଇ ସାମ୍ବାଦିକମାନଙ୍କୁ ନିନ୍ଦିତ କରିବାର ପ୍ରୟାସ କରାଯାଉ ନାହିଁ ତ ? ଏଭଳି ନା ନା କଥା ସାମ୍ବାଦିକ ମହଲରେ ଚର୍ଚ୍ଚା ଚାଲିଛି।

ଅଢ଼େଇ ମାସରେ ୪ଟି ମାମଲାରେ ଧରାପଡ଼ିଲେ ୧୩
ଗତ ଅଢ଼େଇ ମାସରେ ସମ୍ବଲପୁର ସଦର ଅଞ୍ଚଳରୁ ୪ଟି ଧଳା ଜହର କାରବାର ମାମଲା ସାମ୍ନାକୁ ଆସିଛି। ଏହା ଜିଲ୍ଲାବାସୀଙ୍କୁ ଚିନ୍ତାରେ ପକାଇଲାଣି। ଅଢ଼େଇ ମାସରେ ୪ ସ୍ଥାନରୁ ସମ୍ବଲପୁର ପୁଲିସ ୧୩ ଜଣଙ୍କୁ ଧରିଥିବା ବେଳେ ଏମାନଙ୍କ ମଧ୍ୟରୁ ୨ ଜଣ ନାବାଳକ ରହିଛନ୍ତି। ବୁଧବାର ଦୁଇଟି ମାମଲାରେ ୭.୯୪୦ ଗ୍ରାମ ବ୍ରାଉନ୍‌ ସୁଗାର ଜବତ ହୋଇଛି। ଅନ୍ୟପଟେ ଚଳିତ ମାସ ୬ ତାରିଖରେ ୧୦ ନମ୍ବର ରାଜ୍ୟ ରାଜପଥ ରମ୍ପେଲା ନିକଟରୁ ରେଙ୍ଗାଲି ପୁଲିସ ୬୨ ଗ୍ରାମ ଧଳା ଜହର ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଥିଲା। ଜବତ ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ। ଏହା ସାଙ୍ଗକୁ ସେମାନେ ଯାଉଥିବା ହୋଣ୍ଡା ସିଟି କାର୍‌ (ଓଡି୦୨ବିକ୍ୟୁ୭୭୭୫), ନଗଦ ୫ ଲକ୍ଷ ୪୪୦ ଟଙ୍କା ଓ ୪ ଟି ମୋବାଇଲ ଫୋନ ଜବତ କରିଥିଲା। ସେଭଳି ଏପ୍ରିଲ୍‌ ୭ ତାରିଖ ସକାଳ ସମୟରେ ଟାଉନ ଥାନା ସମ୍ମୁଖ ସାହୁ କଲୋନିର ଧଳା ଜହର କାରବାରରେ ପୁଲିସ ଗିରଫ କରିଥିଲା। ପୁଲିସ ସେମାନଙ୍କ ନିକଟରୁ ୭.୬ ଗ୍ରାମର ଆନୁମାନିକ ୧ ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନ ସୁଗାର, ନଗଦ ୩ ହଜାର ୭ ଶହ ୪୦ ଟଙ୍କା, ତିନିଟି ମୋବାଇଲ ଓ ୨ଟି ସ୍କୁଟି ଜବତ କରିଥିଲା।

ସମ୍ବନ୍ଧିତ ଖବର