ଜଳେଶ୍ୱର: କିଛିମାସ ହେଲା ଜଳେଶ୍ୱରର ରାଜପୁର ଗାଁ ଡ୍ରଗ୍ସ ବେପାରର ପେଣ୍ଠସ୍ଥଳୀ ପାଲଟିଛି। ଆଜି ପୁଣି ସେଠାରୁ ୨୦ ଗ୍ରାମ ବ୍ରାଉନ ସୁଗର ଜବତ ହୋଇଛି। ଏହାର ମୂଲ୍ୟ ଆନ୍ତର୍ଜାତିକ ବଜାରରେ ୨ ଲକ୍ଷ ଟଙ୍କାରୁ ଊର୍ଧ୍ୱ ହେବ। ଏହି କାରବାରରେ ସମ୍ପୃକ୍ତ ଜଣେ ସ୍ଥାନୀୟ ନେତାଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ଏଥିରୁ ବ୍ରାଉନ ସୁଗର କାରବାରର ଚେର ଯେ କେତେ ଗଭୀରକୁ ଯାଇଛି, ତାହା ସ୍ପଷ୍ଟ ବାରିହେଉଛି। ଗିରଫ ଅଭିଯୁକ୍ତ ହେଲେ ଜଳେଶ୍ୱର ୧୧ ନଂ ଓ୍ଵାର୍ଡର ସଭ୍ୟ ସେକ୍ ଆଜବର (୩୪)। ସେ ୨/୩ ବର୍ଷ ଧରି ଏହି ବେପାର କରି ଆସୁଥିବା ସ୍ୱୀକାର କରିଛି। ସେ ପଶ୍ଚିମବଙ୍ଗ ଓ ବାଲେଶ୍ୱର ଅରଡ଼ବଜାର ଅଞ୍ଚଳରୁ ବ୍ରାଉନସୁଗର ଆଣି ସ୍ଥାନୀୟ ଛୋଟଛୋଟ ବେପାରୀଙ୍କୁ ଯୋଗାଉଥିବା ଅବକାରି ବିଭାଗ କହିଛି। ଏ ନେଇ ଅବକାରୀ ବିଭାଗ ନିକଟରେ ପୂର୍ବରୁ ପକ୍କା ଖବର ଥିଲା। କିଛିଦିନ ପୂର୍ବରୁ ଆଜବରକୁ ଟାର୍ଗେଟ୍ କରିଥିଲା ବିଭାଗ। ଆଜି ଭୋରରୁ ରେଂଜ ଇନ୍ସପେକ୍ଟର କରୁଣା ଶଙ୍କର ତିଓ୍ଵାରୀ, ଏସ୍ଆଇ ହରପ୍ରସାଦ ରଣା, ତ୍ରିଲୋଚନ ସ୍ୱାଇଁ, ଲକ୍ଷସାଧବ ପ୍ରଧାନ, କୁଳମଣି ମହାରଣା ପ୍ରମୁଖ ଅଧିକାରୀ ରାଜପୁର ଗାଁରେ ଚଢ଼ଉ କରି ଆଜବର ନିକଟରୁ ବ୍ରାଉନସୁଗର ଜବତ କରିବା ସହ ତାକୁ ଗିରଫ କରିଥିଲେ। ଆଜବର ଏକ ରାଜନୈତିକ ଦଳର କର୍ମୀ। ଫଳରେ ଏହି ଗିରଫଦାରି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ଖୋରାକ ଯୋଗାଇଛି। କେସ୍ ନମ୍ବର ୪୦ରେ ମାମଲା ରୁଜୁକରି ଅବକାରୀ ବିଭାଗ ଆଜବରକୁ ସ୍ୱତନ୍ତ୍ର କୋର୍ଟକୁ ଚାଲାଣ କରିଛି।
ବ୍ରାଉନସୁଗର ଜବତ, ଓ୍ଵାର୍ଡମେମ୍ବର ଗିରଫ
/sambad/media/post_attachments/wp-content/uploads/2018/01/Untitled-des.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)