୬୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୪ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ସହରରେ ଏକ ବଡ଼ଧରଣର ବ୍ରାଉନସୁଗାର କାରବାର ମାମଲାରେ ପୁଲିସ ଚଢ଼ଉ କରି ୪ଜଣଙ୍କୁ ଦୁଇଦିନ ଧରି ଅଟକ ରଖିଥିଲା। ଆଜି ‘ସମ୍ବାଦ’ରେ ଉକ୍ତ ଖବର ପ୍ରକାଶନ ପରେ ଖୋର୍ଦ୍ଧା ପୁଲିସ ଏନେଇ ବିଧିବଦ୍ଧ ଭାବେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି। ଏହି ମାମଲାରେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇ ବୁଧବାର କୋର୍ଟ ଚାଲାଣ କରାଯାଇଛି। ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଏସଡ଼ିପିଓ ଦିଲ୍ଲୀପ କୁମାର ଦାସ, ଟାଉନ ଥାନା ଆଇଆଇସି ତାରିକ ଅହମ୍ମଦ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ। ବ୍ରାଉନସୁଗାର ଜବତ ନେଇ ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇ କହିଲେ ଯେ, ୭ ତାରିଖ ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା ଯେ ତୋଟାପଡ଼ା ନିକଟ ଚିଲିକା ଫ୍ରେସ ଗୋଦାମ ନିକଟରେ ବଡ଼ ଧରଣର ବ୍ରାଉନସୁଗାର କାରବାର ହେଉଛି। ସୂଚନା ପାଇ ପୁଲିସର ଏକ ଟିମ୍ ସେଠାରେ ପହଞ୍ଚି ସଦର ଥାନା ଅଧୀନ ଦୁର୍ଗାପ୍ରସାଦ ରାମଚଣ୍ଡୀର ଶିବ ମଲ୍ଲିକ (୪୨), ଶିବଙ୍କ ପତ୍ନୀ ସୁଷମା (୩୬) ଓ ତାଙ୍କ ପୁଅ ଜୟପ୍ରକାଶ ମଲ୍ଲିକ ଓରଫ ବାଲିଆ ଏବଂ ରଣପୁର ମହତପଲ୍ଲାର ପ୍ରତାପ କୁମାର ମହାପାତ୍ର (୩୩)ଙ୍କୁ ଗିରଫ କରିଥିଲା।

ସେମାନଙ୍କ ନିକଟରୁ ୫୬୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା। ଏହି ବ୍ରାଉନସୁଗାରକୁ ପ୍ରତାପ ନୟାଗଡ଼ରୁ ଆଣି ଏଠାରେ ବିକ୍ରି କରୁଥିଲେ ବୋଲି ଆରକ୍ଷୀ ଅଧୀକ୍ଷକ ଶ୍ରୀ କଟ୍ଟାରିଆ କହିଛନ୍ତି। ଏହାସହ ସେମାନଙ୍କ ନିକଟରୁ ଗୋଟିଏ ଅଟୋ (ଓଡି୦୨ବିକେ ୨୦୯୮)କୁ ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ପ୍ରାୟ ୬୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ମାମଲାର ଅଧିକ ତଦନ୍ତ ପାଇଁ ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।

ସମ୍ବନ୍ଧିତ ଖବର