ଅଣ୍ଡରଓ୍ୱାର୍ଲଡ ଲିଙ୍କରେ କୁଖ୍ୟାତ ନିଶା ମାଫିଆ
ଏସଟିଏଫ୍ ସମେତ ଏବେ ବି ଅପହଞ୍ଚ ଏକାଧିକ ତଦନ୍ତକାରୀ ସଂସ୍ଥା
ଭୁବନେଶ୍ବରରୁ ଧରାପଡ଼ିଥିବା ୩ ଅଭିଯୁକ୍ତ ଆଜାଦର ସହଯୋଗୀ ସନ୍ଦେହ
ଭୁବନେଶ୍ବର : ରସୁଲଗଡ଼ ଛକ ନିକଟରୁ ସାଢ଼େ ୪ କେଜି ବ୍ରାଉନସୁଗାର ଜବତ ଘଟଣାରେ ଏବେ ଏକ ନୂଆ ମୋଡ଼ ଆସିଛି। ଏହି ବିପୁଳ ପରିମାଣର ଧଳାଜହର କାରବାର ପଛରେ ନବେ ଦଶକର କୁଖ୍ୟାତ ବ୍ରାଉନସୁଗାର ବାଦ୍ଶାହ ଆଜାଦ ପରଭେଜ୍ର ସଂପୃକ୍ତି ଥିବା ସନ୍ଦେହ କରାଯାଉଛି। ଗିରଫ ୩ ଅଭିଯୁକ୍ତ ମଧ୍ୟ ଆଜାଦର ଏଜେଣ୍ଟ ବୋଲି ଅନୁମାନ କରାଯାଉଛି। ଖାଲି ଏହି ଘଟଣା ନୁହେଁ, ରାଜଧାନୀ ଭୁବନେଶ୍ୱର, କଟକ, ପୁରୀ, ଖୋର୍ଧା, ନୟାଗଡ଼ ସମେତ ପୂରା ଉପକୂଳ ଓଡ଼ିଶାକୁ ସେ କ୍ବିଣ୍ଟାଲ କ୍ବିଣ୍ଟାଲ ବ୍ରାଉନସୁଗାର ଚାଲାଣ କରୁଛି। ବାଲେଶ୍ବରରେ ବସି ଏଜେଣ୍ଟମାନଙ୍କ ଜରିଆରେ ସେ ଏହି କାରବାର ଚଲାଇଛି। କିନ୍ତୁ କେବେ ବେପାରୀଙ୍କ ସହ ସିଧାସଳଖ ସମ୍ପର୍କରେ ଆସି ନାହିଁ କିମ୍ବା ସାମ୍ନାକୁ ମଧ୍ୟ ବାହାରି ନାହିଁ। ଏସ୍ଟିଏଫ୍ ସମେତ ଏକାଧିକ ତଦନ୍ତକାରୀ ସଂସ୍ଥାଙ୍କ ପାଇଁ ସେ ଏବେ ଅପହଞ୍ଚ ହୋଇ ରହିଛି। କୋଉଠି ବସି ସେ ନିଜ ନେଟ୍ୱାର୍କ ପରିଚାଳନା କରୁଛି, ସେ ସଂପର୍କରେ କାହାରି ପାଖରେ ଖବର ନାହିଁ। ତେବେ ରସୁଲଗଡ଼ ଛକରୁ ଧରାପଡ଼ିଥିବା ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବା ପରେ କିଛି କଥା ପଦାକୁ ଆସିପାରେ ବୋଲି ଏସ୍ଟିଏଫ୍ ଆଶା ବାନ୍ଧି ବସିଛି।
/sambad/media/post_attachments/wp-content/uploads/2020/07/cartoon-mahanagar-253x300.jpg)
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନବେ ଦଶକରେ ଯୁବାବସ୍ଥାରେ ଥିବା ଆଜାଦ୍ ବ୍ରାଉନସୁଗାର କାରବାରରେ ବେଶ୍ ସକ୍ରିୟ ଥିଲା। ଖୁବ୍କମ୍ ଦିନରେ ପାଲଟି ଯାଇଥିଲା କୁଖ୍ୟାତ ନିଶା ମାଫିଆ। ବାଂଲାଦେଶରୁ ଉଭୟ ଜଳ ଓ ସ୍ଥଳପଥ ଦେଇ ବିପୁଳ ପରିମାଣର ବ୍ରାଉନସୁଗାର ଓଡ଼ିଶାକୁ ଆଣୁଥିଲା। ବାଲେଶ୍ବରରେ ବ୍ରାଉନସୁଗାର ପହଞ୍ଚିବା ପରେ ଏହାକୁ ଛତିଆ ଓ କଟକରେ ଥିବା ବେପାରୀଙ୍କ ପାଖକୁ ପଠାଉଥିଲା। ବ୍ରାଉନସୁଗାର ବେପାର ଯେତେବେଳେ ରାଜ୍ୟରେ ବଢ଼ି ଚାଲିଲା, ସେତେବେଳେ ତାକୁ ଧରିବା ଲାଗି ପୁଲିସ ଏକ ସ୍ବତନ୍ତ୍ର ଟିମ୍ ତିଆରି କଲା। ସ୍ବତନ୍ତ୍ର ଟିମ୍ ତାକୁ ଜାମସେଦ୍ପୁରରୁ ଗିରଫ କରିଥିଲା। କିଛି ଦିନ ଧରି ମାମଲା ଚାଲିବା ପରେ ଆଜାଦ୍ ଦୋଷୀ ସାବ୍ୟସ୍ତ ହୋଇ ୧୯୯୪/୯୫ ଆଡ଼କୁ ଜେଲ୍ ଯାଇଥିଲା। ଦୀର୍ଘ ବର୍ଷ ଧରି ଜେଲ୍ ଦଣ୍ଡ ଭୋଗିବା ପରେ ୨୦୧୦ ପୂର୍ବରୁ ଜେଲରୁ ମୁକୁଳିଥିଲା। ଜେଲରୁ ଆସିବାର କିଛି ଦିନ ମଧ୍ୟରେ ପୁଣି ବ୍ରାଉନସୁଗାର କାରବାରକୁ ନିଜ ନିୟନ୍ତ୍ରଣକୁ ନେଇ ଆସିଥିଲା। ନିଜର କିଛି ଖାସ୍ ଲୋକଙ୍କ ସହାୟତାରେ ଏବେ ସେ ବ୍ରାଉନସୁଗାର କାରବାରର ବାଦ୍ଶାହ ପାଲଟି ଯାଇଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ଭୁବନେଶ୍ବର, ପୁରୀକୁ ନିଜ କବ୍ଜାରେ ରଖି ସେଠାରେ ବିପୁଳ ପରିମାଣରର ବ୍ରାଉନସୁଗାର କାରବାର କରୁଛି। ଯୁବପିଢ଼ିଙ୍କ ଆକର୍ଷଣ ବଢ଼ୁଥିବା ଦେଖି ସେ ନିଜର ବେପାର ବଢ଼ାଇ ଚାଲିଛି।
ଗୁରୁତ୍ବପୂର୍ଣ୍ଣ କଥା ହେଲା, ବ୍ରାଉନସୁଗାର କାରବାରର ନୂଆ ଠିକଣା ଏବେ ଆଜାଦକୁ ସୁହାଉଛି। ଆନ୍ତଃରାଜ୍ୟ କୁଖ୍ୟାତ ନିଶା ବେପାରୀ ଆଜାଦର ଅଣ୍ଡରଵାର୍ଲଡ୍ ସହ ଲିଙ୍କ୍ ରହିଥିବା ଜଣାପଡ଼ିଛି। ଆଇଏସ୍ଆଇ ସହ ସମ୍ପର୍କ ରହିଥିବା ସନ୍ଦେହ ମଧ୍ୟ କରାଯାଉଛି। ଜେଲରୁ ମୁକୁଳିବା ପରଠାରୁ ପୁଲିସକୁ ଚକ୍ମା ଦେଇ ଲୁଚିଛି ଆଜାଦ୍। ଫୋନ୍ ବ୍ୟବହାର କରୁନଥିବାରୁ ତାକୁ ଟ୍ରାକ୍ କରିବା ମଧ୍ୟ ପୁଲିସ୍ ପାଇଁ ଅସମ୍ଭବ ହୋଇପଡ଼ିଛି। ଖାଲ ସେ ନୁହେଁ, ତା’ ପାଖରେ ଥିବା ପିଲା ମଧ୍ୟ ମୋବାଇଲ୍ ଫୋନ୍ ବ୍ୟବହାର କରନ୍ତି ନାହିଁ। ବେପାରୀଙ୍କ ସହ ଆଜାଦ୍ ସିଧାସଳଖ ଯୋଗାଯାଗରେ ନ ରହି ସବୁ କାମ ଏଜେଣ୍ଟଙ୍କ ଜରିଆରେ କରାଉଛି। ବିପୁଳ ପରିମାଣର ବ୍ରାଉନସୁଗାର ଚାଲାଣ ବେଳେ ସାଙ୍ଗରେ ଏସକର୍ଟ ଟିମ୍ ଆସିଥାଏ। ତେଣୁ ପୁଲିସ ହାତରେ ଆଉ ଧରା ପଡ଼ୁନି। କ୍ରାଇମବ୍ରାଞ୍ଚ ଏସଟିଏଫ୍, ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ, ପୁଲିସ, ଡିଆରଆଇ ଭଳି ତଦନ୍ତକାରୀ ସଂସ୍ଥାର ନଜରଠାରୁ ଆଜାଦ୍ ବହୁ ଦୂରରେ ରହିଛି। କେବେ ଧରାପଡ଼ିବ, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/Brown-sugar.jpg)