କଟକ/ସିଡିଏ : କଟକରୁ ପୁଣି ଜବତ ହୋଇଛି କୋଟିଏ ଟଙ୍କାର ବ୍ରାଉନ୍ସୁଗାର୍। କଟକ ସିଡିଏ ଅଞ୍ଚଳରୁ ଏକ କେଜି ୩୮ ଗ୍ରାମର ବ୍ରାଉନ୍ସୁଗାର୍କୁ ସ୍ପେସାଲ୍ ସ୍କ୍ବାଡ୍ ପୁଲିସ ଜବତ କରିବା ସହିତ ଏହି ଘଟଣାରେ ବାଲେଶ୍ବରର ତିନି ଜଣଙ୍କୁ ଗିରଫ କରିଛି। କଟକର ମଧୁପାଟଣା ତିନିଘରିଆ ଆମ୍ବତୋଟାରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତର ମାତ୍ର ୫ ଦିନ ଭିତରେ ପୁଣି ଏତେ ଟଙ୍କାର ବ୍ରାଉନସୁଗାର ଜବତ ହେବା ଘଟଣା ଉଦ୍ବେଗର କାରଣ ହୋଇଛି। ମହାନଦୀ ମଧୁସୂଦନ ସେତୁରୁ ସିଡିଏ ଆଡ଼କୁ ଆସୁଥିବା ଏହି ୩ ଜଣ ବ୍ରାଉନ୍ସୁଗାର୍ ମାଫିଆଙ୍କୁ ପୁଲିସ ଗିରଫ କରିଥିଲା। ଗିରଫ ମାଫିଆମାନେ ହେଲେ ବାଲେଶ୍ବର ଜିଲ୍ଲା ଜଳେଶ୍ବରର ସେକ୍ ତମିର(୨୦), ସେକ୍ ଇରସତ୍(୧୮) ଏବଂ ସେକ୍ ଆଲ୍ଲାଉଦ୍ଦିନ ଓରଫ ଆଲ୍ଲାମୁଦ୍ଦିନ(୧୮)। ଏମାନେ ରାଜପୁର ବସ୍ତିରେ ରହୁଥିଲେ। ସେମାନଙ୍କ ନିକଟରୁ ବ୍ରାଉନ୍ସୁଗାର୍ ସମେତ ଗୋଟିଏ ୟାମା ବାଇକ୍, ଟାଟା ଇଣ୍ଡିକା କାର୍ ଏବଂ ଚାରି ମୋବାଇଲ୍ ଫୋନ୍ ଜବତ ହୋଇଛି।
ବ୍ରାଉନ୍ସୁଗାର୍ ମାଫିଆ ଗ୍ୟାଙ୍ଗ୍ ସଂପର୍କରେ ଖବର ପାଇ ସ୍ପେସାଲ୍ ସ୍କ୍ବାଡ୍ ଏସିପି ଅଜୟ ଦାସଙ୍କ ନେତୃତ୍ବରେ ଅନ୍ୟ ପୁଲିସ ଅଧିକାରୀ ଓ ଫେଜ୍-୨ ଥାନାର ଏସ୍ଆଇ ଅବିନାଶ ପରିଡ଼ା ପ୍ରମୁଖ ସେମାନଙ୍କୁ ପିଛା କରି କାବୁ କରିଥିଲେ। ଏହି ଗ୍ୟାଙ୍ଗ କଟକ ସମେତ ଭୁବନେଶ୍ବର, ଖୋର୍ଦ୍ଧା, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାକୁ ବି ବ୍ରାଉନ୍ସୁଗାର୍ ଚାଲାଣ କରୁଥିଲେ। ଏମାନେ ସିଧାସଳଖ କୋଲକାତାରୁ ଜଳେଶ୍ବର ଦେଇ ବ୍ରାଉନସୁଗାର ଓଡ଼ିଶା ଆଣୁଥିଲେ। ଗତ ୨ ତାରିଖରେ ଜଗତସିଂହପୁର ଜିଲ୍ଲାର ତିନି ଜଣ ବ୍ରାଉନ୍ସୁଗାର୍ ମାଫିଆ ଧରା ପଡ଼ିଥିଲେ। ୨୦୨୧ରେ ଆଜି ସୁଦ୍ଧା କଟକ ସହରରୁ ୪ କେଜି ବ୍ରାଉନ୍ସୁଗାର୍ ଜବତ ହେଲାଣି। ଏହାର ମୂଲ୍ୟ ୪ କୋଟି ଟଙ୍କାରୁ ଅଧିକ ହେବ। ଏହି ମାମଲାରେ ପୁଲିସ ମୋଟ ୨୭ ଜଣ ମାଫିଆଙ୍କୁ ଗିରଫ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/brown-sugar-accused-arrested-from-cda.jpg)